ଭୁବନେଶ୍ଵର, ୦୨/୦୫ : ଜିତୁ ମୁଣ୍ଡା ଘଟଣାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ। ଗତ ଏପ୍ରିଲ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପଶି ଶାଖାରେ ଘଟିଥିବା ଅମାନବୀୟ ଘଟଣାରେ ଆଲୋକପାତ କରିବା ପାଇଁ ବିରୋଧୀ ଦଳ ନେତା ଚିଠି ଲେଖିଛନ୍ତି। ବ୍ୟାଙ୍କ ଏହି ଅମାନବୀୟ ଆଚରଣକୁ ଯଥାର୍ଥ କରିବା ପାଇଁ RBI ନିର୍ଦ୍ଦେଶାବଳୀର ଆଳ ଦେଖାଉଛି। ଏହାଦ୍ଵାରା ବ୍ୟାଙ୍କ ଅଧିକାରୀମାନଙ୍କର ଦାୟିତ୍ୱବୋଧତାକୁ ଲୁଚେଇବା ପାଇଁ ଚେଷ୍ଟା କରାଯାଉଛି। ଗଣତନ୍ତ୍ରରେ ନିୟମ ନାଗରିକମାନଙ୍କୁ ଅପମାନିତ କରିବା ପାଇଁ ନୁହେଁ, ବରଂ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ନବୀନ କହିଛନ୍ତି।

ନବୀନ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଏହି ଭୟଙ୍କର ଘଟଣା ସମଗ୍ର ଓଡ଼ିଶାର ଜନଭାବନାକୁ ଆଘାତ ଦେଇଛି। ନ୍ୟୁୟର୍କ ପୋଷ୍ଟ ଏବଂ ବିବିସି ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ଘଟଣା ଦୃଷ୍ଟି ଆକର୍ଷଣ କରିଛି। ଏହି ଘଟଣାଟି ପୃଥକ ଭାବରେ ଆମକୁ ଏକ ଅଧିକ ମାନବିକ ବ୍ୟାଙ୍କିଂ ପ୍ରଶାସନ ପ୍ରତିଷ୍ଠା କରିବା ପାଇଁ ଏକ ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି। ବିଶେଷକରି ଦୂରବର୍ତ୍ତୀ ଆଦିବାସୀ ଅଞ୍ଚଳରେ। ଏହି ଆଶ୍ଚର୍ଯ୍ୟଜନକ ତ୍ରୁଟି ପାଇଁ ତୁରନ୍ତ ସ୍ପଷ୍ଟ ଦାୟିତ୍ୱ ସ୍ଥିର କରାଯାଉ। ଏହା ସମସ୍ତ ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ସହାନୁଭୂତି ସହିତ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ଗ୍ୟାରେଣ୍ଟି ଦେବା ପାଇଁ ଏକ ସ୍ପଷ୍ଟ ସଙ୍କେତ ଦେବ। ଘଟଣାରେ ଆପଣଙ୍କ ହସ୍ତକ୍ଷେପ ସହିତ, ନାଗରିକଙ୍କ ପ୍ରତି ଏହି ପ୍ରକାରର ଅମାନବୀୟ ବ୍ୟବହାର ଦେଶର ଅନ୍ୟ କୌଣସି ସ୍ଥାନରେ ପୁନରାବୃତ୍ତି ନହେଉ ବୋଲି ଲେଖିଛନ୍ତି ନବୀନ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ଘଟଣାରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡ଼ିପଡିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଣେ ଗରିବ ଭାଇ ପ୍ରମାଣ ପାଇଁ ଭଉଣୀଙ୍କ କଙ୍କାଳ ନେଇ ଯିବା ସରକାରଙ୍କ ବିଫଳତା। ଓଡ଼ିଶାକୁ ଜାତୀୟ ସ୍ତରରେ ଦୁର୍ନାମ କରିବା ପାଇଁ ବିଜେପି ଏପରି କରୁଛି। ଯେତେବେଳେ ମଣିଷ କଙ୍କାଳ ନେଇ ଜଣେ ୩ କିମି ଗଲା ସେତେବେଳେ କେଉଁଠି ଥିଲେ ସରକାରୀ ଅଧିକାରୀ ଓ ବିଜେପିର କର୍ମୀମାନେ। କାହିଁକି ଅଟକାଇଲେ ନାହିଁ। ସରକାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ଯିଏ ଦୋଷୀ ସେ ଦଣ୍ଡ ପାଇବ। ଜାଣିଜାଣି ବିଜେପି ଓଡ଼ିଶାକୁ ବାଦନାମ କରୁଛି।

ଏହି ଖବରଟିକୁ ପଢନ୍ତୁ- ଟଙ୍କା ପାଇଁ ବ୍ୟାଙ୍କ ଆଗରେ କଙ୍କାଳ ରଖିବା ଘଟଣା : ଜିତୁ ମୁଣ୍ଡାଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା