ପାଟଣା, ୩୦।୪ :  ଟଙ୍କା ପାଇଁ ବ୍ୟାଙ୍କ ଆଗରେ କଙ୍କାଳ ରଖିବା ଘଟଣା। ଜିତୁ ମୁଣ୍ଡାଙ୍କୁ ମିଳିବ ସରକାରୀ ସହାୟତା।  ଜିତୁଙ୍କୁ ମିଳିବ  ବାର୍ଦ୍ଧକ୍ୟ ଭତ୍ତା । ଏ ନେଇ ପାଟଣା ବିଡିଓ ନିର୍ଦେଶ ଦେଇଛନ୍ତି। ଏଥିସହ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ଦେବାକୁ ନିର୍ଦେଶ ଦେଇଛନ୍ତି। ଜିତୁଙ୍କୁ ରାସନ କାର୍ଡ ମିଳିଛି। ତାଙ୍କ ଭଉଣୀଙ୍କ ନାମରେ ଥିବା ରାସନ କାର୍ଡ ଜିତୁଙ୍କ ନାମରେ ପରିବର୍ତ୍ତନ କରାଯାଇଛି।

ଅନ୍ୟପକ୍ଷରେ ଟଙ୍କା ପାଇଁ ବ୍ୟାଙ୍କ ଆଗରେ କଙ୍କାଳ ରଖିବା ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ସମ୍ପୁର୍ଣ୍ଣ ଅବହେଳା ଥିବା କହିଛନ୍ତି RDC। ଏଥିସହିତ ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ଅଯଥା ବିଳମ୍ବ ଘଟିଥିବା ସେ କହିଛନ୍ତି । ତଦନ୍ତର ଏକ ପୁଙ୍ଖାନୁପୁଙ୍ଖ ରିପୋର୍ଟ  ସରକାରଙ୍କୁ ପ୍ରଦାନ କରିବେ ବୋଲି ସେ କହିଛନ୍ତି ।

ଜିତୁ ମୁଣ୍ଡା ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଭଉଣୀର କଙ୍କାଳ ଆଣିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବୁଧବାର ଠାରୁ ଏହି ଅଭାବନୀୟ ଘଟଣାରେ RDC ତଦନ୍ତ ହୋଇଛି । ଗୁରୁବାର RDC ସଂଗ୍ରାମ କେଶରୀ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳେଇ ଏବଂ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ପ୍ରଥମେ ପାଟଣା ସ୍ଥିତ ପଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚିଥିଲେ । ସେଠାରେ ବ୍ୟାଙ୍କ ମ୍ୟାନେଜର ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ପଚରା ଉଚରା କରିଥିଲେ । ଏହାସହିତ ବ୍ୟାଙ୍କର ସିସିଟିଭି ଫୁଟେଜକୁ ପୁଙ୍ଖାନୁପୁଙ୍ଖ ଭାବେ ଚେକ୍ କରିଥିଲେ । ପ୍ରାୟ ଏକ ଘଣ୍ଟା କାଳ ତଦନ୍ତ ପରେ ଏହି ସମ୍ବେଦନଶୀଳ ଘଟଣାର ସବୁ ସତ ସାମ୍ନାକୁ ଆସିଛି । ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କ କର୍ମଚାରୀ ଟଙ୍କା ନଦେଇ ଫେରାଇ ଦେଇଥିଲେ । ଦିନ ୧୧ଟା ୨୬ରେ ଜିତୁ ବ୍ୟାଙ୍କକୁ ଆସିଥିଲେ ଏବଂ ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଥିଲେ । ସେହି ସମୟରେ ସେ ୪ଥର ବ୍ୟାଙ୍କ କର୍ମଚାରୀଙ୍କୁ ଭେଟିଥିଲେ । ମୃତ ଭଉଣୀ କାଲାରା ମୁଣ୍ଡା ଜମା ରଖିଥିବା ୧୯ ହଜାର ୩୦୦ ଟଙ୍କା ଉଠାଇବାକୁ କହିଥିଲେ । ମାତ୍ର ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଉଠାଇବାରେ ବିଫଳ ହେବା ପରେ ବ୍ୟାଙ୍କ୍ ମ୍ୟାନେଜର ସହିତ ସାକ୍ଷାତ କରିଥିଲେ । ହେଲେ ଭଉଣୀର ମୃତ୍ୟୁ ପ୍ରମାଣ ପତ୍ର ଆଣିନଥିବାରୁ ତାଙ୍କୁ ସେ ମଧ୍ୟ ଫେରାଇ ଦେଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ଜିତୁ ଭଉଣୀର କଙ୍କାଳ ଆଣିଥିଲେ ବ୍ୟାଙ୍କ ସମ୍ମୁଖରେ ବସିରହିଥିଲେ ବୋଲି ଆରଡିସି ତଦନ୍ତରୁ ଜଣାପଡ଼ିଛି ।