ରାହୁଲଙ୍କ ରିମୋଟ୍ ମନ୍ତବ୍ୟ: ନବୀନ କହିଲେ ବକୱାସ୍

source:www.livemint.com
ଭୁବନେଶ୍ୱର,୨୮ ।୧(ବ୍ୟୁରୋ): ପ୍ରଶ୍ନ ଶୁଣୁ ଶୁଣୁ ହସି ଉଠିଲେ ନବୀନ । କହିଲେ ଏସବୁ ବିଲ୍କୁଲ୍ ବକୱାସ୍ ।
‘ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ । ମୋଦି ଯାହା କହୁଛନ୍ତି ସେଥିରେ ନବୀନ ହଁ ମାରୁଛନ୍ତି । ମୋଦିଙ୍କ ପାର୍ଟନର ହେଉଛନ୍ତି ନବୀନ ।’
ଓଡ଼ିଶା ଗସ୍ତ ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମାବେଶରେ ଏମିତି ଅଭିଯୋଗ କରିଥିଲେ । କଣ କହିବେ…? ସାମ୍ବାଦିକମାନଙ୍କ ଏମିତି ପ୍ରଶ୍ନ ଶୁଣି ହସି ହସି ଏମିତି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏକଦମ ବେପରୁଆ ଢଙ୍ଗରେ ନବୀନ ଏ ପ୍ରଶ୍ନକୁ ହସି ହସି ଉଡ଼ାଇ ଦେଇଥିଲେ । ଆଦୌ ସିରିୟସ୍ ହୋଇନଥିଲେ ।
ଉଲ୍ଳେଖଯୋଗ୍ୟ, ଗତ ୨୫ରେ ରାହୁଲ ଓଡିଶା ଗସ୍ତରେ ଆସିଥିଲା ବେଳେ ମୋଦି-ନବୀନ ଭିତିରି ବୁଝାମଣା ଥିବା ନେଇ ରାହୁଲ ଆକ୍ଷେପ କରିଥିଲେ । ମୋଦିଙ୍କୁ ଟାର୍ଗେଟ କରି ସେ କହିଲେ, ଚୌକିଦାର ଚୋରି କରିଛନ୍ତି । ହେଲେ ଓଡ଼ିଶାରେ ବି ବହୁ ଚୋରି ହେଲାଣି । ଏଠି ଚିଟ୍ଫଣ୍ଡ ଦୁର୍ନୀତିରେ ରାଜ୍ୟ ସରକାରଙ୍କ ସଂପୃକ୍ତି ରହିଛି । ଚିଟ୍ଫଣ୍ଡ ଦୁର୍ନୀତି ଯୋଗୁ ଓଡ଼ିଶାର ରିମୋଟ୍ ଭ୍ରଷ୍ଟ ଚୌକିଦାରଙ୍କ ହାତରେ ରହିଛି । ମୋଦି ଯେମିତି ବଟନ୍ ଟିପୁଛନ୍ତି, ନବୀନ ସେମିତି ପରିଚାଳିତ ହେଉଛନ୍ତି । ସଂସଦରେ ବିଲ୍ ପାସ୍ ହେଉ କି ନୋଟ୍ ବନ୍ଦୀ କିମ୍ବା ଜିଏସ୍ଟି ପ୍ରସଙ୍ଗ, ମୋଦିଙ୍କ ସବୁ ନିଷ୍ପତ୍ତିରେ ନବୀନ ହଁ ମାରୁଛନ୍ତି । କାରଣ ତାଙ୍କ ରିମୋଟ୍ ମୋଦିଙ୍କ ହାତରେ । ଦିଲ୍ଲୀର ମୋଦି ସରକାର ଏବଂ ଓଡ଼ିଶାର ନବୀନ ସରକାରଙ୍କ ଚିନ୍ତାଧାରା ବି ସମାନ । ଉଭୟ ସରକାର ୧୦/୧୫ଜଣ ଶିଳ୍ପପତିଙ୍କ ବିକାଶ ପାଇଁ ବ୍ୟଗ୍ର । ଆଉ ନବୀନ କେନ୍ଦ୍ରଠାରୁ ଓଡ଼ିଶାର ହକ୍ ମାଗିପାରୁନାହାନ୍ତି ।
ଅବଶ୍ୟ ରାହୁଲଙ୍କ ଏଭଳି ଅଭିଯୋଗକୁ ସେହିଦିନ ବିଜେଡି ଖଣ୍ଡନ କରିଥିଲା । ଦଳ ଦର୍ଶାଇଥିଲା, ବିଜୁ ଜନତା ଦଳର ବିଜେପି କିମ୍ବା କୌଣସି ଦଳ ସଂପର୍କ କିମ୍ବା ମେଣ୍ଟ ନାହିଁ । କେବଳ ଓଡ଼ିଶାବାସୀଙ୍କ ସହ ବିଜେଡିର ମେଣ୍ଟ ରହିଛି । ରାଜ୍ୟର ବିକାଶ ସହ ରାଜ୍ୟବାସୀଙ୍କ ସୁଖଶାନ୍ତି ହିଁ ଆମର ଏକମାତ୍ର ଏଜେଣ୍ଡା । ରାହୁଲ ଗାନ୍ଧିଙ୍କ ଆକଳନ ଓ ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଅମୂଳକ । ଆଜି ଦିଲ୍ଲୀରେ ଗଣମାଧ୍ୟମ ପ୍ରଶ୍ନରେ ନବୀନ ମଧ୍ୟ ରାହୁଲଙ୍କ ଅଭିଯୋଗକୁ ବାଏଁ ବାଏଁ ହସରେ ଉଡ଼ାଇ ଦେଇଛନ୍ତି ।
ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିପ୍ପଣୀର ଜବାବ ମଧ୍ୟ ରଖିଥିଲେ ନବୀନ । ମୋଦିଙ୍କ ଲୋକପ୍ରିୟତାରେ ନବୀନ ଭୟଭୀତ । ଜାତୀୟ ଗଣମାଧ୍ୟମରେ ଧର୍ମେନ୍ଦ୍ର ରଖିଥିବା ଏମିତି ମନ୍ତବ୍ୟର ଉତ୍ତରରେ ନବୀନ କହିଲେ, ଏହା ଅବାନ୍ତର ଓ ଅସତ୍ୟ । ତାଙ୍କ ଭଉଣୀ ଗୀତା ମେହେଟ୍ଟା ‘ପଦ୍ମଶ୍ରୀ’ ପ୍ରତ୍ୟାଖ୍ୟାନ କରିବା ନେଇ ମୁଖ୍ୟମନ୍ତ୍ରୀ କହିଲେ, ଏହା ମୋ ଭଉଣୀଙ୍କ ନିଜସ୍ୱ ନିଷ୍ପତ୍ତି । ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ତାଙ୍କର ରହିଛି । ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ ବୋଲି ଭାରତ ସରକାର ବିଜ୍ଞପ୍ତି ଜାରି କରିଥିଲେ । ମାତ୍ର ନ୍ୟୁୟର୍କରୁ ଗୀତା ଏକ ପ୍ରେସ୍ ବିବୃତି ଜାରି କରି ଦର୍ଶାଇଲେ, ଭାରତ ସରକାର ମୋତେ ଏ ସମ୍ମାନ ପାଇଁ ଯୋଗ୍ୟ ମନେ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । କିନ୍ତୁ ବର୍ତ୍ତମାନର ସମୟକୁ ଦୃଷ୍ଟିରେ ରଖି ମୁଁ ଏ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିବାକୁ ବାଧ୍ୟ ହେଉଛି । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ଏଭଳି ସମ୍ମାନଜନକ ସମ୍ମାନ ଗ୍ରହଣ କଲେ ଭିନ୍ନ ଅର୍ଥ ବାହାରିପାରେ । ହୁଏତ ଏହା ଉଭୟ ଭାରତ ସରକାର ଓ ମୋ ପାଇଁ ଲଜ୍ଜାଜନକ ପରସ୍ଥିତି ଆଣିପାରେ ।
ଗୀତାଙ୍କ ପଦ୍ମଶ୍ରୀ ପ୍ରତ୍ୟାଖ୍ୟାନକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଥିଲା । ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହାକୁ ପ୍ରସଙ୍ଗ କରିଥିଲେ ।