କେନ୍ଦ୍ର ଅବହେଳା ଆଉ ବରଦାସ୍ତ ଯୋଗ୍ୟ ନୁହେଁ: ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା,୨୪ା୧(ଆପ୍ର): କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ଓଡ଼ିଶା ପ୍ରତି ଅବହେଳା କରି ଚାଲିଛନ୍ତି । କୋଇଲା ରୟାଲ୍ଟି ରିଭିଜନ ଲାଗି ୨୦୧୫ ମସିହାରୁ ଦାବି କରାଯାଉଛି । ମାତ୍ର ତାହା ବୃଦ୍ଧି କରା ନ ଯିବାରୁ ଓଡ଼ିଶା ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି । ଏହି କ୍ଷତି ଭରଣା କରିବ କିଏ? ଆମେ କ’ଣ କେବଳ କୋଇଲା ଜନିତ ପ୍ରଦୂଷଣର ଶିକାର ହେବା? ଚାହିଁଲେ ମାତ୍ର ୫ ମିନିଟରେ ନିଷ୍ପତ୍ତି ହେବ । ମାତ୍ର ୨୦୧୫ରୁ ଏଯାଏଁ କରା ନ ଯିବା ରାଜ୍ୟ ସ୍ୱାର୍ଥର ପରିପନ୍ଥୀ । କେନ୍ଦ୍ରର ଏ ଅବହେଳା ଆଉ ବରଦାସ୍ତଯୋଗ୍ୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡ଼ା ଠାରେ କହି ନିର୍ବାଚନୀ ବିଗୁଲ ବଜାଇଛନ୍ତି ।
ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଝାରସୁଗୁଡ଼ା ଅମଲିପାଲି ପଡ଼ିଆ ଠାରେ ଆୟୋଜିତ ବିକାଶ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ତାଙ୍କର ଶାସନ କାଳରେ ଗତ ୧୮ ବର୍ଷରେ ଝାରସୁଗୁଡ଼ାରେ ଅନେକ ବିକାଶ ସାଧିତ ହୋଇଛି । ଝାରସୁଗୁଡ଼ାର ଚିତ୍ର ବଦଳିଛି । ଆଗକୁ ସମସ୍ତଙ୍କ ସହଯୋଗରେ ଝାରସୁଗୁଡ଼ା ଆହୁରି ବିକାଶ ଲାଭ କରିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ଜାତୀୟ ରାଜପଥ ଗୁଡ଼ିକର ଅବସ୍ଥା କଥା ଲୋକେ ଭଲରେ ଜାଣନ୍ତି । ବିଜୁ ଏକ୍ସପ୍ରେସ ୱେ ଝାରସୁଗୁଡ଼ା ଦେଇ ଯାଇଛି । ଜାତୀୟ ରାଜପଥ-୨୦୦ ମଧ୍ୟ ଝାରସୁଗୁଡ଼ା ଦେଇ ଯାଇଛି । ହେଲେ ଲୋକେ କେଉଁ ରାସ୍ତାକୁ ପସନ୍ଦ କରିବେ ବୋଲି ପ୍ରଶ୍ନ କରିଥିଲେ । ସେହିପରି ଝାରସୁଗୁଡ଼ାରେ କିଛି ଦିନ ତଳେ ବିମାନବନ୍ଦର ଉଦଘାଟିତ ହେଲା । କିନ୍ତୁ ବିମାନବନ୍ଦର ଏବେ ଖାଲି । ବିମାନ ଉଡ଼ିଲା ନାହିଁ । ରାଜ୍ୟ ସରକାର ବିମାନ ଚଳାଚଳ ନେଇ ପାଣ୍ଠି ଦେବାକୁ କହିବା ପରେ ବି କେନ୍ଦ୍ର ବିମାନ ଚଳାଚଳ ପାଇଁ ପଦକ୍ଷେପ ନେଲା ନାହିଁ ବୋଲି ନବୀନ ଉଲ୍ଲେଖ କରିଥିଲେ । ଏହି ଅବସରରେ ଜିଲ୍ଲା ପାଇଁ ପ୍ରାୟ ୬୩୫.୩୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ ।
କିଛି ଦିନ ତଳେ କଂଗ୍ରେସ ଦଳ ତ୍ୟାଗ କରିଥିବା ଝାରସୁଗୁଡ଼ା ବିଧାୟକ ନବ ଦାସ ଆଜି ସମର୍ଥକଙ୍କ ସହ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେବା ସହ ତାଙ୍କ ସହଯୋଗୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପଟେଲଙ୍କ ସମେତ ୫ଟି ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ କଂଗ୍ରେସର ଟାଣୁଆ ନେତା ଓ ସଂଗଠକ ବିଜେଡିରେ ମିଶିଥିଲେ । ନବୀନ ବାବୁ ଏବଂ କିଶୋର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ନିଜ ସମ୍ବୋଧନରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା ଏବଂ ନବୀନ ବାବୁଙ୍କ ସଫଳ ନେତୃତ୍ୱରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପ୍ରସଙ୍ଗ ଉଠାଇଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା ସଭାପତି କିଶୋର ମହାନ୍ତି ଅଧ୍ୟକ୍ଷତା କରି ଝାରସୁଗୁଡ଼ାର ବିକାଶ କେବଳ ନବୀନ ବାବୁଙ୍କ ସଦିଚ୍ଛାରୁ ସମ୍ଭବ ହୋଇଛି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଡ. ପ୍ରଭାସ ସିଂ, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ବିଧାୟକ ମଙ୍ଗଳା କିଶାନ, ପୂର୍ବତନ ସାଂସଦ ରବି ପାଣି, ପୂର୍ବତନ ବିଧାୟକ ଅନୁପ ସାଏ ପ୍ରମୁଖ ଉଦବୋଧନ ଦେଇଥିଲେ । ବିଧାୟକ ପ୍ରଣବ ପ୍ରକାଶ ଦାସ, ଦେବାଶିଷ ସାମନ୍ତରାୟ, ବିଶାଳ ଦାସ, ତ୍ରିନାଥ ଗୁଆଲ, ଜଗନ୍ନାଥ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦର ଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିବା ସହ ଅପରାହ୍ନ ପ୍ରାୟ ୨ଟାରେ ବଲାଙ୍ଗୀର ବାହାରିଥିଲେ ।