ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେଲା ଶପଥ ଗ୍ରହଣ ଉତ୍ସବ; ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ

ଭୁବନେଶ୍ବର ୨୯|୫: ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ । ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ୫ମ ଥର ପାଇଁ ଶପଥ ନେବାବେଳେ ଉତ୍ସବ ସ୍ଥଳରେ ଉପସ୍ଥିତ ମହିଳା ମାନେ ହୁଳହୁଳି ଧ୍ବନି ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେହିଭଳି ମଞ୍ଚ ତଳେ ବସିଥିବା ନବୀନଙ୍କ ବଡ ଭଉଣୀ ଗୀତା ମେହଟା ଏବଂ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ଅନ୍ୟ ଅତିଥି ମାନେ ତାଳି ମାରି ଅଭିନନ୍ଦନ ଜଣାଇଥିଲେ ।ନବୀନ ଶପଥ ଗ୍ରହଣ କରିବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ନାଁ ଘୋଷଣା କରି ଶପଥ ପାଠ ପାଇଁ ଆମନ୍ତ୍ରଣ କରିଥିଲେ ।
ନବୀନଙ୍କ ପରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଇଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।
କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ରାଜ୍ୟପାଳ ପ୍ରଥମେ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଶପଥ ପାଠ କରାଇଲେ। ତା’ପରେ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ସୁଶାନ୍ତ ସିଂ ଏବଂ ନବକିଶୋର ଦାସଙ୍କୁ ପାହ୍ୟା ମନ୍ତ୍ରୀ ଭାବେ ରାଜ୍ୟପାଳ ଶପଥ ପାଠ କରଇଛନ୍ତି। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଇଂରାଜି ଓ ସୁଦାମ ମାରାଣ୍ଡି ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି।
ରାଷ୍ଟ୍ରମନ୍ତ୍ରୀ ଭାବେ ରାଜ୍ୟପାଳ ପ୍ରଥମେ ପଦ୍ମିନୀ ଦିଆନ୍ଙ୍କୁ ଶପଥ ପାଠ କରାଇଲେ। ତା’ପରେ ଅଶୋକ ପଣ୍ଡା, ସମୀର ରଞ୍ଜନ ଦାଶ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା ଏବଂ ଜଗନ୍ନାଥ ସାରକାଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ରାଜ୍ୟପାଳ ଶପଥ ପାଠ କରାଇଲେ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେ ଓ ତାଙ୍କ ଟିମ୍ ଲୋକମାନଙ୍କ ଆଶାଆକାଙ୍କ୍ଷା ପୂରଣ କରିବେ। ଓଡ଼ିଶାର ପ୍ରଗତି ନିମନ୍ତେ କେନ୍ଦ୍ରର ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଁ ପ୍ରତିଶ୍ରୁତି ଦେଉଛି।