ଭୋଟ୍ ଭିଡ଼ିଲା ନବୀନଙ୍କ ‘ମହିଳା କାର୍ଡ’

ଭୁବନେଶ୍ୱର,୨୩ ।୫(ବ୍ୟୁରୋ): ମହିଳାଙ୍କୁ ଖୁସି କରିବାର ବିଜେଡି ଫର୍ମୁଲା କାମ ଦେଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ଋଣଠୁ ଆରମ୍ଭ କରି ମହିଳାଙ୍କୁ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ । ଏ ସବୁ ମହିଳା ମହିଳା କଲ୍ୟାଣ ଯୋଜନା କରି ନବୀନ ଖେଳିଥିଲେ ‘ମହିଳା କାର୍ଡ’ । ନବୀନଙ୍କ ଏ ଫର୍ମୁୁଲା ବେଶ୍ କାଟୁ କରିଥିଲା । ରାଜ୍ୟର ହାଣ୍ଡିଶାଳ ଭୋଟ୍ ବିଜେଡି କ୍ୟାମ୍ପ ସହ ଯୋଡି ହୋଇଗଲା ।
ନବୀନ ମହିଳା ଭୋଟ୍ ହାତେଇବାକୁ ବେଶ୍ ଆଗରୁ ଟାର୍ଗେଟ କରିଥିଲେ । ଏ ନେଇ ସରକାର ଅନେକ ଯୋଜନା କରିବା ସହ ଆଗକୁ ମହିଳାଙ୍କ ଲାଗି ନୂଆ ଯୋଜନା କରିବାକୁ ଇସ୍ତାହାରରେ ଘୋଷଣା ମଧ୍ୟ କରିଥିଲେ । ଏମିତିକି ଭୋଟ୍ ପୂର୍ବରୁ ସାରାରାଜ୍ୟ ବୁଲି ନବୀନ ମିଶନ ଶକ୍ତି ସମାବେଶ ଜରିଆରେ ଭୋଟ୍ ହାତେଇବାକୁ ପୁରା ଦମ୍ ଲଗାଇ ଦେଇଥିଲେ । ମହିଳା ସ୍ୱୟଂ ସହାୟକଙ୍କ ଗୋଷ୍ଠୀର ପ୍ରତ୍ୟେକ ଗ୍ରୁପକୁ ୧୫ ହଜାର ଟଙ୍କାର ସିଡ୍ ମନି ଦେଇଛନ୍ତି । ଏସ୍ଏଚଜି ଗ୍ରୁପର ମହିଳାକୁ ମୋବାଇଲ କିଣିବାକୁ ୩ ହଜାର ଟଙ୍କା ଦେଇଛନ୍ତି । ବ୍ଲକସ୍ତରୀୟ ଏସ୍ଏଚଜି ସଂଘକୁ ୨୫ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ମଧ୍ୟ ଦେଇଛନ୍ତି । ତେବେ ନିର୍ବାଚନରେ ସବୁଠୁ ବଡ଼ ଚାଲ୍ ଚଳାଇଥିଲେ ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମିଳା ବିଶୋୟୀଙ୍କୁ ଆସ୍କା ଲୋକସଭା ଆସନରୁ ଟିକେଟ୍ ଦେଇ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସ୍ୱର ପ୍ରମିଳା ସଂସଦରେ ପହଞ୍ଚାଇବେ ବୋଲି ନବୀନ ପ୍ରଚାର ସମୟରେ କହି ବୁଲିଥିଲେ । ନବୀନଙ୍କ ଏ ଗୋଟିଚାଳନା ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଭୋଟ୍ରଙ୍କୁ ପ୍ରଭାବିତ କରିଥିଲା ।
ନବୀନ କାଳିଆ ଯୋଜନାରେ ମହିଳା ଚାଷୀଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ଦେଇଛନ୍ତି । ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)ରେ ମଧ୍ୟ ପରିବାରର ମହିଳା ସଦସ୍ୟଙ୍କ ଲାଗି ଚିକିତ୍ସା ସହାୟତା ୭ ଲକ୍ଷ ଟଙ୍କା କରିଛନ୍ତି । ସରକାରକୁ ଆସିଲେ ବିଜେଡି ଚିକିତ୍ସା ସହାୟତା ୧୦ ଲକ୍ଷ ଟଙ୍କା କରିବାକୁ ମଧ୍ୟ ଏଥର ଇସ୍ତାହାରରେ ଘୋଷଣା କରିଛନ୍ତି । ନବୀନ ସଂସଦରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ବିଧାନସଭାରେ ପ୍ରସ୍ତାବ ପାରିତ କରାଇଥିଲେ । ଏ ନେଇ ଜାତୀୟ ଦଳର ସମର୍ଥନ ମଧ୍ୟ ଲୋଡିଥିଲେ ।
ଏସ୍ଏଚ୍ଜି ଗ୍ରୁପ ସହ ମହିଳା ଅଙ୍ଗନବାଡି କର୍ମୀ ଓ ଆଶା ଦିଦିଙ୍କ ଦରମା ବଢାଇଥିଲେ ନବୀନ । ଏ ସବୁ ବିଜେଡିକୁ ଭୋଟ୍ ଗୋଟାଇବାରେ ଅନେକ ମାତ୍ରାରେ ସହାୟକ ହୋଇଛି ।