ନୂଆଦିଲ୍ଲୀ ୦୨/୦୪: ଭାରତୀୟ ନୌସେନାର ଜଣେ କ୍ୟାପ୍ଟେନ୍ ନିଜ ଜୀବନର ଏଭଳି ଅନୁଭବ ଶେୟାର କରିଛନ୍ତି, ଯାହାକୁ ଶୁଣିଲେ ଯେ କେହି ଚକିତ ହେବ । ଆମେରିକା-ଇସ୍ରାଏଲର ଇରାନ ଉପରେ ଆକ୍ରମଣ ଯୋଗୁ ହୋର୍ମୁଜରେ ସ୍ଥିତି ସେତେବେଳେ ଅତ୍ୟନ୍ତ ଚିନ୍ତାପୂର୍ଣ୍ଣ ଥିଲା । ଏହି ସମୟରେ ଭାରତୀୟ ନାବିକମାନଙ୍କର ଏକ ଟିମ୍ ସମୁଦ୍ର ମଝିରେ ଜାହାଜରେ ଫସି ରହିଥିଲେ । ପ୍ରାୟ ୮୦ ଦିନ ଧରି ଭୟ, ଅନିଶ୍ଚିତତା ଓ ବିପଦର ଆଶଙ୍କାରେ ଜୀବନ ବତାଇଥିଲେ ।

ଜାହାଜରେ ଫସିଥିବା ଭାରତୀୟ ନୌସେନାର କ୍ୟାପ୍ଟେନ୍ କହିଛନ୍ତି, ସେ ଓ ତାଙ୍କ ସହିତ ଥିବା ମୋଟ୍ ୫ ଜଣ ୮୦ ଦିନ ଜାହାଜରେ ଫସି ରହିଥିଲେ । ସେହି ସମୟ ସେମାନଙ୍କ ଲାଗି ଅତ୍ୟନ୍ତ କଠିନ ଓ ଭୟଙ୍କର ଥିଲା । ସେମାନଙ୍କ ସହିତ କ’ଣ ହେଉଛି, ତାହା ମଧ୍ୟ ଜାଣିପାରୁନଥିଲେ । ପ୍ରତି ମୁହୂର୍ତ୍ତରେ ନୂଆ ଚିନ୍ତା ଓ ଭୟର ସମ୍ମୁଖୀନ ହେଉଥିଲେ । ବାହ୍ୟ ଜଗତ ସହ ସେମାନଙ୍କ ସମ୍ପର୍କ ସୀମିତ ଥିଲା । ଲମ୍ବା ପ୍ରତୀକ୍ଷା ପରେ ସେମାନଙ୍କୁ ସେଠାରୁ ଯିବାର ଅନୁମତି ମିଳିଲା । ଏହା ପରେ ନୌସେନା ଟିମ୍ ଜାହାଜକୁ ସୁରକ୍ଷିତ ବାହାର କରିବାକୁ ତୁରନ୍ତ ଯୋଜନା କଲେ । କିନ୍ତୁ ଜାହାଜର ଅନେକ ଜରୁରି ଉପକରଣ ଖରାପ ହୋଇଯାଇଥିଲା । ଜିପିଏସ୍ କାମ କରୁନଥିଲା । ରାଡାର ବନ୍ଦ ଥିଲା ଏବଂ ନାଭିଗେସନ୍ ଚାର୍ଟ ଉପଲବ୍ଧ ନ ଥିଲା । ଏ ସମସ୍ତ ଉପକରଣ ବିନା ସମୁଦ୍ରରେ ଜାହାଜ ଚଳାଇବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥାଏ ।

କୌଣସି ପ୍ରକାର ଜାହାଜ ଚଳାଇଲେ ମଧ୍ୟ ତାହା ଏକ ପ୍ରକାର ନିୟମ ବିରୁଦ୍ଧ (ଅପରାଧ) ମନେକରାଯାଏ । ଅର୍ଥାତ୍ ସେମାନଙ୍କ ପାଖରେ ଦୁଇଟି ରାସ୍ତା ଥିଲାସେହିଠାରେ ଫସି ରହିବେ ନା ବିପଦକୁ ଖାତିର ନ କରି ଜାହାଜକୁ ଆଗକୁ ବଢ଼ାଇବେ । ଇତିମଧ୍ୟରେ ସ୍ଥିତି ଆହୁରି ବିଗିଡ଼ିଲା । ହଠାତ୍ ଆଖପାଖ ଅଞ୍ଚଳରେ ଯୁଦ୍ଧ ଭଳି ସ୍ଥିତି ଉତ୍ପନ୍ନ ହେଲା । କ୍ୟାପ୍ଟେନ୍ କହିଛନ୍ତି, ଆକାଶରୁ କିଛି ଖସିବାର ଶବ୍ଦ ଆସିଲା । ତା’ପରେ ଚତୁର୍ଦ୍ଦିଗରୁ ବିସ୍ଫୋରଣର ଶବ୍ଦ ଶୁଣାଗଲା । ଇତିମଧ୍ୟରେ କିଏ କହିଲା, ଆମେରିକା ଆକ୍ରମଣ କରିଛି । ଆଉ କିଏ କହିଲା, ଇସ୍ରାଏଲ ଆକ୍ରମଣ କରିଛି । କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଗଲା ଯେ ଆଖପାଖ ଅଞ୍ଚଳରେ ବାସ୍ତବରେ ଆକ୍ରମଣ ହେଉଛି ଏବଂ ସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହି ସମୟରେ କ୍ୟାପ୍ଟେନ୍‌ଙ୍କ ପାଇଁ ସବୁଠୁ ବଡ଼ ପ୍ରଶ୍ନ ଥିଲା- ଜାହାଜରେ ରହିବା ସୁରକ୍ଷିତ ନା ଭୂପୃଷ୍ଠକୁ ଯିବା? ଭୂପୃଷ୍ଠରେ ଲଗାତାର ମିସାଇଲ ମାଡ଼ ହେଉଥିଲା । ସମୁଦ୍ରରେ ମଧ୍ୟ ଜାହାଜଗୁଡ଼ିକ ଉପରେ ଆକ୍ରମଣ ହେଉଥିଲା ।

ଏଭଳି ଭୟଙ୍କର ସ୍ଥିତିରେ କ୍ୟାପ୍ଟେନ୍ ତେହେରାନରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ସମ୍ପର୍କ କଲେ । ସାହାଯ୍ୟ ମାଗି କହିଲେ ଯେ ଆମେ ୫ ଜଣ ଜାହାଜରେ ଫସିଛୁ । ଆମ ପାଖରେ କିଛି ନାହିଁ । ଜାହାଜରେ ଅନେକ ସମସ୍ୟା ଅଛି । ନିଆଁ ଲାଗିଲେ, ଲିଭାଇବାର କୌଣସି ସାଧନ ମଧ୍ୟ ନାହିଁ । କିନ୍ତୁ ସେତେବେଳେ ସ୍ଥିତି ଏତେ ଖରାପ ଥିଲା ଯେ ତୁରନ୍ତ କୌଣସି ସୁରକ୍ଷିତ ଠିକଣା ଉପଲବ୍ଧ ନ ଥିଲା । ପର ଦିନ ସ୍ଥିତି ଆହୁରି ବିଗିଡ଼ିଗଲା । ଲଗାତାର ଆକ୍ରମଣ ହେଲା । ଅନେକ ଜାହାଜକୁ ଟାର୍ଗେଟ୍ କରାଗଲା । ଏହି ଭୟ ଭାରତୀୟ ନାବିକଙ୍କୁ ଭିତରୁ ଦୋହଲାଇ ଦେଲା । ସ୍ଥିତି ଆହୁରି ଗମ୍ଭୀର ହେବାରୁ କ୍ୟାପ୍ଟେନ୍ ପୁଣି ସାହାଯ୍ୟ ଲାଗି ଦୂତାବାସକୁ ସମ୍ପର୍କ କଲେ । ଏଥର ସେମାନଙ୍କୁ ତୁରନ୍ତ ସେଠାରୁ ବାହାରିବାକୁ ଅପିଲ କଲେ । ଅନେକ ପ୍ରୟାସ ପରେ ଶେଷରେ ସେମାନଙ୍କୁ ସୁରକ୍ଷିତ ବାହାର କରାଗଲା ।

ଆହୁରି ପଢ଼ନ୍ତୁ...ହୋର୍ମୁଜ ଖୋଲିବାକୁ ଆମେରିକାକୁ ସାହାଯ୍ୟ କରିବ ୟୁଏଇ, ଜାତିସଂଘରେ ସିକ୍ୟୁରିଟି ଫୋର୍ସ ଗଠନ ଲାଗି ମାଗିପାରେ ଅନୁମତି