ନୂଆଦିଲ୍ଲୀ, ୬।୪: ୨୦୧୧ରେ ପାକିସ୍ତାନର ଆବୋଟାବାଦରେ ପଶି ଓସାମା ବିନ୍ ଲାଦେନକୁ ନିପାତ କରିଥିବା ଆମେରିକାର ସେହି ଘାତକ ବାହିନୀ 'ନେଭି ସିଲ୍ ଟିମ୍-୬' ପୁଣି ଥରେ ଚର୍ଚ୍ଚାରେ । ଏଥର ଶତ୍ରୁ ଦେଶ ଇରାନର ୩୦୦ କିଲୋମିଟର ଭିତରକୁ ପଶି ଜଣେ ଆମେରିକୀୟ ପାଇଲଟଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରି ବିଶ୍ୱକୁ ଚକିତ କରିଦେଇଛି ଆମେରିକା । ୨୦୨୬ର ଏହି ମିଶନକୁ ଆମେରିକୀୟ ସାମରିକ ଇତିହାସର ସବୁଠାରୁ ଜଟିଳ ରେସ୍କ୍ୟୁ ଅପରେସନ୍ ଭାବେ ଗଣନା କରାଯାଉଛି ।
୭୦୦୦ ଫୁଟ୍ ଉଚ୍ଚ ପାହାଡ଼ରେ ଲୁଚିଥିଲେ ପାଇଲଟ୍:
ଗତ ଏପ୍ରିଲ ୩ ତାରିଖରେ ଇରାନ ପକ୍ଷରୁ ଆମେରିକାର ଏକ F-15E ଷ୍ଟ୍ରାଇକ୍ ଇଗଲ୍ ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଥିଲା । ଏଥିରେ ଥିବା ୱେପନ୍ସ ସିଷ୍ଟମ ଅଫିସର (WSO) ଇରାନର ଦୁର୍ଗମ ଜୈଗ୍ରୋସ୍ ପାହାଡ଼ ମଧ୍ୟରେ ପାରାସୁଟ୍ ସାହାଯ୍ୟରେ ଓହ୍ଲାଇଥିଲେ । ଯେତେବେଳେ ଇରାନୀ ଟିଭି ପକ୍ଷରୁ ପାଇଲଟଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା କରାଗଲା, ସେତେବେଳେ ସେ ଜଖମ ଅବସ୍ଥାରେ ୭୦୦୦ ଫୁଟ୍ ଉଚ୍ଚତାରେ ଏକ ପାହାଡ଼ ଫାଟରେ ଲୁଚି ରହିଥିଲେ । ତାଙ୍କ ପାଖରେ କେବଳ ଗୋଟିଏ ପିସ୍ତଲ ଏବଂ ଏକ ଏନକ୍ରିପ୍ଟେଡ୍ ବିକନ୍ (ସଙ୍କେତ ଯନ୍ତ୍ର) ଥିଲା । ୨୦୧୧ର ଲାଦେନ ମିଶନ ଯଦି ଏକ 'ସର୍ଜିକାଲ୍ ଷ୍ଟ୍ରାଇକ୍' ଥିଲା, ତେବେ ୨୦୨୬ର ଏହି ରେସ୍କ୍ୟୁ ମିଶନ ଏକ 'ହାତୁଡ଼ି' ଭଳି ଥିଲା । ଲାଡେନ ମିଶନରେ ମାତ୍ର ୨୪ ଜଣ ସିଲ୍ ଓ ୨ଟି ହେଲିକପ୍ଟର ବ୍ୟବହାର ହୋଇଥିବା ବେଳେ, ଏହି ଜଣେ ପାଇଲଟଙ୍କୁ ବଞ୍ଚାଇବା ପାଇଁ ଆମେରିକା ପୂରା ବାୟୁସେନା ବେଡ଼ାକୁ ଓହ୍ଲାଇ ଦେଇଥିଲା । ଏଥିରେ ଶତାଧିକ ସ୍ପେଶାଲ ଫୋର୍ସ କମାଣ୍ଡୋ, ଦଶନ୍ଧିରୁ ଅଧିକ ଯୁଦ୍ଧ ବିମାନ ଏବଂ ଅତ୍ୟାଧୁନିକ ସାଇବର ଇଣ୍ଟେଲିଜେନ୍ସର ସାହାଯ୍ୟ ନିଆଯାଇଥିଲା ।
ଏହା ବି ପଢ଼ନ୍ତୁ... ମଙ୍ଗଳବାର କ'ଣ ଘଟିବ ? ଇରାନକୁ ଧ୍ୱଂସ କରିବାକୁ ଟ୍ରମ୍ପ ସ୍ଥିର କଲେ ନୂଆ ଡେଡ୍ଲାଇନ୍
ଇରାନୀ ସେନାକୁ ଭ୍ରମିତ କରିବା ପାଇଁ CIA ଏକ 'ଫ୍ରଡ୍ ଅପରେସନ୍' ଚଳାଇଥିଲା, ଯାହାଦ୍ୱାରା ଇରାନୀ ଟିମ୍ ଅନ୍ୟ ଦିଗରେ ଖୋଜାଖୋଜି କରିଥିଲେ । ଉଦ୍ଧାରକାରୀ ଦଳ ଇରାନର ଇସଫାହାନ ସହରଠାରୁ ମାତ୍ର ୫୦ କିମି ଦୂରରେ ଏକ ନିଛାଟିଆ ବିମାନ ପଟିକୁ ନିଜର ବେସ୍ କରିଥିଲେ । ସେଠାରେ ଦୁଇଟି MC-130J ଟ୍ରାନ୍ସପୋର୍ଟ ବିମାନ ଏବଂ ନାଇଟ୍ ଷ୍ଟକର୍ AH-6 ଲିଟିଲ୍ ବର୍ଡ ହେଲିକପ୍ଟର ମୁତୟନ କରାଯାଇଥିଲା । ମିଶନ ସମୟରେ ଦୁଇଟି ଟ୍ରାନ୍ସପୋର୍ଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଶତ୍ରୁ ପକ୍ଷ ହାତରେ ଯେପରି କୌଣସି ସିକ୍ରେଟ୍ ଟେକ୍ନୋଲୋଜି ନଲାଗେ, ସେଥିପାଇଁ କମାଣ୍ଡୋମାନେ ନିଜର ବିମାନକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ । ପ୍ରବଳ ଗୁଳି ବିନିମୟ ମଧ୍ୟରେ ଆଉ ତିନୋଟି ଟ୍ରାନ୍ସପୋର୍ଟ ବିମାନ ସେଠାରେ ପହଞ୍ଚିଥିଲେ । ସିଲ୍ ଟିମ୍-୬ ଜଖମ ପାଇଲଟଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ବାହାରକୁ ଆଣିବାରେ ସଫଳ ହୋଇଥିଲା । ଆମେରିକାର ଏହି ଅପରେସନରେ କୌଣସି ବି ସୈନିକ ପ୍ରାଣ ହରାଇ ନଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ବର୍ତ୍ତମାନ ଉଦ୍ଧାର ହୋଇଥିବା ପାଇଲଟଙ୍କୁ ଚିକିତ୍ସା ପାଇଁ କୁଏତକୁ ପଠାଯାଇଛି । ଏହି ସଫଳ ମିଶନ ପୁଣି ଥରେ ପ୍ରମାଣ କରିଛି ଯେ, ନିଜ ସୈନିକଙ୍କୁ ସୁରକ୍ଷା ଦେବା ପାଇଁ ଆମେରିକା ଯେକୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ ।