କେନ୍ଦୁଝର, ୧୪/୦୭ : ନାରୀ ଏକ ପରିବାର ଠାରୁ ଆରମ୍ଭ କରି ଦେଶର, ଜାତିର ଓ ସଭ୍ୟତାର ମେରୁଦଣ୍ଡ । ନାରୀର ପ୍ରଗତି ହିଁ ଦେଶର ପ୍ରଭତିକୁ ସୂଚାଇ ଥାଏ । ଆଜିର ନାରୀ ଆଉ ଚାରିକାନ୍ଥ ମଧ୍ୟରେ ସୀମିତ ନାହିଁ । ଲୋକ ପ୍ରତିନିଧି ଭାବରେ ହେଉ କିମ୍ବା ପ୍ରଶାସନିକ ସ୍ତରରେ । ସବୁଠାରେ ନାରୀମାନେ ପୁରୁଷ ସହ ସମକ୍ଷମ ହୋଇ ସଫଳତାର ସହିତ କାର୍ଯ୍ୟ କରୁଛନ୍ତି । ତେଣୁ ନାରୀ ଓ ପୁରୁଷ ମଧ୍ୟରେ ପ୍ରଭେଦ ନଥିବା କୁହାଯାଉଥିବା ବେଳେ ଦିନକୁ ଦିନ କନ୍ୟା ସନ୍ତାନ ଜନ୍ମ କମିବାରେ ଲାଗିଛି । ଲିଙ୍ଗ ନିରୂପଣ କଟକଣା ସରକାର ଜାରି କରିଥିଲେ ମଧ୍ୟ ବାସ୍ତବରେ ଏହାକୁ ଅନୁପାଳନ ହେଉଥିବା ଜଣାପଡିଛି । ମୋଟାଅଙ୍କର ଅର୍ଥ କାରବାର କରି ଲିଙ୍ଗ ନିରୂପଣ କରାଯାଉଥିବା ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । କେନ୍ଦୁଝର ଜିଲ୍ଲାର ଆଦିମ ଜନଜାତି ଜୁଆଙ୍ଗ ସଂପ୍ରଦାୟରେ ପୁଅ ଅପେକ୍ଷା ଝିଅ ଅଧିକ ଜନ୍ମ ଗ୍ରହଣ କରିଛନ୍ତି । ଜୁଆଙ୍ଗ ସମ୍ପ୍ରଦାୟକୁ ଛାଡି ଦେଲେ ସାମଗ୍ରିକ ଭାବେ ଏଠାରେ ଜନ୍ମ ବେଳେ ଝିଅ କମ୍‌ ଜନ୍ମ ହେଉଛନ୍ତି । ଅର୍ଥାତ୍‌ ମୋଟ ୧୦୦୦ ପୁଅ ଜନ୍ମ ହେଉଥିବା ବେଳେ କନ୍ୟା ସନ୍ତାନ ସଂଖ୍ୟା ୯୪୬ । କେନ୍ଦୁଝର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏଭଳିସ୍ଥିତି ସମାଜ ପାଇଁ ସତର୍କ ଘଣ୍ଟି ସାଜିଛି ।

ବିବାହ ପାଇଁ ଏକ ଯୋଗ୍ୟ ଝିଅଟିଏ ଯୋଗାଡ କରିବା ଏବେ କଷ୍ଟକର ହୋଇପଡିଛି । ଆଗକୁ ଏହି ଧାରା ଜାରି ରହିଲେ ସମାଜ ପାଇଁ କ୍ଷତି ସାବ୍ୟସ୍ତ ହେବାକୁ ଯାଉଛି ବୋଲି କୁହାଯାଉଛି । ସରକାରୀ ତଥ୍ୟ ଅନୁସାରେ, ଏପ୍ରିଲ ୨୦୨୪ ମସିହାରୁ ମାର୍ଚ୍ଚ ୨୦୨୫ ମସିହା ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରେ ମୋଟ ୧୩୫୧୮ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ଜନ୍ମ ହୋଇଥିବା କନ୍ୟା ସନ୍ତାନ ସଂଖ୍ୟା ୧୨୭୮୬ । ଏହ ହିସାବରେ ପୁଅଝିଅର ଅନୁପାତ ହେଉଛି ପ୍ରତି ହଜାରେ ପୁତ୍ର ସନ୍ତାନରେ କନ୍ୟା ସନ୍ତାନଙ୍କ ସଂଖ୍ୟା ୯୪୬ । ଏପରିସ୍ଥଳେ କେନ୍ଦୁଝର ଜିଲ୍ଲାରେ ଅଲଟ୍ରା ସାଉଣ୍ଡ ସେଣ୍ଟର ମୋଟ ୩୭ଟି ପଞ୍ଜିକରଣ ହୋଇଥବା ବେଳେ ଏବେ ୨୪ଟି କାର୍ଯ୍ୟକ୍ଷମ ଅଛି । ସେଥିରୁ ୫ଟି ସରକାରୀ ଭାବେ ବ୍ୟବହାର ହେଉଥିବା ବେଳେ ୧୯ଟି ବେସରକାରୀ ଭାବେ କାର୍ଯ୍ୟକ୍ଷମ ରହିଛି ।

ଅନେକ ସମୟରେ କୁହାଯାଉଛି, ବିଭିନ୍ନ ଘରୋଇ ଅଲଟ୍ରାସାଉଣ୍ଡ ସେଣ୍ଟର ମାନଙ୍କରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିବାରୁ ଏଭଳି ପୁଅ ଏବଂ ଝିଅ ଜନ୍ମ ନେଇ ପାର୍ଥକ୍ୟ ଆସୁନାହିଁ । ଘରୋଇ ଭାବେ ଖୋଲିଥିବା ଏହି ସବୁ ଅଲଟ୍ରା ସାଉଣ୍ଡ ସେଣ୍ଟର ଅନେକ ସମୟରେ ବିପୁଳ ଅର୍ଥ ନେଇ ଏଭଳି ଲିଙ୍ଗ ନିରୂପଣ କରୁଥିବାରୁ ଅଧିକାଂଶ ସମୟରେ ଗର୍ଭପାତ କରାଯାଉଛି । ଯଦିଓ ଏହା କେନ୍ଦୁଝରର ତଥ୍ୟ, ମାତ୍ର ଗତ ବର୍ଷକର ହିସାବ ଅନୁସାରେ ରାଜ୍ୟର ଦେବଗଡ଼ ଜିଲ୍ଲାରେ ସବୁଠୁ ଅଧିକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ନୟାଗଡରେ ଏହି ଅନୁପାତ ସବୁଠୁ କମ୍‌ । ଅର୍ଥାତ୍‌ ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଦେବଗଡ ଜିଲ୍ଲାରେ ୯୩୧ ଜଣ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ଜନ୍ମ ହୋଇଥିବା କନ୍ୟା ସନ୍ତାନ ସଂଖ୍ୟା ୯୨୬ । ଅର୍ଥାତ ଦେବଗଡ଼ ଜିଲ୍ଲାରେ ପୁଅ ଝିଅ ଜନ୍ମ ଅନୁପାତରେ ପ୍ରତି ହଜାର ପୁଅରେ କନ୍ୟା ସଂଖ୍ୟା ୯୯୫ । ସେହିପରି ନୟାଗଡ ଜିଲ୍ଲାରେ ଏହି ୨୦୨୪- ୨୫ ଆର୍ଥିକ ବର୍ଷରେ ୪୬୫୬ ଜଣ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ୩୮୬୯ କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ଅର୍ଥାତ ଏହି ଜିଲ୍ଲାରେ ପ୍ରତ ହଜାରେ ପୁଅରେ ମାତ୍ର ୮୩୧ ଜଣ କନ୍ୟା ସନ୍ତାନେ ଜନ୍ମ ହୋଇଛନ୍ତି । ଯାହାକି ରାଜ୍ୟର ସବୁଠୁ କମ୍‌ ବୋଲି ସରକାରୀ ତଥ୍ୟରେ ଦର୍ଶାଯାଇଛି । 

ଆହୁରି ପଢନ୍ତୁ- Covid-19 : ସୀମାରେ କାୟା ମେଲାଉଛି କୋଭିଡ୍, ଓଡ଼ିଶାରେ ହାଇଆଲର୍ଟ, ସ୍ୱାସ୍ଥ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ

କାହିଁକି ନୀଳମାଧବ ରୂପେ ପୂଜା ପାଉଥିଲେ ଜଗନ୍ନାଥ? ​​​​​​​