ନୂଆଦିଲ୍ଲୀ ୧୯/୦୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କ ନାତି ଏବଂ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ୍ ନୱାଜ୍ଙ୍କ ପୁଅ ଜୁନୈଦ୍ ସଫଦରଙ୍କ ବିବାହ ଏବେ ଚର୍ଚ୍ଚାରେ । ଲାହୋରରେ ଦେଶର ବରିଷ୍ଠ ରାଜନେତା ଶେଖ୍ ରୋହୈଲ ଅସଗରଙ୍କ ନାତୁଣୀଙ୍କୁ ନିକଟରେ ସେ ବାହା ହୋଇଛନ୍ତି । ତେବେ ସେହି ଉତ୍ସବରେ କନ୍ୟା ଶାଞ୍ଜେ ଅଲି ରୋହୈଲ ପିନ୍ଧିଥିବା ପୋଷାକକୁ ନେଇ ସେଠାରେ ବିବାଦ ସୃଷ୍ଟି ହୋଇଛି । ସୋସିଆଲ୍ ମିଡିଆରେ ଅନେକ ୟୁଜର ଶାଞ୍ଜେଙ୍କୁ ଟ୍ରୋଲ୍ କରୁଛନ୍ତି ।
ଶୁକ୍ରବାର ମେହେନ୍ଦୀ ଉତ୍ସବ ଲାଗି ଶାଞ୍ଜେ ଅଲି ପ୍ରସିଦ୍ଧ ଭାରତୀୟ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ସବୁଜ ରଙ୍ଗର ଏକ ଲେହଙ୍ଗା ପରିଧାନ କରିଥିଲେ । ତା’ ସହିତ ମ୍ୟାଚିଂ କରି କୁନ୍ଦନ ଗହଣା ପିନ୍ଧିଥିଲେ । ଶନିବାର ଜୁନୈଦ୍ ଏବଂ ଶାଞ୍ଜେଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ସେଦିନ ସେ ଅନ୍ୟ ଜଣେ ଭାରତୀୟ ଡିଜାଇନର ତରୁଣ ତାହିଲିଆନିଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଭାରୀ ଲାଲ୍ ରଙ୍ଗର ଶାଢ଼ି ପିନ୍ଧିଥିଲେ । ତା’ ସହିତ ହୀରାର ଚୋକର ଏବଂ ବଡ଼ ପନ୍ନା ହାର ତାଙ୍କୁ ଆଭିଜାତ୍ୟପୂର୍ଣ୍ଣ ଲୁକ୍ ଦେଇଥିଲା । ସେହି ଉତ୍ସବରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ୍ ସରିଫ୍, ଉପପ୍ରଧାନମନ୍ତ୍ରୀ ଇଶାକ୍ ଡାର ପ୍ରମୁଖ ଯୋଗ ଦେଇଥିଲେ । ତେବେ ଦମ୍ପତିଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ ତାକୁ ନେଇ ବିବାଦ ସୃଷ୍ଟି ହୋଇଛି । ପୋଷାକ ଚୟନ ଲାଗି ଶାଞ୍ଜେଙ୍କୁ ପାକିସ୍ତାନୀ ସୋସିଆଲ୍ ମିଡିଆରେ ଅନେକ ଟ୍ରୋଲ କରୁଛନ୍ତି ।