ଭୁବନେଶ୍ୱର,୨୨/୦୭: ରାଷ୍ଟ୍ରୀୟ  ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ  ପରିଷଦ (ଏନ୍‌ସିଇଆର୍‌ଟି) ଦ୍ୱାରା  ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’  ବିଷୟକୁ ବାଦ୍‌ ଦିଆଯାଇନି । ଆସନ୍ତା  ସେପ୍‌ଟେମ୍ବର-ଅକ୍ଟୋବରରେ ପ୍ରକାଶିତ  ହେବାକୁ ଥିବା ପାଠ୍ୟପୁସ୍ତକର ଦ୍ୱିତୀୟ  ଖଣ୍ଡ (ସେକେଣ୍ଡ ଭଲ୍ୟୁମ୍‌)ରେ  ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନ ଓ  ସଶସ୍ତ୍ର ବିଦ୍ରୋହ ସଂପର୍କିତ ବିଷୟ  ସ୍ଥାନିତ ହେବ । ଏଥିରେ ଓଡ଼ିଶାର  ପାଇକ ବିଦ୍ରୋହ, ଖୋର୍ଦ୍ଧା ବିଦ୍ରୋହ,  ପଞ୍ଜାବର କୁକା ଆନ୍ଦୋଳନ, ଶିଖ୍‌  ବିଦ୍ରୋହକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ ଏବେ  ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଏପରି  ସ୍ପଷ୍ଟୀକରଣ ରଖିଛି ଏନ୍‌ସିଇଆର୍‌ଟି । 

ସୂଚନାଯୋଗ୍ୟ, ଏନ୍‌ସିଇଆର୍‌ଟି  ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ  ପାଠ୍ୟପୁସ୍ତକ ‘ଏକ୍ସପ୍ଲାରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ’ରେ ଦି କଲୋନିଆଲ୍‌ ଏରା ଇନ୍‌ ଇଣ୍ଡିଆ  ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ  ବାଦ୍‌ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା ।  ଏହାକୁ ନେଇ ଏକ ପ୍ରେସ୍‌ ବିଜ୍ଞପ୍ତି  ମାଧ୍ୟମରେ ଏନ୍‌ସିଇଆର୍‌ଟି କର୍ତ୍ତୃପକ୍ଷ  ସ୍ପଷ୍ଟ କରିଛନ୍ତି, ପ୍ରକାଶିତ ପାଠ୍ୟପୁସ୍ତକ  ହେଉଛି ଅଷ୍ଟମ ଶ୍ରେଣୀ ସାମାଜିକ  ବିଜ୍ଞାନର ପ୍ରଥମ ଖଣ୍ଡ (ଭଲ୍ୟୁମ୍‌-୧)  । ଏହାର ଦ୍ୱିତୀୟ ଖଣ୍ଡ ଆସନ୍ତା  ସେପ୍‌ଟେମ୍ବରରୁ ଅକ୍ଟୋବର ମାସ  ମଧ୍ୟରେ ପ୍ରକାଶିତ ହେବ । ଏହି ଦ୍ୱିତୀୟ  ଖଣ୍ଡରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଐତିହାସିକ  ଘଟଣା ଓ ଆନ୍ଦୋଳନକୁ ଛାତ୍ରଛାତ୍ରୀଙ୍କ  ପାଇଁ ଏକ ସୁସଂଗଠିତ ଢଙ୍ଗରେ  ଉପସ୍ଥାପନ କରାଯିବ । ଏଥିରେ  ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପାଇକ ବିଦ୍ରୋହ  ବିଷୟ ବିସ୍ତୃତ ଭାବେ ରହିବ । ଏହାଦ୍ୱାରା  ଛାତ୍ରଛାତ୍ରୀମାନେ ଦେଶର ସମୃଦ୍ଧ  ଐତିହାସିକ ଓ ସାଂସ୍କୃତିକ ବିବିଧତା  ସଂପର୍କରେ ଆହୁରି ଗଭୀର ଜ୍ଞାନ ଲାଭ  କରିପାରିବେ ବୋଲି ଏନ୍‌ସିଇଆର୍‌ଟି  ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି