ନୂଆଦିଲ୍ଲୀ, ୧୩।୩: ନୂଆ ଶିକ୍ଷା ବର୍ଷ ପାଇଁ ବଡ଼ ଖବର ! ଏଣିକି ନବମ ଶ୍ରେଣୀରେ ପଢ଼ାଯିବ ନୂଆ ଇଂରାଜୀ ବହି 'କାବେରୀ' । ଦୀର୍ଘ ଦୁଇ ଦଶନ୍ଧି ପରେ ପାଠ୍ୟକ୍ରମରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି NCERT । ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂତନ ଇଂରାଜୀ ପାଠ୍ୟପୁସ୍ତକ 'କାବେରୀ' ଉନ୍ମୋଚିତ ହୋଇଛି । ୨୦୨୬-୨୭ ଶିକ୍ଷା ବର୍ଷରୁ ଏହି ନୂଆ ବହି ଲାଗୁ ହେବ । ଏହା ପୂର୍ବରୁ ପ୍ରଚଳିତ ଥିବା 'ବି-ହାଇଭ୍' ଏବଂ 'ମୋମେଣ୍ଟସ୍' ବହିର ସ୍ଥାନ ନେବ । ସୂଚନାଯୋଗ୍ୟ, ପୁରୁଣା ବହିଗୁଡ଼ିକ ୨୦୦୬-୦୭ ଶିକ୍ଷା ବର୍ଷରୁ ପାଠ୍ୟକ୍ରମରେ ରହିଥିଲା । ନୂତନ ଶିକ୍ଷା ନୀତି (NCF-SE ୨୦୨୩) ଏବଂ 'ଭାରତୀୟ ଜ୍ଞାନ ପରମ୍ପରା' (IKS) କୁ ଆଧାର କରି ଏହି ପୁସ୍ତକ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ପାଠ୍ୟକ୍ରମରେ ବିଦେଶୀ ଲେଖକଙ୍କ ପ୍ରାଧାନ୍ୟ ରହୁଥିବା ବେଳେ, 'କାବେରୀ'ରେ ଭାରତୀୟ ଲେଖକ ଓ ସାହିତ୍ୟିକଙ୍କ କୃତିକୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି ।

ଏହା ବି ପଢ଼ନ୍ତୁ... ଯଦି ଠପ୍ ହୁଏ LPG ସପ୍ଲାଏ, ତେବେ ଭାରତ ପାଖରେ କଣ ବିକଳ୍ପ ? ଏହି ଜିନିଷକୁ ପ୍ରୋତ୍ସାହିତ କରୁଛନ୍ତି ସରକାର

ପୂର୍ବରୁ ଦୁଇଟି ବହି ମିଶାଇ ମୋଟ୍ ୨୯ଟି ପାଠ ରହିଥିବା ବେଳେ, ଏବେ କେବଳ ଗୋଟିଏ ବହିରେ ୧୬ଟି ପାଠ ରହିବ । ୧୬ଟି ପାଠ ମଧ୍ୟରୁ ୮ଟି ଭାରତୀୟ ଲେଖକଙ୍କ ଦ୍ୱାରା ଏବଂ ବାକି ୮ଟି ବିଦେଶୀ ଲେଖକଙ୍କ ଦ୍ୱାରା ଲିଖିତ । ସେମାନେ ହେଲେ ସୁଧା ମୂର୍ତ୍ତି, ରବୀନ୍ଦ୍ରନାଥ ଟାଗୋର, ସୁବ୍ରମଣ୍ୟ ଭାରତୀ (ତାମିଲ କବି), ଟେମସୁଲା ଆଓ (ନାଗା ଲେଖିକା) ଏବଂ ମିତ୍ରା ଫୁକନ (ଆସାମୀ ଔପନ୍ୟାସିକ) । ବହିର ପ୍ରଥମ ପାଠ ଭାବେ ସୁଧା ମୂର୍ତ୍ତିଙ୍କ ପ୍ରସିଦ୍ଧ କାହାଣୀ 'How I Taught My Grandmother to Read' କୁ ସ୍ଥାନିତ କରାଯାଇଛି । ଏହା ବ୍ୟତୀତ ପାରା-ଆଥଲେଟ୍ ଦୀପା ମଲ୍ଲିକଙ୍କ ସାକ୍ଷାତକାର ଏବଂ ଅଜ୍ଞାତ କବିଙ୍କ 'Gifts of Grace: Honouring Our Vocations' ପରି ପ୍ରେରଣାଦାୟୀ ପାଠ୍ୟ ଏଥିରେ ଅନ୍ତର୍ଭୁକ୍ତ । ଏହି ପରିବର୍ତ୍ତନ ଫଳରେ ଛାତ୍ରଛାତ୍ରୀମାନେ ବିଶ୍ୱ ସାହିତ୍ୟ ସହିତ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ବିଷୟରେ ଅଧିକ ଅବଗତ ହୋଇପାରିବେ ।