ନୂଆଦିଲ୍ଲୀ, ୨୦/୦୮ : ଏନ୍‌ସିଇଆର୍‌ଟି ପକ୍ଷରୁ ‘ଅପରେସନ ସିନ୍ଦୂର’ ଉପରେ ସ୍ୱତନ୍ତ୍ର ମଡ୍ୟୁଲ୍‌ ଜାରି କରାଯାଇଛି । ଏହା ତୃତୀୟରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ । ମଡ୍ୟୁଲ୍‌ରେ ଦର୍ଶାଯାଇଛି ଯେ ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନ ଥିଲା, ବରଂ ଶାନ୍ତି ଓ ସମ୍ମାନ ରକ୍ଷା ପାଇଁ ଏକ ପ୍ରତିଶ୍ରୁତି ବି ଥିଲା । ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପାକିସ୍ତାନ ସମ୍ପୃକ୍ତ ନ ଥିବା ଦର୍ଶାଇଥିଲା । କିନ୍ତୁ ପାକ୍‌ ସେନା ଓ ଏହାର ରାଜନୈତିକ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ହିଁ ଏହି ଆକ୍ରମଣ ହୋଇଥିଲା । ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ମାନ ରକ୍ଷା ସକାଶେ ଅପରେସନ ସିନ୍ଦୂର ଅତ୍ୟନ୍ତ ଜରୁରି ଥିଲା । ଅପରେସନର ପ୍ରାୟ ୩ ମାସ ପରେ ଏହାକୁ ଏନ୍‌ସିଇଆର୍‌ଟି ନିଜ ପାଠ୍ୟକ୍ରମରେ ‘ସପ୍ଲିମେଣ୍ଟାରି ମ୍ୟାଟେରିଆଲ୍‌’ ସ୍ୱରୂପ ସାମିଲ କରିଛି । ଏହାର ୱେବସାଇଟରେ ଏହି ମଡ୍ୟୁଲ ଉପଲବ୍ଧ ରହିଛି । ଛାତ୍ରଛାତ୍ରୀମାନେ ଏହାକୁ ଡାଉନ୍‌ଲୋଡ୍‌ କରି ପଢ଼ିପାରିବେ । 

ଏହି ସ୍ୱତନ୍ତ୍ର ମଡ୍ୟୁଲ୍‌ରେ ଆହୁରି ଦର୍ଶାଯାଇଛି ଯେ, ଅପରେସନ ସିନ୍ଦୂରରେ ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତ ସାଙ୍ଘାତିକ ମିସାଇଲ୍‌ ମାଡ଼ କରିଥିଲା । ୭ଟି ଶିବିର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍‌ ବି ହୋଇଥିଲା । ଏହି ସମୟରେ ପାକିସ୍ତାନର ସାଧାରଣ ନାଗରିକଙ୍କ ପ୍ରତି କୌଣସି କ୍ଷତି ପହଞ୍ଚା ଯାଇ ନ ଥିଲା । କେବଳ ଆତଙ୍କବାଦୀଙ୍କୁ ହିଁ ଟାର୍ଗେଟ୍‌ କରାଯାଇଥିଲା । ଏହାବ୍ୟତୀତ ପହଲଗାମ୍‌ ହମଲା ପରେ ଭାରତକୁ କିଭଳି ବିଶ୍ୱର ସମର୍ଥନ ମିଳିଥିଲା, ତାହା ନେଇ ଏଥିରେ ଉଲ୍ଲେଖ କରାଯାଇଛି । ଦେଶର ସୁରକ୍ଷା ପାଇଁ ଭାରତୀୟ ସେନା ପାକିସ୍ତାନରେ ଦେଖାଇଥିବା ପରାକ୍ରମ ସଂକ୍ରାନ୍ତରେ ମଡ୍ୟୁଲ୍‌ରେ ବିସ୍ତୃତ ଭାବେ ଦର୍ଶାଯାଇଛି । 

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଏପ୍ରିଲ ୨୨ରେ ପାକିସ୍ତାନୀ ଆତଙ୍କବାଦୀମାନେ ପହଲଗାମ୍‌ରେ ଆକ୍ରମଣ କରିଥିଲେ । ଫଳରେ ୨୬ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଆତଙ୍କୀମାନେ ଧର୍ମ ପଚାରି ଲୋକଙ୍କ ମୁଣ୍ଡକୁ ଗୁଳି କରି ସେମାନଙ୍କ ପରିବାର ସାମ୍ନାରେ ଅତ୍ୟନ୍ତ ନିଷ୍ଠୁର ଭାବେ ମାରିଥିଲେ ।