ଏନଡିଏ ସଂସଦୀୟ ଦଳ ନେତା ନିର୍ବାଚନ ହେଲେ ମୋଦି,କହିଲେ- ଦେଶର ଜନତା ଏକ ନୂଆ ଯୁଗର ଶୁଭାରମ୍ଭ କରିବାକୁ ଯାଉଛନ୍ତି

ନୂଆଦିଲ୍ଲୀ,୨୫।୫: ଭାରତୀୟ ନିର୍ବାଚନ ପାର୍ଟିର ନେତୃତ୍ବରେ ରାଷ୍ଟ୍ରୀୟ ଜନତାନ୍ତ୍ରିକା ଗଠବନ୍ଧନ(ଏନଡିଏ)ର ନବ ନିର୍ବାଚିତ ସାଂସଦଙ୍କ ବୈଠକ ସଂସଦର ସେଣ୍ଟ୍ରାଲ ହଲରେ ଚାଲିଛି। ଆଜିର ଏହି ବୈଠକରେ ଔପଚାରିକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ନବନିର୍ବାଚିତ ଏନ୍ଡିଏ ସାଂସଦ ମାନେ ସର୍ବସମ୍ମତକ୍ରମେ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି।ପାର୍ଲାମେଣ୍ଟର କେନ୍ଦ୍ରୀୟ ସଭାଗାରରେ ଅନୁଷ୍ଠିତ ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ନେତା ଲାଲାକୃଷ୍ଣ ଆଡୱାଣୀ, ମୁରଲୀ ମନୋହର ଯୋଶୀଙ୍କ ଉପସ୍ଥିତିରେ ସଂସଦୀୟ ଦଳର ନେତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ମୋଦି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ।

ଏନଡିଏ ସଂସଦୀୟ ଦଳର ନେତା ନିର୍ବାଚିତ ହେବାପରେ ମୋଦି ସାଂସଦଙ୍କୁ ଧନ୍ୟବାଦ ଦେଇଥିଲେ। ଭାଷଣ ପୂର୍ବରୁ ମୋଦି ମୁଣ୍ଡ ନୁଆଁଇ ସମ୍ବିଧାନର ସମ୍ମାନ କରିଥିଲେ। ସେ କହିଥିଲେ ସାରା ବିଶ୍ବର ନଜର ଭାରତର ନିର୍ବାଚନର ଉପରେ ରହିଥିଲା। ସଫଳତା ପୂର୍ବକ ନିର୍ବାଚନ ଶେଷ ହୋଇଥିବାରୁ ମୁଁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଉଛି। ଭାରତ ଲୋକତନ୍ତ୍ର, ଭାରତର ମତଦାତା, ଭାରତର ନାଗରିକ, ଏହାର ଯେଉଁ ବିବେକ ରହିଛି ତାହାର କୌଣସି ମାପଦଣ୍ଡ ନାହିଁ ଯେ, ଏହାକୁ ମାପି ହେବ ବୋଲି କହିଛନ୍ତି ମୋଦି। କ୍ଷମତାର ପ୍ରଭାବ ଭାରତର ମତାଦାତାଙ୍କୁ ପ୍ରଭାବିତ କରିବ ନାହିଁ। କ୍ଷମତା ଭାବନା ଯେତେ କମିଯିବ, ଜନତାଙ୍କ ଆର୍ଶିବାଦ ସେତେ ବଢିଯିବ ବୋଲି କହିଛନ୍ତି ମୋଦି। ସାଂସଦଙ୍କ ଉଦେଶ୍ୟରେ ମୋଦି କହିଥିଲେ ଆମକୁ କାନ୍ଧକୁ କାନ୍ଧ ମିଳାଇ କାମ କରିବାକୁ ହେବ, ଏହା ହେଉଛି ଏନଡିଏର ଶକ୍ତି ଓ ବିଶେଷତ୍ବ। ଦେଶର ଜନତା ଏକ ନୂଆ ଯୁଗର ଶୁଭାରମ୍ଭ କରିବାକୁ ଯାଉଛନ୍ତି, ଆମେ ଏହାର ସାକ୍ଷୀ। ଦେଶ କେବଳ ୨୦୧୪ରେ ଆମକୁ ବସାଇନଥିଲା, ବଂର ୨୦୧୯ ପର୍ଯ୍ୟନ୍ତ ଆମକୁ ଚଳାଇଛି। ସରକାର ଆମେ ଯେତେ ଚଳାଇବାର ଚେଷ୍ଟା କରିଥିଲୁ, ତା ଅପେକ୍ଷା ୧୨୫ କୋଟି ଦେଶବାସୀ ଏହାଠାରୁ ଅଧିକ କରିଛନ୍ତି।

ଏହା ସହ ମୋଦି ତାଙ୍କର ଭାଷଣରେ କହିଥିଲେ ପରିଶ୍ରମ, ପରାକାଷ୍ଠା ଓ ସଚ୍ଚୋଟତା ଯଦି ରହିଛି ତେବେ ଦେଶ ତାଙ୍କ ସହ ଚାଲିଥାଏ। ସବକା ସାଥ୍, ସବକା ବିକାଶ ମନ୍ତ୍ରକୁ ସାରା ବିଶ୍ବ ଅନୁସରଣ କରୁଛି। ବିଶ୍ବସାରା ନେତା ମୋତେ ଏହାର ଅର୍ଥ ପଚାରନ୍ତି। ଜନ ପ୍ରତିନିଧି ଭାବରେ ଆମ ପାଇଁ କେହି ପର ହୋଇପାରିବନି। ଡୋନାଲ୍ଡୋ ଟ୍ରମ୍ପଙ୍କୁ ଯେତେ ଭୋଟ ମିଳିଥିଲା, ୨୦୧୯ ନିର୍ବାଚନରେ ତାହା ଆମର ଇନକ୍ରିମେଣ୍ଟ ରହିଛି। ୨୦୧୪ ନିର୍ବାଚନ ଦେଶବାସୀ ଲଢିଥିଲେ ତେଣୁ ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ୨୦୧୯ ନିର୍ବାଚନ ମୋ ପାଇଁ ତୀର୍ଥ ଯାତ୍ରା ଠାରୁ କିଛି କମ୍ ନଥିଲା। ଦେଶ ସ୍ବାଧୀନ ହେବାପରେ ପ୍ରଥମ ଥର ପାଇଁ ଲୋକସଭାରେ ଏତେ ସଂଖ୍ୟାରେ ମହିଳା ସଂସଦ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରର ଉଜ୍ବଳ ଭବିଷ୍ୟତ ପାଇଁ ମେଣ୍ଟର ରାଜନୀତି ସ୍ବୀକାର କରିବାକୁ ହେବ ବୋଲି କହିଛନ୍ତି ମୋଦି।
Delhi: Narendra Modi seeks blessings from senior BJP leader LK Advani, at the NDA meeting. He has been elected as the leader of BJP & NDA. pic.twitter.com/WfKKWEDc3j
— ANI (@ANI) May 25, 2019
ମୋଦୀଙ୍କୁ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରସ୍ତାବ ଆଗତ କରିଥିଲେ। ଏହି ସମୟରେ ସେ କହିଥିଲେ, ଜନତା ଯେଉଁ ଭଳି ଭାବରେ ମୋଦିଜୀଙ୍କ ଶାସନ କାଳକୁ ସ୍ବୀକାର କରିଛନ୍ତି, ସେଥରୁ ଜଣାପଡୁଛି ଯେ, ନରେନ୍ଦ୍ର ମୋଦିଙ୍କ ଏକ୍ସପେରିମେଣ୍ଟ ଜନତାଙ୍କୁ ପୂର୍ଣ୍ଣ ଭାବରେ ମାନ୍ୟତା ଦେଇଛି। ଦେଶର ସମସ୍ତ କୋଣ ଅନୁକୋଣରେ ଏନଡିଏ ଓ ମୋଦିଜୀଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଛି। ବିଜେପିର ଦଳର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ରାଜନାଥ ସିଂହ ଓ ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ନିତୀନ ଗଡକରୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।
Delhi: Visuals from Parliament where the NDA meeting is about to begin. pic.twitter.com/JlcDnwn69u
— ANI (@ANI) May 25, 2019
ଏନ୍ଡିଏର ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ତରଫରୁ ପ୍ରକାଶ ସିଂହ ବାଦଲ, ଜେଡିୟୁ ତରଫରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଲୋଜପାର ରାମ ବିଳାଶ ପାଶୱାନଙ୍କ ସମେତ ଅନ୍ୟ ଦଳର ନେତାମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ବରିଷ୍ଠ ନେତା ନରେନ୍ଦ୍ର ସିଂହ ତୋମର ସଭା କାର୍ୟ୍ୟ ପରିଚାଳନା କରିଥିଲେ । ପରେ ବିଜେପି ଏବଂ ଏନ୍ଡିଏ ସହଯୋଗୀ ଦଳର ନେତାମାନେ ମୋଦିଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ଏହା ସହ ସରକାରଙ୍କ ଗଠନ ଦିଗରେ ପ୍ରକିୟା ଆଗକୁ ବଢାଯାଇ ହେବ। ଏହି ବୈଠକ ସଂସଦର କେନ୍ଦ୍ରୀୟ କକ୍ଷରେ ସନ୍ଧ୍ୟା ୫ଟା ବେଳେ ହୋଇଥିଲା। ବୈଠକ ପାଇଁ ଏନଡିଏର ସମସ୍ତ ସାଂସଦ ସେଣ୍ଟ୍ରାଲ ହଲରେ ପହଁଞ୍ଚିଥିଲେ। ଚଳିତ ନିର୍ବାଚନରେ ବିଜେପି ୩୦୩ଟି ଆସନରେ ଜିତି ଥିବାବେଳେ ଏନ୍ଡିଏ ୩୫୧ଟି ଆସନରେ ଜିତି ଲୋକସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି।