ବାୟୁସେନା ବିମାନ ନିଖୋଜ, ୮ ଜଣ ବାୟୁସେନା ଅଧିକାରୀଙ୍କ ସମେତ ୧୩ ଜଣ କରୁଥିଲେ ଯାତ୍ରା

ନୂଆଦିଲ୍ଲୀ,୩ ।୬(ଏଜେନ୍ସି): ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଞ୍ଚୁକା ଯାଉଥିବା ବେଳେ ଭାରତୀୟ ବାୟୁସେନାର ଏକ ପରିବହନ ବିମାନ ଆଣ୍ଟୋନୋଭ ଏଏନ୍-୩୨ ନିଖୋଜ ହୋଇଯାଇଛି । ବିମାନରେ ୮ ଜଣ ବାୟୁସେନା ଅଧିକାରୀଙ୍କ ସମେତ ୧୩ ଜଣ ଯାତ୍ରା କରୁଥିଲେ । ନିଖୋଜ ବିମାନ ଓ ଯାତ୍ରୀମାନଙ୍କୁ ଠାବ କରିବା ପାଇଁ ବାୟୁସେନା ପକ୍ଷରୁ ଉଦ୍ୟମ ଜାରି ରହିଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ପି. ଖୋଙ୍ଗସାଇଙ୍କ ସୂଚନା ଅନୁସାରେ ଜୋରହାଟ ବିମାନଘାଟିରୁ ବିମାନଟି ଦିନ ୧୨ଟା ୨୭ ମିନିଟ୍ରେ ମେଞ୍ଚୁକା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ପ୍ରାୟ ୧ଟା ୨୦ ସୁଦ୍ଧା ବିମାନଟି ମେଞ୍ଚୁକା ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡରେ ଅବତରଣ କରିଥାନ୍ତା । କିନ୍ତୁ ଉଡ଼ାଣ ଆରମ୍ଭ କରିବାର ପ୍ରାୟ ଅଧଘଣ୍ଟା ପରେ ଏହା ହଠାତ ରାଡାରରୁ କେଉଁଆଡେ ନିଖୋଜ ହୋଇଯାଇଥିଲା । ଶେଷଥର ପାଇଁ ବିମାନ ସହିତ ଦିନ ୧ଟାରେ ଯୋଗାଯୋଗ କରାଯାଇଥିଲା । ବିମାନ ନିଖୋଜ ହେବାର ଖବର ମିଳିବା ପରେ ତାକୁ ଠାବ କରିବା ଲାଗି ବାୟୁସେନା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।