ଓଡ଼ିଆ ଘରର କାହାଣୀ ଦରକାର

ଭୁବନେଶ୍ବର, ୨୯/୬ : କପି ନୁହେଁ, ଭଲ ସିନେମା ଦରକାର । ଭଲ କଲେ ଭାଗ୍ୟ ବଦଳିବ । ସୋସିଆଲ୍ ମିଡିଆରେ ଓଡ଼ିଆ ସିନେମାକୁ ନେଇ ଏବେ ଢ଼େର ଚର୍ଚ୍ଚା ଏବଂ ଆଲୋଚନା । ଆଉ ତର୍କ ବିତର୍କ । ଏହି ସମୟରେ ଚର୍ଚ୍ଚିତ ଅଭିନେତା ତଥା ପ୍ରଯୋଜକ ଓ କାହାଣୀକାର ମନୋଜ ମିଶ୍ର ଲଗାତର ଭାବେ ଓଡ଼ିଆ ସିନେମାକୁ ନେଇ ବେଶ୍ କିଛି କଥା ସୋସିଆଲ୍ ମିଡିଆରେ ରଖି ଚାଲିଛନ୍ତି । ଅନେକ ବାସ୍ତବ କଥାକୁ ସେ ଉପସ୍ଥାପନ କରି ଚାଲିଛନ୍ତି । ଗତ ମେ’ ମାସ ୧୧ରେ ଶ୍ରୀ ମିଶ୍ର ଏମିତି ଏକ ପୋଷ୍ଟ କରିଥିଲେ । ସେଥିରେ ସେ କହିଥିଲେ, କିଛି ନିର୍ଦ୍ଦେଶକ ଅଛନ୍ତି ଯେଉଁମାନଙ୍କୁ ଲାଗେ ୱାଇଡ୍ ଫ୍ରେମ୍ରେ ୫୦ କି ୧୦୦ ଜଣ ଜୁନିୟର ଆର୍ଟିଷ୍ଟ ଥିବେ । ସେ ଭିତରୁ ହିରୋ ସ୍ଲୋ ମୋସନ୍ରେ ଚାଲିକି ଆସିବ ।
ଚାରିଆଡ଼େ ଧୂଳି ଉଡ଼ୁଥିବ ତାହାଲେ ଯାଇକି ସିନେମାଟିକ୍ ଲାଗିବ ଏବଂ ସେଇ ସିନେମାଟା ସିନେମା ହଲ୍ ପାଇଁ ତିଆରି ହୋଇଛି । ତା’ ଭିତରେ ଭାବ(ଇମୋସନ୍) ଥାଉ କି ନଥାଉ । ଆଉ କିଛି ପ୍ରଯୋଜକ ବି ଅଛନ୍ତି, ଯେଉଁମାନେ ସେ ସବୁ ଦେଖି ଖୁସି ହେଇଯାଉଛନ୍ତି । ଦର୍ଶକ ନ ଆସିଲେ, ଦର୍ଶକଙ୍କୁ ଦୋଷ ଦେଉଛନ୍ତି । କହୁଛନ୍ତି, ‘ଆମେ ତ ବନେଇଲୁ କେହି ଦେଖିଲେନି ଆମେ କ’ଣ କରିବୁ’? ଯେତେବେଳେ ସିନେମା ଆରମ୍ଭ ହେଇଥିଲା ସେତେବେଳେ କ’ଣ ଏତେ ପ୍ରକାର ଟେକ୍ନିକାଲ୍ ଜିନିଷ ସବୁ ଥିଲା…?
“ସେତେବେଳେ କେବଳ କାହାଣୀକୁ ବାନ୍ଧି ରଖିବାର ଉପାୟ ଖାଜୁଥିଲେ’ । ବର୍ତ୍ତମାନ ଆମ ଓଡ଼ିଆ ସିନେମା ବି ସେଇ ଅବସ୍ଥାରେ ଅଛି । କାହାଣୀକୁ କେମିତି ଠିକ୍ ଭାବରେ ଉପସ୍ଥାପନ କରାଯିବ ଏବଂ ଦର୍ଶକଙ୍କ ପାଖରେ ପରଷାଯିବ ସେ ବିଷୟରେ ଭାବନ୍ତୁ । ଆଉ ବିଶ୍ୱାସ କରନ୍ତୁ, କୋଉ କ୍ୟାମେରାରେ ସୁଟ୍ ହୋଇଛି, କୋଉଠି ଡିଆଇ ହୋଇଛି ତା’ର କିଛି ଫରକ ପଡ଼ିବନି । ଯେତେବେଳେ ଆମ କାହାଣୀ ସହ ଦର୍ଶକ ବାନ୍ଧି ହୋଇଯିବେ, ପୁଣି ସେମାନେ ହଲ୍କୁ ଫେରିବେ । ସେମାନେ ଫେରିଲେ ପୁଣି ସିନେମା ବ୍ୟବସାୟକୁ ପଇସା ଆସିବ । ତା’ପରେ ଆମେ ଯେତେ ଧୂଳି ଉଡ଼େଇବା କଥା, ଯେତେ ଗାଡ଼ି ଉଡ଼େଇବା କଥା ଉଡ଼େଇବା । ସେ ଏକଥା ବି କହିଛନ୍ତି, ବର୍ତ୍ତମାନ ଯେଉଁ ଟିଭିରେ ଟେଲି ଫିଲ୍ମ ହେଉଛି ନୂଆ ନିର୍ଦ୍ଦେଶକମାନଙ୍କ ପାଇଁ ବହୁତ୍ ଭଲ ସୁଯୋଗ । ସେମାନେ ଟିଭିରେ ଅଭ୍ୟାସ କରନ୍ତୁ, ଆଉ ଆତ୍ମବିଶ୍ୱାସ ଆସିଲେ ହଲ୍ ପାଇଁ ସିନେମା କରନ୍ତୁ । ସମସ୍ତେ କହୁଛନ୍ତି, ଟିଭି ଚ୍ୟାନେଲର ବହୁତ୍ ହସ୍ତକ୍ଷେପ ଥାଏ ସିନେମା ତିଆରି କରିବା ସମୟରେ । କିନ୍ତୁ ମୁଁ ମୋର ଅନୁଭବରୁ କହୁଛି, ଆମେ ବି ‘ସମାପାଜୁର ରଘୁ’ କରିଛୁ ଏବଂ ଆମ ହିସାବରେ କରିଛୁ ।
ଟିଆର୍ପି ବି ଭଲ ଆସିଛି । ସେଇ ସିନେମା ଦେଖିକି ବଲିଉଡର ଜଣେ ନାମୀ ଅଭିନେତା ଯୁବ ପ୍ରତିଭାବାନ ନିର୍ଦ୍ଦେଶକ ତଥା ଅଭିନେତା ଚିନ୍ମୟ ମିଶ୍ରର ପରବର୍ତ୍ତୀ ଗୋଟେ ଓଡ଼ିଆ ସିନେମା, ଯାହା କି ହଲ ପାଇଁ କରୁଛୁ ସେଥିପାଇଁ ରାଜି ହୋଇଛନ୍ତି । ଖୁସିର କଥା ସେ ଆମ ଓଡ଼ିଆ ସିନେମାକୁ ସାହାଯ୍ୟ କରିବା ପାଇଁ ତାଙ୍କର ପାରିଶ୍ରମିକ ବି ନେବେନି ବୋଲି କହିଛନ୍ତି । ଏହି ପୋଷ୍ଟରେ ଶ୍ରୀ ମିଶ୍ର ‘ସମାପାଜୁର ରଘୁ’ ଏକ ଗୀତ ‘ମୁଁ ଦେହ ହେଲେ ଜୀବନ ତୁ’ର ଲିଙ୍କ୍ ଦେଇ କହିଛନ୍ତି ଦେଖି କୁହନ୍ତୁ ଯେ, ଏଥିରୁ ଭାବ ବାହାରୁଚି ନା’ ନାହିଁ । ଯଦି ଏଥିରେ ଅଧିକ ଖର୍ଚ୍ଚ କରି ସ୍ୱିଜରଲାଣ୍ଡରେ ସୁଟ୍ କରିଥାନ୍ତି କିନ୍ତୁ ଭାବ ବାହାରୁନଥାଆନ୍ତା ତାହାଲେ ଲାଭ କ’ଣ? ଏହି ପୋଷ୍ଟର ଚାରିଦିନ ଅର୍ଥାତ୍ ମେ’ ୭ରେ ମଧ୍ୟ ଶ୍ରୀ ମିଶ୍ର ଓଡ଼ିଆ ସିନେମାକୁ ନେଇ ଆଉ ଏକ ପୋଷ୍ଟ କରିଥିଲେ । ସେଠି ସେ ଲେଖିଥିଲେ, ମୋର ପ୍ରଯୋଜକ ବନ୍ଧୁମାନଙ୍କୁ ଅନୁରୋଧ ଯେ, ସେମାନେ ସିନେମା ବନେଇବା ପୂର୍ବରୁ କାହିଁକି ଓଡ଼ିଆ ସିନେମା ଚାଲୁନି ସେ ବିଷୟରେ ତର୍ଜମା ସହ ଗବେଷଣା କରିକି ସିନେମା କରନ୍ତୁ । ମୁଁ ଜାଣିଛି ଆପଣମାନଙ୍କ ପାଖରେ ବହୁତ ପଇସା ଅଛି । କିନ୍ତୁ ସିନେମା ପଇସାରେ ନୁହେଁ ଭଲ କାହାଣୀ, ଭଲ ନିର୍ଦ୍ଦେଶକ ଏବଂ ଭଲ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ନେଇକି ହୁଏ । ଅନ୍ୟ ଆଞ୍ଚଳିକ ଭାଷାରେ ଏହାର ଅନେକ ଦୃଷ୍ଟାନ୍ତ ଅଛି । ଗୋଟିଏ ସିନେମା ଫ୍ଲପ୍ ହେଲେ କେବଳ ସେଇ ପ୍ରଯୋଜକର କ୍ଷତି ହଉନି ବରଂ ଦୀର୍ଘ ସମୟ ଲାଗି ପୂରା ଓଡ଼ିଆ ସିନେମା ଜଗତ ପାଇଁ କ୍ଷତି । ଆଜି ଆମର ଯେଉଁ ଅବସ୍ଥା ହେଇଛି, ସେଥିପାଇଁ ଆମେ ହିଁ ଦାୟୀ । ଆମକୁ ମାଲାୟାଲମ୍ ସିନେମା ଭଳିଆ ଆମ ସଂସ୍କୃତି, ପରମ୍ପରା, ଓଡ଼ିଆ ଘରର କାହାଣୀକୁନେଇ ସିନେମା କରିବା ଦରକାର । ନହେଲେ ଆମେ ଯଦି ‘କେଜିଏଫ୍’ କି ‘ଆର୍ଆର୍ଆର୍’ ଭଳିଆ ସିନେମା ବନେଇବା ପାଇଁ ଚେଷ୍ଟା ବି କରିବା ତାହେଲେ ଆମ ପାଇଁ ଆତ୍ମହତ୍ୟା ଛଡ଼ା କିଛି ନୁହେଁ । ଶ୍ରୀ ମିଶ୍ରଙ୍କ ପରି ନୂଆପିଢ଼ିଙ୍କ ଉପରେ ଓଡ଼ିଆ ସିନେ ପ୍ରେମୀଙ୍କ ଆଶା ଓ ଭରସା ଅଛି ।
ସେଥିପାଇଁ ଆଜି ଯେତେବେଳେ ଓଡ଼ିଆ ସିନେମାକୁ ନେଇ ଆଲୋଚନା ହେଉଛି ସେଠି ଦର୍ଶକ କପି ଓଡ଼ିଆ ସିନେମାକୁ ବିରୋଧ କରୁଛନ୍ତି । ଏଥିସହ କପିରେ ମାତିଥିବା କଳାକାର, ନିର୍ମାତା ଓ ନିର୍ଦ୍ଦେଶକଙ୍କୁ କଟୁ ଭର୍ତ୍ସନା କରୁଛନ୍ତି । ଗତ କିଛିଦିନ ଧରି ସୋସିଆଲ୍ ମିଡିଆରେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଯେଉଁ ଲଢ଼େଇ ଚାଲିଛି ସେଥିରେ ଅଧିକାଂଶ ଦର୍ଶକ ଭଲ ଓଡ଼ିଆ କାହାଣୀ ସମ୍ପର୍କରେ ଯୁକ୍ତି କରୁଛନ୍ତି । କପି ବଦଳରେ ଭଲ ସିନେମା କଲେ ଭାଗ୍ୟ ବଦଳିବ ବୋଲି ମତ ରଖୁଛନ୍ତି ।