ନୂଆଦିଲ୍ଲୀ,୧୧/୦୧: ନୀରଜ ଚୋପ୍ରା ବିଶ୍ବର ଶ୍ରେଷ୍ଠ ଜାଭଲିନ ଫିଙ୍ଗାଳି ହୋଇଛନ୍ତି । ଦୁଇଟି ଅଲମ୍ପିକ ପଦକ ବିଜେତା ନୀରଜ ଚୋପ୍ରା ଚଳିତ ବର୍ଷର ବିଶ୍ବର ଶ୍ରେଷ୍ଠ ପୁରୁଷ ଜାଲଭିଲ ଫିଙ୍ଗାଳି ହେବାର ଗୌରବ ଅର୍ଜନ କରିଛନ୍ତି । ଆମେରିକାର 'ଟ୍ରାକ ଆଣ୍ଡ ଫିଲ୍ଡ ନ୍ୟୁଜ ' ପତ୍ରିକା ପକ୍ଷରୁ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

୨୭ ବର୍ଷୀୟ ନୀରଜ ଚୋପ୍ରା ପାକିସ୍ତାନର ଅର୍ଶଦ ନଦୀମ ଓ ଦୁଇଥର ବିଶ୍ବ ବିଜେତା ଗ୍ରେନାଡାର ଆଣ୍ଡରସନ ପିଟର୍ସଙ୍କୁ ପଛରେ ପକାଇ କାର୍ଲିଫର୍ଣ୍ଣିଆସ୍ଥିତ ପତ୍ରିକା ଦ୍ବାରା ହୋଇଥିବା ୨୦୨୪ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ନଦୀମଙ୍କୁ ପଞ୍ଚମ ମାନ୍ୟତା ମିଳିଛି । ସେ ଅଲମ୍ପିକ୍ସ ବାଦ ୨୦୨୪ରେ କେବଳ ଗୋଟିଏ ପ୍ରତିଯୋଗିତା ପ୍ୟାରିସ ଡାଇମଣ୍ଡ ଲିଗରେ ଭାଗ ନେଇ ଚତୁର୍ଥ ସ୍ଥାନରେ ରହିଥିଲେ ।

୧୯୪୮ରୁ ପ୍ରକାଶିତ ଟ୍ରାକ ଆଣ୍ଡ ଫିଲ୍ଡ ନ୍ୟୁଜ ପତ୍ରିକା ପ୍ରତିବର୍ଷ ବିଶ୍ବ ଓ ଆମେରିକୀୟ ମାନ୍ୟତା ପ୍ରକାଶ କରିଥାଏ । ୨୦୨୩ରେ ମଧ୍ୟ ଏହି ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଥିଲେ ନୀରଜ । ଗତବର୍ଷ ଫିନଲାଣ୍ଡରେ ହୋଇଥିବା ପାଭୋ ନୁର୍ମି କ୍ରୀଡାରେ ବିଜେତା ହୋଇଥିଲେ । ଏହି ମାନ୍ୟତା ଲାଗି ନୀରଜ ଓ ୨୦୨୨ ବିଜେତା ପିଟର୍ସଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଡାଇମଣ୍ଡ ଲିଗ୍ ଜିତି ନଥିଲେ ମଧ୍ୟ ନୀରଜ ୩-୨ରେ ପିର୍ଟସଙ୍କୁ ପଛରେ ପକାଇଥିଲେ । ୨୦୨୪ରେ ନୀରଜ ପ୍ୟାରିସ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ମୋଟ ୬ଟି ଇଭେଣ୍ଟରେ ଅଂଶଗ୍ରହଣ କରି ୨ ଥର ଚମ୍ପିଆନ ଓ ୪ର୍ଥ ରନର୍ସଅପ ହୋଇଥିଲେ । ନୀରଜ ଏହି ସଫଳତା ଆଣି ଦେଶ ପାଇଁ ଗର୍ବ ଆଣିଛନ୍ତି ।