ଭୁବନେଶ୍ୱର, ୦୯/୦୨ : ଡାକ୍ତରୀ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ୟୁଜି ଅନୁଷ୍ଠିତ ହେବ । ଏଥିପାଇଁ ଆବେଦନ ରବିବାରଠୁ ଆରମ୍ଭ ହୋଇଛି । ମାର୍ଚ୍ଚ ୮ ତାରିଖ ଯାଏ ଅନଲାଇନ ଆବେଦନ ଚାଲିବ । ମାର୍ଚ୍ଚ ୧୦ରୁ ୧୨ ତାରିଖ ଯାଏ ଅନ୍ଲାଇନ ଆବେଦନପତ୍ରର ସଂଶୋଧନ ସୁଯୋଗ ପ୍ରଦାନ କରାଯିବ । ମେ ୩ ତାରିଖରେ ଏହି ନିଟ୍-ୟୁଜି ପରୀକ୍ଷା ହେବ । ଅପରାହ୍ନ ୨ଟାରୁ ସଂଧ୍ୟା ୫ଟା ଯାଏ ପରୀକ୍ଷା ହେବ । ଚଳିତବର୍ଷ ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏନଟିଏର ବିଜ୍ଞପ୍ତି ଅନୁଯାୟୀ, ମେଡିକାଲ ଶିକ୍ଷାନୁଷ୍ଠାନରେ ସ୍ନାତକ ନାମଲେଖା ପାଇଁ ସାରା ଦେଶରେ ନିଟ୍-ୟୁଜି ୨୦୨୬ ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ବିଡିଏସ୍, ବିଭିଏସ୍ସି, ଏଚ୍ କୋର୍ସରେ ନାମ ଲେଖାଇ ପାରିବେ । ଏଥିସହ ବିଏଏମ୍ଏସ୍, ବିୟୁଏମ୍ଏସ୍, ବିଏସ୍ଏମ୍ଏସ୍ ଓ ବିଏଚ୍ଏମ୍ଏସ୍ କୋର୍ସରେ ନିଜର ରାଙ୍କ୍ ଅନୁଯାୟୀ ନାମ ଲେଖାଇ ପାରିବେ । ସେହିପରି ମିଲିଟାରୀ ନର୍ସିଂ ସର୍ଭିସ୍ (ଏମ୍ଏନ୍ଏସ୍) ଆଶାୟୀମାନେ ବିଏମସି ନର୍ସିଂ କୋର୍ସରେ ଆର୍ମଡ୍ ଫୋର୍ସ ମେଡିକାଲ ସର୍ଭିସ ହସ୍ପିଟାଲ୍ ନାମଲେଖା କରିବ । ଏଥିପାଇଁ ନିଟ୍-ୟୁଜି ୨୦୨୬ର ସ୍କୋରର ଆବଶ୍ୟକତା ରହିଛି । ଏହା ୪ବର୍ଷିଆ ବିଏମସି ନର୍ସିଂ କୋର୍ସ ପାଇଁ ସହଯୋଗ କରିବ ।
ଏନଟିଏର ସୂଚନା ଅନୁଯାୟୀ, ନିଟ୍-ୟୁଜି ଆବେଦନ ପାଇଁ ସାଧାରଣ ବର୍ଗର ଆବେଦନକାରୀଙ୍କୁ ୧୭୦୦ ଟଙ୍କା ଦେବାକୁ ପଡ଼ିବ । ସାଧାରଣବର୍ଗ- ଆର୍ଥିକ ଅନଗ୍ରସର ଶ୍ରେଣୀ/ ଓବିସି-ଏନ୍ସିଏଲ୍ ବର୍ଗର ଆବେଦନ ପାଇଁ ୧୬୦୦ ଟଙ୍କା, ଏସସି, ଏସଟି ପିଡବ୍ଲୁଜି, ତୃତୀୟ ଲିଙ୍ଗି ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ଆବେଦନ ଫି ରହିଛି । ସେହିପରି ଭାରତ ବାହାରର ଆବେଦନକାରୀଙ୍କ ପାଇଁ ୯୫୦୦ ଟଙ୍କା ଫି ଧାର୍ଯ୍ୟ କରିଛି ଏନଟିଏ । ଆବେଦନ ସମୟରେ ଆବେଦନକାରୀ ନିଜର ଫଟୋ, ଠିକଣା ପ୍ରମାଣପତ୍ର, ଦସ୍ତଖତ ଆଦି ପ୍ରଦାନ କରିବେ । ଇ-ମେଲ୍ ସହ ମୋବାଇଲ୍ ନମ୍ବର ପ୍ରଦାନ ନିଶ୍ଚିତ କରିବାକୁ କୁହାଯାଇଛି । ଏନେଇ ସମସ୍ତ ସୂଚନା ଏନଟିଏ ୱେବ୍ସାଇଟ୍ https://neet.nta.nic.in/ ରେ ଉପଲବ୍ଧ ରହିଛି ।
ଏହି ଖବରଟିକୁ ପଢନ୍ତୁ- ରାଜ୍ୟରେ କମିବ ଶୀତ ପ୍ରଭାବ, ୪ ଦିନରେ ରାତି ତାପମାତ୍ରା ୪ ଡିଗ୍ରୀ ବଢ଼ିବା ନେଇ ଆକଳନ