ନୂଆଦିଲ୍ଲୀ, ୧୪/୦୫ : ନିଟ୍‌-ୟୁଜି ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ବ୍ୟାପକ ତଦନ୍ତ ଚାଲିଥିବାବେଳେ ସଙ୍ଗିନ ଅପରାଧିକ ଲିଙ୍କ୍‌ ସାମ୍ନାକୁ ଆସିଛି । ତାହା ହେଲା ମେଡିକାଲ କୋଚିଂ ସେଣ୍ଟର ଏବଂ ସଙ୍ଗଠିତ ପ୍ରଶ୍ନପତ୍ର ଲିକ୍‌ ସିଣ୍ଡିକେଟ ମଧ୍ୟରେ ଗଭୀର ଅପରାଧିକ ସମ୍ପର୍କ । ରାଜସ୍ଥାନ ପୁଲିସ ସୂଚନା ଅନୁସାରେ, ଏହି ଲିକ୍‌ କେବଳ ଏକ ସୁରକ୍ଷା ତ୍ରୁଟି ନୁହେଁ, ବରଂ ସିକର ଏବଂ ଏହାର ଆଖପାଖ କୋଚିଂ ହବ୍‌ରେ ପ୍ରଚଳିତ ଏକ ‘ମାଫିଆ-ଷ୍ଟାଇଲ’ ବିଜନେସ ମଡେଲ ।

ତଦନ୍ତକାରୀ ଅଧିକାରୀଙ୍କ ଅନୁସାରେ, ଏହି ଲିକ୍‌ର ମୂଳ ଖିଅ ମହାରାଷ୍ଟ୍ରର ନାସିକ୍‌ରେ ଥିବା ଏକ ପ୍ରିଣ୍ଟିଂ ପ୍ରେସ୍‌ରୁ ମିଳିଛି । ସେଠାରୁ ଏହି ପ୍ରଶ୍ନପତ୍ର ଦସ୍ତାବିଜ୍‌କୁ ଗୁରୁଗ୍ରାମକୁ ଯାଇଥିଲା । ପରେ ଜାମୱା ରାମଗଡ଼ ଦେଇ ରାଜସ୍ଥାନରେ ପହଞ୍ଚିଥିଲା । ପ୍ରଶ୍ନପତ୍ର ସିକରରେ ପହଞ୍ଚିବା ପରେ ତାହାକୁ ବେଶ୍‌ ଚତୁରତାର ସହ ଡେରାଡୁନ୍‌, ଜମ୍ମୁ-କାଶ୍ମୀର, ବିହାର, କେରଳ, ଉତ୍ତରାଖଣ୍ଡକୁ ପଠାଯାଇଥିଲା । ନାସିକ୍‌ ପ୍ରେସ୍‌ରେ ଏହି ପ୍ରଶ୍ନପତ୍ରକୁ ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା । ଏହି ଅର୍ଥକୁ ୫ରୁ ୬ ଜଣିଆ ଏକ ମୁଖ୍ୟ ଗୋଷ୍ଠୀ ମଧ୍ୟରେ ଭାଗ କରାଯାଇଥିଲା । ସନ୍ଦେହରୁ ବର୍ତ୍ତିବା ଏବଂ ବୈଧତା ବଜାୟ ରଖିବା ପାଇଁ କୋଚିଂ ସେଣ୍ଟରଗୁଡ଼ିକ  ଲିକ୍‌ ହୋଇଥିବା ଏହି ପ୍ରଶ୍ନପତ୍ରକୁ ‘ଶେଷ ମୂହୂର୍ତ୍ତରେ ବନାଯାଇଥିବା ‘ଗେସ୍‌ ପେପର’ ବା ‘ସ୍ୱତନ୍ତ୍ର ପ୍ରାକ୍ଟିସ୍‌ ସେଟ୍‌’ ଭାବେ ନାମିତ କରିଥିଲେ । ଅନ୍ୟାନ୍ୟ ମାଧ୍ୟମରେ ଏହି ସେଟ୍‌ଗୁଡ଼ିକୁ ପ୍ରାୟ ୫ ଲକ୍ଷ ଲେଖାଏ ଟଙ୍କାରେ ବିକ୍ରି କରାଯାଇଥିଲା । କ୍ରମେ ଏହା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ବେଳକୁ ତାହାର ମୂଲ୍ୟ କମିଥିଲା ।

ରାଜସ୍ଥାନ ପୁଲିସ କହିବା ଅନୁସାରେ, ଏହି ଲିକ୍‌କୁ ସ୍ଥାନୀୟ ଅର୍ଥନୀତିର ଏକ ଅପରିହାର୍ଯ୍ୟ ଅଙ୍ଗ ବନାଯାଇଛି । ସିକର ଭଳି ସ୍ଥାନରେ ଅନେକ ଟିଫିନ୍‌ ସର୍ଭିସ, ଲଣ୍ଡ୍ରି ଏବଂ ରିଅଲ ଇଷ୍ଟେଟ୍‌ ଭଳି ବିଶାଳ ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମେଡିକାଲ ପରୀକ୍ଷାର୍ଥୀଙ୍କ ଉପରେ ନିର୍ଭର କରେ । ଦିଲ୍ଲୀ, ଗୁଜରାଟ, ରାଜସ୍ଥାନର ନିବେଶକମାନେ ଏଠାରେ ହଷ୍ଟେଲ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଛନ୍ତି । ଯଦି ଏଠାରେ ସଫଳତା ହାର କମିଯାଏ ତେବେ ଏହି ସମଗ୍ର ଆର୍ଥିକ ସାମ୍ରାଜ୍ୟ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି । ତେଣୁ କୋଚିଂ ସେଣ୍ଟରଗୁଡ଼ିକ ଯେ କୌଣସି ଉପାୟରେ ଭଲ ରେଜଲ୍ଟ ଆଣିବାକୁ ଚେଷ୍ଟା କରନ୍ତି । ବିଭିନ୍ନ ଏନ୍‌କ୍ରିପ୍‌ଟେଡ ପ୍ଲାଟଫର୍ମ ଜରିଆରେ ପ୍ରାଇଭେଟ ମାଫିଆ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ର ସମ୍ପୃକ୍ତିରୁ ଜଣାପଡ଼ୁଛି ଯେ, ଏହି ନେଟୱର୍କ କେବଳ ସିକର ନୁହେଁ ବରଂ ସାରା ଦେଶରେ ବ୍ୟାପିଛି । ଅନେକ କୋଚିଂ ସେଣ୍ଟର, ଶିକ୍ଷା ପରାମର୍ଶଦାତା ବା କ୍ୟାରିୟର କାଉନସେଲର, ପ୍ରିଣ୍ଟିଂ ପ୍ରେସ୍‌ କର୍ମଚାରୀଙ୍କ ମଧ୍ୟରେ ଥିବା ଆର୍ଥିକ କାରବାର ଉପରେ ସିବିଆଇ ନଜର ରଖିଛି ।

ଏହି ଖବରଟିକୁ ପଢନ୍ତୁNEET Paper Leak Case: ମହାରାଷ୍ଟ୍ର ନାସିକରୁ ଆସିଲା କନେକ୍ସନ, ପୁଲିସ ହେପାଜତରେ ସନ୍ଦିଗ୍ଧ