ମୁମ୍ୱାଇ : ରିଷି କପୁରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ନୀତୁ କପୁରଙ୍କ ଫିଲ୍ମ 'ଜୁଗ୍ ଜୁଗ୍ ଜିୟୋ' ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ରିଲିଜ୍ ପରେ ନୀତୁ କପୁରଙ୍କୁ ପ୍ରବଳ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡ଼ି ଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ କାହିଁକି ଏତେ ଶୀଘ୍ର ଶୁଟିଂକୁ ଫେରିଲେ, ସେଥିପାଇଁ ଲୋକମାନେ ତାଙ୍କୁ ସମାଲୋଚନା କରୁ ଥିଲେ। ଏବେ ନୀତୁ କପୁର ସେହି ଟ୍ରୋଲିଂ ବିଷୟରେ ମୁହଁ ଖୋଲିଛନ୍ତି। ଏହା ସହିତ, ରିଷି କପୁରଙ୍କ ମୃତ୍ୟୁ ପରେ ସେ କାହିଁକି କାମକୁ ଫେରିଥିଲେ, ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି।
କରଣ ଜୋହର ଦେଇଥିଲେ କାମକୁ ଫେରିବା ପାଇଁ ପରାମର୍ଶ
ସୋହା ଅଲୀ ଖାନଙ୍କ ସହ ଏକ ବିଶେଷ ଆଲୋଚନା ସମୟରେ ନୀତୁ କପୁର କହିଛନ୍ତି ଯେ, ରିଷି କପୁରଙ୍କ ମୃତ୍ୟୁ ପରେ ସେ ବହୁତ ମାନସିକ ଅଶାନ୍ତି ମଧ୍ୟରେ ଥିଲେ। ସେ ମଦ ପିଇବା ଆରମ୍ଭ କରି ଦେଇ ଥିଲେ। ସେହି ସମୟରେ ସେ କରଣ ଜୋହରଙ୍କ ସହ କଥା ହୋଇଥିଲେ ଏବଂ କରଣ ତାଙ୍କୁ ପୁଣି କାମକୁ ଫେରିବା ପାଇଁ ପରାମର୍ଶ ଦେଇ ଥିଲେ।
ନୀତୁ କପୁର କହିଛନ୍ତି, "ମୁଁ କାମ ଆରମ୍ଭ କରିଥିଲି। ତାଙ୍କର (ରିଷି କପୁର) ଦେହାନ୍ତ ହୋଇ ସାରି ଥିଲା ଏବଂ ମୁଁ 'ଜୁଗ୍ ଜୁଗ୍ ଜିୟୋ' କରିଥିଲି। ମୁଁ ନିଜର ଆତ୍ମବିଶ୍ୱାସ ଫେରି ପାଇବା ପାଇଁ କାମକୁ ଫେରିଥିଲି। ମୁଁ ବହୁତ ଖରାପ ଅବସ୍ଥାରେ ଥିଲି। ଲୋକମାନେ ଯେତେବେଳେ କହୁଥିଲେ- 'ଓହୋ, ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି ଆଉ ଏମାନେ କାମ କରିବାକୁ ଡେଇଁ ପଡୁଛନ୍ତି', ସେତେବେଳେ ବହୁତ ଖରାପ ଲାଗୁ ଥିଲା। କିନ୍ତୁ ସେମାନେ ଜାଣିନଥିଲେ ମୁଁ କାହିଁକି ଏମିତି କରିଥିଲି।"
ନୀତୁ ଆହୁରି କହିଛନ୍ତି, "ମୋ ସହ କ’ଣ ଘଟିଥିଲା ମୁଁ ଆପଣଙ୍କୁ କହିବାକୁ ଚାହେଁ। ଯେତେବେଳେ ତାଙ୍କର ମୃତ୍ୟୁ ହେଲା, ମୁଁ ପ୍ରାୟ ଏକ-ଦୁଇ ମାସ ପର୍ଯ୍ୟନ୍ତ ଶୋଇପାରିନଥିଲି ଏବଂ ମଦ ପିଇବା ଆରମ୍ଭ କରିଥିଲି। ମୁଁ ମଦ ନ ପିଇଲେ ଶୋଇପାରୁନଥିଲି।"
ନୀତୁ କପୁରଙ୍କୁ ଆସୁନ ଥିଲା ନିଦ
ଅଭିନେତ୍ରୀ ନୀତୁ କପୁର କହିଛନ୍ତି ଯେ, ସେ ଏଭଳି ଏକ ପର୍ଯ୍ୟାୟ ଦେଇ ଗତି କରୁଥିଲେ ଯେଉଁଠି ସେ ନିଜକୁ ଆଦୌ ଭଲ ପାଉ ନଥିଲେ। ସେ ନିଜ ଡାକ୍ତରଙ୍କ ସାହାଯ୍ୟ ନେବାକୁ ଚେଷ୍ଟା କରି ଥିଲେ। ରାତି ୧୧ଟାରେ ତାଙ୍କ ଘରକୁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ (Gynecologist) ଆସୁଥିଲେ ଏବଂ ଶୋଇବା ପାଇଁ ତାଙ୍କୁ ଇଞ୍ଜେକ୍ସନ ଦେଉ ଥିଲେ। ଏମିତି ପ୍ରାୟ ୧୦ ଦିନ ଧରି ଚାଲିଥିଲା। ୧୧ ବା ୧୨ ଦିନରେ ସେ ଡାକ୍ତରଙ୍କୁ ଫୋନ୍ କରି କହିଲେ ଯେ ସେ ଏବେ ଠିକ୍ ଅଛନ୍ତି। ନୀତୁଙ୍କ କହିବା କଥା, ତାଙ୍କୁ ଏହି ସ୍ଥିତିରୁ ବାହାରିବାକୁ ଥିଲା। ସେ କରଣ ଜୋହରଙ୍କୁ ଫୋନ୍ କଲେ ଏବଂ କରଣ ତାଙ୍କୁ କାମକୁ ଫେରିବା ପାଇଁ କହିଲେ।
ନୀତୁ କପୁରଙ୍କ କ୍ୟାରିୟର:
୧୯୮୦ ମସିହାରେ ରିଷି କପୁରଙ୍କୁ ବିବାହ କରିବା ପରେ ନୀତୁ ଅଭିନୟରୁ ବିରତି ନେଇ ଥିଲେ। ୧୯୮୩ରେ ତାଙ୍କର ଶେଷ ଫିଲ୍ମ 'ଗଙ୍ଗା ମେରି ମା' ମୁକ୍ତିଲାଭ କରି ଥିଲା। ଏକ ଦୀର୍ଘ ବ୍ୟବଧାନ ପରେ, ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ 'ଲଭ୍ ଆଜ୍ କଲ୍'ରେ ଏକ କ୍ୟାମିଓ ରୋଲ୍ ମାଧ୍ୟମରେ ସେ ପୁଣି ଅଭିନୟ ଜଗତକୁ ଫେରିଥିଲେ।ଏହାପରେ ସେ 'ଦୋ ଦୂନି ଚାର', 'ଜବ୍ ତକ୍ ହୈ ଜାନ୍' ଏବଂ 'ବେଶରମ' ଭଳି ଫିଲ୍ମରେ କାମ କରିଛନ୍ତି।