‘ନା ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି ନା ନୀତୀଶ କୁମାର ପ୍ରଧାନମନ୍ତ୍ରୀ’ ବିଧାନସଭାରେ ତେଜସ୍ୱୀ ଯାଦବଙ୍କ ବଡ଼ ଘୋଷଣା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜନୈତିକ ଉତ୍ତରାଧିକାରୀକୁ ନେଇ ଜେଡିୟୁ ମଧ୍ୟରେ ହେଉଥିବା ଚର୍ଚ୍ଚା ଭିତରେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବଡ଼ ଘୋଷଣା କରିଛନ୍ତି। ସୋମବାର ବିଧାନସଭାରେ ତେଜସ୍ୱୀ ଯାଦବ କହିଛନ୍ତି, ନା ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି ନା ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ଆମେ ଯେଉଁଠାରେ ଅଛୁ ଖୁସିରେ ଅଛୁ। ସେ ଆହୁରି କହିଛନ୍ତି, ନୀତୀଶ କୁମାର ଏନଡିଏ ଛାଡ଼ି ମହାମେଣ୍ଟରେ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସହ ଆମେ ସମସ୍ତେ ମଜବୁତ ଭାବେ ଛିଡ଼ା ହୋଇଛୁ। ଆମେ ବିହାରର ବିକାଶ ପାଇଁ ଲାଗିଛୁ।
ବିହାରରେ ମହାମେଣ୍ଟ ସରକାର ବନିବା ପାଖରୁ ଆରଜେଡି ପକ୍ଷରୁ ତେଜସ୍ୱୀ ଯାଦବଙ୍କୁ ଚେହେରା କରାଯାଉଛି। ଅନ୍ୟପଟେ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗକୁ ଅଣାଯାଉଛି। ହେଲେ ନୀତୀଶ କୁମାର ବର୍ତ୍ତମାନ ଯାଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ କିଛି ଯୋଜନା ନାହିଁ ବୋଲି କହିଛନ୍ତି। ଏହାରି ଭିତରେ ତେଜସ୍ୱୀ ଯାଦବଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି।
ବିହାର ବିଧାନସଭାରେ ରାଜମାର୍ଗ ନିର୍ମାଣ ବିଭାଗ ବଜେଟ ଉପରେ ନିଜର ମତ ରଖିବା ସମୟରେ ତେଜସ୍ୱରୀ ଯାଦବ ବର୍ତ୍ତମାନ ରାଜନୈତିକ ଘଟଣାକ୍ରମ ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଥିଲେ। ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଆମେ ବିକାଶ କାର୍ଯ୍ୟରେ ଲାଗିଛୁ ହେଲେ ଏମାନେ ଏହାର ବାଧକ ସାଜୁଛନ୍ତି। ବେଜେପିକୁ ଲାଲୁ ପ୍ରସାଦ ଯାଦବ ଡରିନାହାନ୍ତି ତେଣୁ ତାଙ୍କ ପୁଅ ମଧ୍ୟ ଡରିବ ନାହିଁ।