ଓଡ଼ିଶାରେ ଦେଖାଗଲା ଧୂମକେତୁ

ଭୁବନେଶ୍ୱର, ୨୫/୦୧ : ଓଡ଼ିଶାରେ ଦେଖାଗଲା ଧୂମକେତୁ । ଏନେଇ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଦୁଇ-ତିନି ଦିନ ଅର୍ଥାତ୍ ଜାନୁଆରୀ ୨୧ରୁ ୨୩ ତାରିଖରେ ଓଡ଼ିଶାରେ କେତେକ ସ୍ଥାନରେ ରାତି ଆକାଶରେ ‘ସି/୨୦୨୨ ଇ-୩’ ଧୂମକେତୁକୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍ରେ ଦେଖାଯାଇଛି । ଭୁବନେଶ୍ୱରରୁ ଏହି ଧୂମକେତୁକୁ ୨୨ ଓ ୨୩ ତାରିଖରେ ବାଇନାକୁଲାର୍ରେ ପ୍ଲାନେଟାରିୟମ୍ର କିଛି କର୍ମଚାରୀ ଦେଖିଛନ୍ତି ।
ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଧୂମକେତୁ ଦେଖା ଯାଇଥିବା ସୂଚନା ମିଳିଛି । ୨୨ରେ ଜୟପୁରରୁ ଏହାର ଏକ ସୁନ୍ଦର ଫଟୋ ମଳୟ ପାତ୍ରଙ୍କ ଦ୍ୱାରା ନିଆଇଥିବାବେଳେ ୨୩ରେ ଭୁବନେଶ୍ୱରରୁ ଏହାର ଏକ ଫଟୋ ରାକେଶ କୁମାର ରାଉଳଙ୍କ ଦ୍ୱାରା ନିଆଯାଇଛି । ପୂର୍ବରୁ ଆକଳନ କରାଯାଇଥିବା ଧୂମକେତୁର ଉଜ୍ଜ୍ୱଳତା ଏବେ ଆକଳନଠାରୁ ଅଳ୍ପ କମ୍ ରହୁଥିବା କିଛି ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି । ତେଣ ଅନୁମାନ କରାଯାଉଛି, ଏହା ଅଧିକ ଦିନ ଧରି ଦେଖାଯାଇ ନପାରେ ।
ଫେବ୍ରୁଆରୀ ୧ ତାରିଖରେ ପ୍ରାୟ ୪.୨ କୋଟି କିମି ଦୂରତାରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ । ଧୂମକେତୁ ଦେଖିବାର ସବୁଠାରୁ ଉତ୍କୃଷ୍ଟ ଦିନ ହେଲା ଜାନୁଆରୀ ୩୦ରୁ ଫେବ୍ରୁଆରୀ ୨ତାରିଖ ଯାଏଁ । ୩୦ ତାରିଖ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଉତ୍ତର-ପୂର୍ବ ଦିଗ୍ବଳୟର ପ୍ରାୟ ୨୦ ଡିଗ୍ରୀ ଉପରେ ଏହା ଠିକ୍ ସପ୍ତର୍ଷିମଣ୍ଡଳ ଓ ଧ୍ରୁବ ତାରାର ମଝିରେ ଦେଖାଯିବ । ପରେ ଧୀରେ ଧୀରେ ଉପରଆଡ଼କୁ ଏକ ଘଣ୍ଟାରେ ପ୍ରାୟ ୧୫ ଡିଗ୍ରୀ ହିସାବରେ ଗତି କରି ସାରା ରାତି ଖାଲି ଆଖିରେ ଦେଖାଯାଇପାରେ । ପରବର୍ତ୍ତୀ ଦିନଗୁଡ଼ିକରେ ଏକା ସମୟ ଅର୍ଥାତ୍ ସନ୍ଧ୍ୟା ସାଢ଼େ ୭ଟାରେ ପୂର୍ବ ଦିନଠାରୁ ପ୍ରାୟ ୫ଡିଗ୍ରୀ ଉପରେ ଦେଖାଯିବ । ପୂର୍ବ ଦିନ ତୁଳନାରେ ଅସ୍ତ ହେବାକୁ ୫ରୁ ୧୦ ମିନିଟ୍ କମ୍ ସମୟ ନେବ । ଏହିପରି ଦିନ ପରେ ଦିନ ଧୀରେ ଧୀରେ ଏହା ଉପରକୁ ଦେଖାଯିବ । ଧୂମକେତୁଟି ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଏହାର ଉଜ୍ଜ୍ୱଳତା କମି କମି ୩ ତାରିଖ ପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ
ହେବ ନାହିଁ ।
ଏହି ଧୂମକେତୁଟି ପୁଣି ଆଉଥରେ ଆମ ପାଖକୁ ଆସିବ ଆଉ ୫୦ ହଜାର ବର୍ଷ ପରେ । ଦୀର୍ଘ ୨୩ ବର୍ଷ ପରେ ଖାଲି ଆଖିରେ ଏକ ଧୂମକେତୁ ଦେଖିବାର ବିରଳ ସୁଯୋଗ ଆସିଛି । ସହର ଆଲୋକଠାରୁ ଦୂରରେ ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଏପରି ଏକ ବିରଳ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ ।