ନୂଆଦିଲ୍ଲୀ,୧୦/୦୯: ପଡ଼ୋଶୀ ଦେଶ ନେପାଳରେ ସାଙ୍ଘାତିକ ସ୍ଥିତି । ସବୁଠି ଜଳାପୋଡ଼ା, ଭଙ୍ଗାରୁଜା । ସଂସଦ ଭବନ, ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟ ବି ଛାଡ଼଼ ପାଇନାହିଁ । ବିକ୍ଷୋଭ ନିଆଁରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ନେପାଳ ଛାରଖାର ହୋଇଛି । 'ଜେନ୍‌-ଜି' ଆନ୍ଦୋଳନ ନିଆଁରେ ଜଳୁଛି ସମଗ୍ର ଦେଶ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ବି ଆୟତ୍ତକୁ ଆସୁନି ସ୍ଥିତି । ଚରମ ସୀମା ପାର୍ କରିଛି ଗୃହଯୁଦ୍ଧ । ପୂରା ନେପାଳକୁ କବଜା କରିଛି ଅରାଜକତା । ନେପାଳରେ ରାଜନୈତିକ ଅସ୍ଥିରତା ରାଜଧାନୀରୁ, ସଂସଦ ଏବଂ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନିଆଁ ବ୍ୟାପିଛି । ଏବେ ନେପାଳର କ'ଣ ହେବ ? ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ସସ୍‌ପେନ୍ସ ବଢୁଛି । ଦେଶକୁ ନିୟନ୍ତ୍ରଣକୁ ନେଇଛି ସେନା । ସେପଟେ ଚୀନର ନିରବତା ଉପରେ ବି ପ୍ରଶ୍ନ ଉଠିଛି ।

ସେନା ନିୟନ୍ତ୍ରଣରେ ଦେଶ- ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି ନେପାଳ ।  କ୍ଷମତାର ମୂଳଦୁଆ ଦୋହଲି ଯାଇଛି । ଦେଶରେ ରାଜରାସ୍ତାଠାରୁ ସଂସଦ, ସୁପ୍ରିମକୋର୍ଟ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ବିଦ୍ରୋହ ନିଆଁ ବ୍ୟାପିଛି । ଜେନେରେସନ ଜେଡ୍‌ର ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେଉଛି । ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି, ରାଷ୍ଟ୍ରପତି ରାମଚନ୍ଦ୍ର ପୌଦେଲଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ଘରକୁ ଆନ୍ଦୋଳନକାରୀ ପୋଡ଼ି ଦେଇଛନ୍ତି । ରାସ୍ତାରେ ମନ୍ତ୍ରୀମାନଙ୍କୁ ଗୋଡ଼ାଇ ପିଟିଛନ୍ତି । ବିଭିନ୍ନ ମନ୍ତ୍ରଣାଳୟ ଓ ସରକାରୀ ଅଫିସ ଥିବା ‘ସିଂହ ଦରବାର’ରୁ ଲୁଟ୍‌ପାଟ୍‌ କରିଛନ୍ତି । ଉପାୟଶୂନ୍ୟ ହୋଇ ପ୍ରଧାନମନ୍ତ୍ରୀ ଓଲି ଓ ରାଷ୍ଟ୍ରପତି ପୌଦେଲ ଇସ୍ତଫା ଦେଇଛନ୍ତି । ଗୃହମନ୍ତ୍ରୀ, କୃଷିମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ବି ପଦ ଛାଡ଼ିଛନ୍ତି । ନେପାଳୀ ଗଣମାଧ୍ୟମ କାନ୍ତିପୁର ମିଡିଆ ଗ୍ରୁପର ମୁଖ୍ୟାଳୟକୁ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ପଶୁପତିନାଥ ମନ୍ଦିର, ତ୍ରିଭୁବନ ବିମାନବନ୍ଦର ବନ୍ଦ । ଚରମ ସୀମା ପାର୍ କରିଛି ଗୃହଯୁଦ୍ଧ ।  ସେନା ଆକ୍ସନକୁ ଆସି ଦେଶର ସୁରକ୍ଷାକୁ ନିଜ ନିୟନ୍ତ୍ରଣକୁ ନେଇଛି । ନେପାଳର ରାଜଧାନୀ କାଠମାଣ୍ଡୁରେ ସେନା ପକ୍ଷରୁ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ହିଂସା ବନ୍ଦ ପାଇଁ ଆନ୍ଦୋଳନକାରୀଙ୍କୁ କରିଛି ଅପିଲ୍‌ । ଏଭଳି ସ୍ଥିତିରେ ଦେଶରେ ସାଙ୍ଘାତିକ ରାଜନୈତିକ ସଂକଟ ଉପୁଜିଛି ।

ଏବେ ନୂଆ ପ୍ରଧାନମନ୍ତ୍ରୀ ହେବେ ନା ସେନା ଶାସନ ସମ୍ଭାଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ନେପାଳରେ ୨୬ ଲୋକପ୍ରିୟ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ବ୍ୟାନ୍‌କୁ ନେଇ ସୋମବାର ଆନ୍ଦୋଳନ ହୋଇଥିଲା । ଚାହୁଁ ଚାହୁଁ ଏହି ଆନ୍ଦୋଳନ ଉଗ୍ର ରୂପ ନେଇ ହିଂସାରେ ପରିଣତ ହୋଇଥିଲା । ହିଂସା ବେଳେ ୨୫ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୫୦ରୁ ଅଧିକ ଆହତ ହୋଇଥିଲେ । କର୍ଫ୍ୟୁ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ବିକ୍ଷୋଭ ବଢୁଛି । ସ୍ଥିତି ଅଣାୟତ୍ତ ହେବାରୁ ସରକାର ସୋସିଆଲ୍‌ ମିଡିଆ ବ୍ୟାନ୍‌ ନିଷ୍ପତ୍ତି ପ୍ରତ୍ୟାହାର କରିନେଇଥିଲେ । ତଥାପି ‘ଜେନ୍‌ଜି’ଆନ୍ଦୋଳନକାରୀ ଶାନ୍ତ ପଡ଼ି ନହାନ୍ତି । ଶ୍ରୀଲଙ୍କା-ବାଂଲାଦେଶ ପରେ ଏବେ ନେପାଳରେ ଅଶାନ୍ତି ନିଆଁ ଜଳୁଛି ।

ଚୀନ ନିରବତା ଉପରେ ପ୍ରଶ୍ନ- ନେପାଳରେ ଗତ ୧୭ ବର୍ଷରେ ୧୪ ସରକାର ଆସିଛି, ଯେଉଁଠି ଅଧିକାଂଶ ମେଣ୍ଟ ସରକାର ରହିଛି । ଚଳିତ ବର୍ଷ ପ୍ରାରମ୍ଭରେ ନେପାଳରେ ରାଜତନ୍ତ୍ର ଫେରିବା ଲାଗି ଦାବି କରି ବି ବିକ୍ଷୋଭ ହୋଇଥିଲା । ଲୋକଙ୍କ କହିବା ଅନୁସାରେ ନେପାଳରେ ସେକ୍ୟୁଲାର ରିପବ୍ଲିକ ସରକାରର ପ୍ରୟୋଗ ବିଫଳ ହୋଇଛି । ଅନ୍ୟପକ୍ଷରେ ୨୦୨୪ ଜୁଲାଇରେ ଓଲି ଚତୁର୍ଥ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଲଗାତର ଚୀନ୍‌ର ନିକଟତର ହୋଇଥିଲେ ଏବଂ ଭାରତ ଭଳି ପାରମ୍ପରିକ ସହଯୋଗୀ ଦେଶଠାରୁ ସେ ନେପାଳକୁ ଦୂରେଇ ନେଇଥିଲେ । ଶପଥ ନେବା ପରେ ସେ ପରମ୍ପରା ଭାଙ୍ଗି ନିଜ ପ୍ରଥମ ବିଦେଶ ଯାତ୍ରାରେ ଭାରତ ଆସିବା ପରିବର୍ତ୍ତେ ଚୀନ୍‌କୁ ଯାଇଥିଲେ । ଚୀନ୍‌ ଗସ୍ତ ବେଳେ ଓଲି ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ମହତ୍ତ୍ୱାକାଂକ୍ଷୀ ଯୋଜନା ବିଆର୍‌ଆଇ ପାଇଁ ସହମତ ହୋଇଥିଲେ ଏବଂ ନେପାଳକୁ ସେଠାରୁ ୪୧ ନିୟୁତ ଡଲାର ଆର୍ଥିକ ସହଯୋଗ ବି ମିଳିଥିଲା । ନେପାଳରେ ବର୍ତ୍ତମାନ ଅସ୍ଥିରତାରେ ଚୀନର ନିରବତା ଏକାଧିକ ପ୍ରଶ୍ନ ଉଠାଇଛି ।

ଭାରତୀୟଙ୍କ ସୁରକ୍ଷା ଚିନ୍ତା- ଅସ୍ଥିରତା ବଳୟରେ ଭାରତର ପଡୋଶୀ ଦେଶ ନେପାଳ । ଚରମସ୍ଥିତିରେ ପହଞ୍ଚିଛି ଗୃହଯୁଦ୍ଧ । ଦେଶରେ ବଡ଼ ଧରଣର ଭୂ-ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଳି । ଜେଲରେ ଫାୟାରିଂ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଛି । ଚିତବନରେ ନିର୍ବାଚନ ଆୟୋଗ ମୁଖ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ସମଗ୍ର ନେପାଳରେ ସେନା କର୍ଫ୍ୟୁ ଲାଗିଛି । ଏହାରି ଭିତରେ ନେପାଳରେ ଥିବା ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ବଢିଛି । ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି । ପଡ଼ୋଶୀ ଦେଶରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ, ପଶ୍ଚିମବଙ୍ଗ ଦାର୍ଜିଲିଂର ଭାରତ-ନେପାଳ ସୀମା ପାର କରି ଭାରତୀୟ ନାଗରିକମାନେ ସ୍ୱଦେଶକୁ ଫେରୁଛନ୍ତି ।