ପିଥୋରାଗଡ,୦୭/୦୬: ଉତ୍ତରାଖଣ୍ଡକୁ ଲାଗିଥିବା ଭାରତ-ନେପାଳ ସୀମାରେ ନେପାଳ ସରକାର ଚୀନ୍ ନିର୍ମିତ ଥର୍ମାଲ କ୍ୟାମେରା ଲଗାଇବା ଆରମ୍ଭ କରିଛନ୍ତି । ଏହି କ୍ୟାମେରା ଭାରତୀୟ ସୀମା ଭିତରେ ୧୦ କି.ମି. ପର୍ଯ୍ୟନ୍ତ ସମସ୍ତ ଗତିବିଧିର ରେକର୍ଡିଂ କରିପାରିବ । କେବଳ ଏତିକି ନୁହେଁ, ନେପାଳ ଏହି କ୍ୟାମେରାର ସଂଚାଳନ ଲାଗି ଚୀନ୍ର ଇଣ୍ଟରନେଟ ନେଟୱର୍କ ମଧ୍ୟ ବ୍ୟବହାର କରିବ । ଏହାଦ୍ୱାରା ଭାରତର ସମ୍ବେଦନଶୀଳ ସୂଚନା ଚୀନ୍ ନିକଟରେ ପହଞ୍ଚିବାର ଆଶଙ୍କା ସୃଷ୍ଟି ହୋଇଛି ।
ଏହି କ୍ୟାମେରା ପ୍ରତିକୂଳ ପାଗ ଓ ରାତିରେ ମଧ୍ୟ ସମସ୍ତ ଗତିବିଧିର ରେକର୍ଡିଂ କରିବାରେ ସକ୍ଷମ । ଯେହେତୁ ଏହା ଚୀନ ନିର୍ମିତ କ୍ୟାମେରା ଓ ଚୀନ୍ ଇଣ୍ଟରନେଟରେ ଚାଲିବ, ତେଣୁ ଭାରତର ସମସ୍ତ ଗତିବିଧି ଚୀନ୍ ବାଟ ଦେଇ ନେପାଳକୁ ଯିବ । ତେଣୁ ଚୀନ୍ ସେଥିରୁ ସମ୍ବେଦନଶୀଳ ତଥା ଗୋପନ ତଥ୍ୟ ସଂଗ୍ରହ କରିବାର ଆଶଙ୍କା ରହିଛି । ସୀମା ଚୌକର ସୁରକ୍ଷା ଓ ସର୍ଭେଲାନ୍ସ ଲାଗି ନେପାଳ ଗତ କିଛିବର୍ଷ ହେଲା ଚୀନ୍ ଠାରୁ ସମସ୍ତ ସହଯୋଗ ହାସଲ କରୁଛି । ଏଥିପାଇଁ ଉଭୟ ଦେଶ ମଧ୍ୟରେ ପ୍ରଯୁକ୍ତି ସହଯୋଗ ବଢ଼ାଇବା ନେଇ ୨୦୧୬ରେ ଏକ ରାଜିନାମା ହୋଇଥିଲା । ଏହା ପରେ କ୍ୟାମେରା ଲଗାଇବା ଲାଗି ବିଭିନ୍ନ ସ୍ଥାନର ସର୍ଭେ କରାଯାଇଥିଲା ।
୨୦୨୦ରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନେଇ ଭାରତ ଓ ନେପାଳ ମଧ୍ୟରେ ବିବାଦ ସାମ୍ନାକୁ ଆସିବା ପରେ ନେପାଳ ସୀମା ସୁରକ୍ଷାକୁ ମଜଭୁତ କରିବାରେ ଲାଗିପଡିଛି । କାଲାପାନି ନିକଟ ଛଙ୍ଗରୁ ଠାରେ ନେପାଳ ତାର ଏପିଏଫ ବାଟାଲିୟମର ମୁଖ୍ୟାଳୟ ପ୍ରତିଷ୍ଠା କରିଛି । ଏହାର ଆଖପାଖ ଅଞ୍ଚଳରେ ୧୫ ସୀମାନ୍ତ ପୋଷ୍ଟ ବିକଶିତ କରିଛି । ବର୍ତ୍ତମାନ ସେଠାରେ ଥର୍ମାଲ କ୍ୟାମେରା ଓ ଅନ୍ୟ ହାଇଟେକ ଉପକରଣ ଲଗାଯାଉଛି । ଅନ୍ୟପକ୍ଷରେ ନେପାଳର ଏଭଳି ପଦକ୍ଷେକକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ତାର ସୀମା ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିଛି । ପିଥୋରାଗଡରେ ଥିବା ଝୁଲାପୋଲରେ ଫେସିଆଲ ରିକଗ୍ନାଇସନ ସିଷ୍ଟମ (ଏଫଆରଏସ୍) ଏବଂ ଏଆଇ ଆଧାରିତ ସିସିଟିଭି କ୍ୟାମେରା ମଧ୍ୟ ଲଗାଇବା ଆରମ୍ଭ କରିଛି।
ଉତ୍ତରାଖଣ୍ଡରେ ଭାରତ ଓ ନେପାଳ ମଧ୍ୟରେ ୨୭୫ କି.ମି. ସୀମା ରହିଛି । ଏହି ସୀମା ପିଥେରାଗଡ, ଚମ୍ପାବତ ଓ ଉଧମସିଂହ ନଗର ଜିଲ୍ଲା ଦେଇଯାଇଛି । ସେହିଭଳି ଭାରତ ସୀମାକୁ ନେପାଳର ଧାର୍ଚୁଲା, ବେତଡି, ଡଡେଲଧୁରା ଓ କଞ୍ଚନପୁର ଜିଲ୍ଲା ଲାଗିଛି । ଉଭୟ ଦେଶକୁ ଯୋଡିବା ଲାଗି ବନବସା ଠାରେ ମୋଟର ବ୍ରିଜ୍ ଓ ଟନକପୁର ଠାରେ ବ୍ୟାରେଜ ରହିଛି । ଏଥିସହ ପିଥେରାଗଡରେ ୧୦ ଝୁଲାପୋଲ ଅଛି । ସୀମାର ସୁରକ୍ଷା ଦାୟିତ୍ୱ ଭାରତର ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି ) ଓ ନେପାଳର ଆର୍ମଡ ପୁଲିସ ଫୋର୍ସ (ଏପିଏଫ) ହାତରେ ଅଛି ।
ଅଧିକ ପଢ଼ନ୍ତୁ :- Train : ଜାଣିଛନ୍ତି କି... ଏକ କି.ମି ଚାଲିବାକୁ କେତେ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ କରେ ଟ୍ରେନ୍ ?
ଗତ କିଛିବର୍ଷ ହେଲା ନେପାଳ ନିଜ କ୍ଷେତ୍ରର ସୁରକ୍ଷା ତଦାରଖ ବ୍ୟବସ୍ଥାକୁ ମଜଭୁତ କରିବାରେ ଲାଗିଛି । ଏହି କ୍ରମରେ ଗଡ୍ଡା ଚୌକ ଠାରୁ ଆରମ୍ଭ କରି କାଲାପାନି ପର୍ଯ୍ୟନ୍ତ ନୂଆ ବର୍ଡର ଆଉଟ ପୋଷ୍ଟ ବିକଶିତ କରାଯାଉଛି । ସେଠାରେ ଅତ୍ୟାଧୁନିକ ସର୍ଭେଲାନ୍ସ ବ୍ୟବସ୍ଥା ଲଗାଯାଉଛି । ସୁରକ୍ଷା ବିଶେଷଜ୍ଞଙ୍କ କହିବାନୁଯାୟୀ ସୀମା ଅଞ୍ଚଳରେ ନେପାଳର ବଢ଼ୁଥିବା ଏହି ସୁରକ୍ଷା ସର୍ଭେଲାନ୍ସ ବ୍ୟବସ୍ଥା ଭାରତ ପାଇଁ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।