ନେପାଳ ବିମାନ କ୍ରାସ୍ ଘଟଣା: ଆକାଶ ମାର୍ଗରେ ହିଁ ପ୍ଲେନ୍ ଇଞ୍ଜିନରେ ଲାଗିଥିଲା ନିଆଁ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ ୧୬/ ୦୧: ନେପାଳର ପୋଖରାରେ ବିମାନ ଦୁର୍ଘଟଣାର ଘଟି ୭୨ ଜଣଙ୍କ ଜୀବନ ଯିବା ଘଟଣାରେ ସମସ୍ତେ ସ୍ତବ୍ଧ । ଅବତରଣର ମାତ୍ର ୧୦-୧୫ ସେକେଣ୍ଡ ପୂର୍ବରୁ ATR-72 ବିମାନ ଯାନ୍ତ୍ରୀକ ତ୍ରୁଟି କାରଣରୁ ଖସିପଡିଥିଲା । ବିମାନରେ ଥିବା ୬୮ ଯାତ୍ରୀଙ୍କ ସମେତ ୪ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ତେବେ କେଉଁ କାରଣ ପାଇଁ ବିମାନଟି ଖସିପଡିଲା ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସୋମବାର ବିମାନର ବ୍ଲାକ୍ବକ୍ସ ଜବତ କରାଯାଇଛି । ତେବେ ଦୁର୍ଘଟଣା ପରେ ଅନେକ ଗୁଡିଏ ଭିଡିଓ ସାମ୍ନାକୁ ଆସିଥିଲା ।
ସୋମବାର ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବିମାନର ଡାହାଣ ପାର୍ଶ୍ବ ଇଞ୍ଜିନ୍ରେ ହଠାତ୍ ନିଆଁ ଲାଗିବା କାରଣରୁ ଆକାଶରେ ହିଁ ଜଳିବାକୁ ଲାଗିଥିଲା । ଭିଡିଓରେ ଦେଖାଯାଉଛି କି, ବିମାନ ଇଞ୍ଜିନ୍ରେ ନିଆଁ ଲାଗିବା ଫଳରେ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ପାଇଲଟ୍ ରନ୍ଓ୍ବେରେ ଅବତରଣ କରିବାକୁ ମଧ୍ୟ ଅକ୍ଷମ ହେଉଛନ୍ତି ଏବଂ ୟେଟି ବିମାନଟି ଏକ ଖୋଲା ସ୍ଥାନରେ ଖସିପଡୁଛି । ତଳେ ପଡିବା କ୍ଷଣି ପ୍ରଚଣ୍ଡ ଶବ୍ଦ ହେବା ସହିତ ଭୀଷଣ ନିଆଁ ଲାଗିଯାଇଥିଲା ।
ବିମାନ କ୍ରାସ୍ କରିବାର କିଛି ସମୟ ପୂର୍ବରୁ ଜରୁରୀ ଅବତରଣ ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଅନୁମତି ମାଗିଥିଲେ ପାଇଲଟ୍ । ଅବତରଣ ପାଇଁ ଅନୁମତି ମଧ୍ୟ ମିଳିଥିଲା । କିନ୍ତୁ ପରେ ବିମାନ ଚଳାଚଳ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ଯେ ବିମାନର ଡାହାଣ ପାର୍ଶ୍ବ ଇଞ୍ଜିନ୍ରେ ନିଆଁ ଲାଗିଯାଇଛି ।
ସୂଚନାଯୋଗ୍ୟ ଯେ, ATR-72 ବିମାନ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରବିବାର ଦିନ ୧୦.୩୩ରେ ଉଡାଣ ଭରିଥିଲା । ପୋଖରା ଏୟାରପୋର୍ଟରେ ଅବତରଣ କରିବାର ମାତ୍ର ୧୦ ସେକେଣ୍ଡ ପୂର୍ବରୁ ହିଁ ଦୁର୍ଘଟଣାର ଶିକାର ହୋଇଥିଲା । ତଳେ ପଡିବା କ୍ଷଣି ବିମାନରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ମୃତକଙ୍କ ମଧ୍ୟରେ ୫୩ ଜଣ ନେପାଳୀ ଥିବାବେଳେ ୫ ଜଣ ଭାରତୀୟ ଯାତ୍ରୀ, ୪ ଜଣ ଋଷୀୟ ଯାତ୍ରୀ, ୨ ଜଣ କୋରିଆ ଯାତ୍ରୀ, ଜଣେ ଆଫଗାନିସ୍ତାନ ଯାତ୍ରୀ, ଜଣେ ଫ୍ରାନ୍ସ ଯାତ୍ରୀ ଏବଂ ଜଣେ ଇସ୍ରାଏଲ ନାଗରିକ ଥିଲେ । ଏ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଜାରି କରିଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୁର୍ଘଟଣାଗ୍ରସ୍ଥ ବିମାନଟି ୪୦ ବର୍ଷ ପୁରୁଣା । ଏତେ ବର୍ଷ ପୁରୁଣା ବିମାନକୁ କିଭଳି ଏବଂ କାହିଁକି ଉଡାଣ ପାଇଁ ଅନୁମତି ମିଳିଥିଲା ସେ ନେଇ ଖୋଳତାଡ ଆରମ୍ଭ ହୋଇଛି ।
Nepal plane crash near #PokharaAirport caught on camera from ground, these visuals show the plane engine caught fire 🔥, which may have been a bird hit after which it just went down tilted. #NepalPlaneCrash #Yeti pic.twitter.com/9ZTwZDE5At
— The Voice Of Citizens®️ (@tVoiceOfCitizen) January 16, 2023