ନେତାଜୀ ଥିଲେ ଆପୋଷହୀନ ସଂଗ୍ରାମୀ, ମହାନ ଦେଶନାୟକ

ଭୋଗରାଇ,୨୪/୧,(ଆ.ପ୍ର.) ନେତାଜୀ ସୁବାଷ ଚନ୍ଦ୍ର ବୋଷ ଥିଲେ ଜଣେ ଆପୋଷହୀନ ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ ସନ୍ତାନ,ଅନନ୍ୟ ଦେଶ ନାୟକ। ତାଙ୍କ ନୀତି,ଆଦର୍ଶ,ଦେଶଭକ୍ତି,ପ୍ରଜ୍ଞା,ସାହସିକତା ଓ ପରାକ୍ରମ ଯୁଗେ ଯୁଗେ ନମସ୍ୟ ଓ ଚିର ଅମର ହୋଇ ରହିବ ବୋଲି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜୟରାମପୁର ନେତାଜୀ କ୍ଲବ ଆନୁକୂଲ୍ୟରେ ଆୟୋଜିତ ନେତାଜୀଙ୍କ ୧୨୬ ତମ ଜୟନ୍ତୀ ଉତ୍ସବ ସମାରୋହର ଦ୍ବିତୀୟ ସାନ୍ଧ୍ୟ ସଭାରେ ମତପ୍ରକାଶ ପାଇଛି।
ଜୟରାମପୁରରେ ନେତାଜୀ ମଇଦାନରେ ମଙ୍ଗଳବାର ଅନୁଷ୍ଠିତ ଦ୍ବିତୀୟ ସାନ୍ଧ୍ୟ ସଭାରେ କ୍ଲବର ସଭାପତି ସୁନୀଲ କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ପ୍ରମେୟ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ସତ୍ୟଶିବ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନେତାଜୀଙ୍କ ଦେଶଭକ୍ତି ଓ ସ୍ବାଧୀନତା ସଂଗ୍ରାମରେ ତାଙ୍କ ଦୁଃସାହସିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଜିଲ୍ଲା ଯୁଗ୍ମ ସମ୍ପାଦକ ରାଜେନ୍ଦୁ ବିକାଶ ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ନେତାଜୀଙ୍କ ପରାକ୍ରମ ଯୁଗେ ଯୁଗେ ସମସ୍ତ ଭାରତୀୟଙ୍କୁ ଉଦବୁଦ୍ଧ କରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜୟରାମପୁର ପଞ୍ଚାୟତ ସମିତି ସଦସ୍ୟ ରାଧାକାନ୍ତ ପ୍ରଧାନ,ନିମାତପୁର ସରପଞ୍ଚ ରାଜେନ୍ଦ୍ର ଦଳାଇ,ପଞ୍ଚାୟତ ସମିତି ସଦସ୍ୟ ଭଗବାନ ଚନ୍ଦ୍ର ରଣା ପ୍ରମୁଖ ଯୋଗ ଦେଇ ନେତାଜୀଙ୍କ ଜୀବନୀ ଓ ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଅନନ୍ୟ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ସମ୍ବର୍ଦ୍ଧିତ ପ୍ରତିଭା ଭାବେ ଜୟରାମପୁର ପଞ୍ଚାୟତର ସୁଯୋଗ୍ୟ ସନ୍ତାନ ତଥା ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ବିପିନ କୁମାର ଦେହୁରୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହିତ ରଣକୋଠା ଗ୍ରାମର ବିଶିଷ୍ଟ ସମାଜସେବୀ ସୁଶାନ୍ତ ସେନାପତିଙ୍କ ସହଯୋଗରେ ୧୬ ଜଣ କର୍କଟ ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଅନ୍ୟତମ ସମାଜସେବୀ ମହାପ୍ରସାଦ ପାତ୍ରଙ୍କ ସହଯୋଗରେ ୪୦ ଜଣ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ସଭା ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ବେଳେ ସଭା ପରେ ମେଲୋଡି ଗ୍ରୃପ ଦ୍ବାରା ଆକର୍ଷଣୀୟ ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।