ପୁଣି ଅଲୋଡ଼ା ଶିଶୁ କନ୍ୟା: ବୁଦାମୂଳେ ଫିଙ୍ଗି ପଳାଇଲେ

ଭୁବନେଶ୍ୱର,୧୦ ।୨(ବ୍ୟୁରୋ): ରାଜଧାନୀରେ ଅଲୋଡ଼ା ଶିଶୁ କନ୍ୟା । ରବିବାର ସକାଳୁ ଇନ୍ଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତିବିହାର ନିକଟ ବୁଦୁବୁଦୁକିଆ ବଣ ଭିତରୁ କ୍ଷତାକ୍ତ ଅବସ୍ଥାରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରା ଯାଇଛି । ବିଲୁଆ କିମ୍ବା କୁକୁର ଶିଶୁଟିର ମୁହଁକୁ ଖଣ୍ଡିଆ ଖାବରା କରି ପକାଇଛନ୍ତି । ଉଦ୍ଧାର ଶିଶୁଟି କଟକ ଶିଶୁ ଭବନରେ ମୃତ୍ୟୁ ସହ ସଂଗ୍ରାମ ଚଳାଇଛି । ଏହି ଘଟଣା ଆଜି ରାଜଧାନୀବାସୀଙ୍କ ମଧ୍ୟରେ ଘୋର ଆଲୋଡ଼ନ ସୃଷ୍ଟି କରଛି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତିବିହାର ନିକଟ ବୁଦୁବୁଦୁକିଆ ବଣ ଭିତରୁ ଏକ ଶିଶୁର କାନ୍ଦ ଶୁଭୁଥିଲା । ନିକଟ ବସ୍ତିର କିଛି ଲୋକ ଚାରିଆଡ଼େ ଖୋଜାଖୋଜି କରିଥିଲେ । ଏକ ବୁଦାମୁଳେ ନବଜାତ ଶିଶୁକନ୍ୟାଟି ପଡ଼ି ଚିତ୍କାର କରୁଥିବା ଲୋକେ ଦେଖି ତାକୁ ଉଦ୍ଧାର କରିଥିଲେ । ଶିଶୁକନ୍ୟାଟିର ମୁହଁକୁ କୁକୁର କିମ୍ବା ବିଲୁଆ ଖଣ୍ଡିଆ ଖାବରା କରି ଦେଇଥିଲା । ଲୋକଙ୍କ ଠାରୁ ଖବର ପାଇ ଇନ୍ଫୋସିଟି ଥାନା ପିସିଆର ପୁଲିସ ସେଠାରେ ପହଞ୍ଚିଥିଲେ । ତାକୁ ତୁରନ୍ତ ନିକଟସ୍ଥ ଘରୋଇ ମେଡିକାଲ କଲେଜକୁ ନେଇ ଯାଇଥିଲେ । ସେଠାରୁ ତାକୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରା ଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ‘ସହାୟ’ ଅନୁଷ୍ଠାନ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ କଟକ ଶିଶୁଭବନକୁ ନିଆଯାଇଥିଲେ । ସେଠାରେ ସର୍ଜରୀ ବିଭାଗରେ ଶିଶୁ କନ୍ୟାର ଚିକିତ୍ସା ଚାଲିଛି । ଶିଶୁ ଭବନରେ ମୃତ୍ୟୁ ସହ ସଂଗ୍ରାମ ଚଳାଇଛି ଶିଶୁ କନ୍ୟାଟି ।
କେହି କୁମାରୀ ମା’ ଅବୈଧ ଗର୍ଭପାତ କରାଇବା ପରେ ଲୋକ ଲଜ୍ଜା ଭୟରେ ସେଠାରେ ବୁଦାମୂଳେ ଫିଙ୍ଗି ପଳାଇଥିବା ଅନୁମାନ କରା ଯାଉଛି । ଇନ୍ଫୋସିଟି ଥାନା ପୁଲିସ ନିକଟସ୍ଥ ବସ୍ତି ଅଞ୍ଚଳର ଲୋକମାନଙ୍କୁ ପଚରା ଉଚରା ଚଳାଇଛି । କିଛିଦିନ ତଳେ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ନିକଟ ରାସ୍ତା କଡ଼ରୁ ଏକ ନବଜାତ ଶିଶୁ କନ୍ୟାକୁ ଜୀବିତ ଅବସ୍ଥାରେ ଉଦ୍ଧାର କରା ଯାଇଥିଲା । ହେଲେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା ।