ଜୟପୁର,୨୯/୦୩: ମଞ୍ଜୁର ହୋଇଛି କୋରାପୁଟ ଜିଲ୍ଲା ଜୟପୁର ସହରର ନୂଆ ମାଷ୍ଟର ପ୍ଲାନ । ଏ ସଂପର୍କରେ ରାଜ୍ୟ ସରକାରଙ୍କ ଗେଜେଟ୍‌ରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ସ୍ୱତନ୍ତ୍ର ବିଜ୍ଞପ୍ତି । ଏଥିଲାଗି ସହର ଓ ଆଖପାଖ ବାସିନ୍ଦାଙ୍କୁ ଦୀର୍ଘ ୪୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି । ନୂଆ ମାଷ୍ଟର୍‌ପ୍ଲାନ୍‌ରେ ୧୫ଟି ରାଜସ୍ୱଗାଁକୁ  ସାମିଲ କରାଯାଇଛି । ଏବେ ୭ ହଜାର ୭୧୭  ଏକରରେ ପହଞ୍ଚିଛି ଏହାର ପରିସୀମା। ସେ  ଭିତରେ ରହିଛି ପୌରାଞ୍ଚଳର ୨ ହଜାର  ୫୪୩ ଏକର ଏବଂ ସହରକୁ ଲାଗିଥିବା ୬ଟି  ପଞ୍ଚାୟତର ୪ ହଜାର ୫୭୪ ଏକର । ମାଷ୍ଟର  ପ୍ଲାନ ଅନୁସାରେ ଉମୁରୀ, ବିଶୋଇପୁଟ ଏବଂ  ସଉରାଗୁଡାକୁ ଶିଳ୍ପାଞ୍ଚଳ ମାନ୍ୟତା ମିଳିବ ।  ମକାପୁଟରେ ଓପନ ସ୍ପେସ ରହିବ । ଏଠାରେ  ସବୁଜକ୍ଷେତ୍ର ଲାଗି ଯୋଜନା କରାଯିବ । 

ଗେଜେଟେ୍‌ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି  ଅନୁସାରେ, ୨୦୨୩ ଜୁଲାଇ ୧୨ରେ ନୂଆ ମାଷ୍ଟର  ପ୍ଲାନ ପାଇଁ କ୍ରିଟ୍‌ ପକ୍ଷର ପ୍ରସ୍ତୁତ ହୋଇଥିଲା ଡ୍ରାଫ୍ଟ । ଏହାକୁ ଅନୁମୋଦନ ଲାଗି ଗୃହ ଓ  ସହରାଞ୍ଚଳ ଉନ୍ନୟନ ବିଭାଗକୁ ପଠାଯାଇଥିଲା ।  ୨୦୨୪ ଡିସେମ୍ବର ୨୬ରେ ବିଭାଗ ପକ୍ଷରୁ ରାଜ୍ୟ ଟାଉନପ୍ଲାନିଂ ନିର୍ଦ୍ଦେଶକଙ୍କ ପାଖକୁ ଏହା  ଯାଇଥିଲା । ଏହାପରେ ରାଜ୍ୟ ଗେଜେଟ୍‌ରେ ଗତ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି।  ନୂଆ ମାଷ୍ଟର ପ୍ଲାନରେ ପୌରାଞ୍ଚଳର ଜୟପୁର, ଜୟନଗର, ଜଗଧାତ୍ରୀପୁର, ଲକ୍ଷ୍ମଣପୁର,  ବିଦ୍ୟାଧରପୁର, ବିକ୍ରମନଗର, ବାଲାଜୀପୁର, ନୀଳକଣ୍ଠେଶ୍ୱରପୁର ରାଜସ୍ୱ ଗାଁ(ମୌଜା) ରହିଛି ।  

ବାଲିଆ ପଞ୍ଚାୟତର ଜୟନଗର ଅଞ୍ଚଳ ସହ,  ଉମୁରୀର ମକାପୁଟ, ସଉରାଗୁଜା ଓ ପେନାଙ୍ଗି  ସଂରକ୍ଷିତ ଜଙ୍ଗଲ,ଏକମ୍ବା ପଞ୍ଚାୟତର ବାଙ୍କବିଜା,  ଟାଙ୍କୁଆ ପଞ୍ଚାୟତର ଜଗନ୍ନାଥପୁର, ଭୂଷାଙ୍ଗଗୁଡ଼ା  ପଞ୍ଚାୟତର କଟରିପୁଟ ରାଜସ୍ୱ ଗାଁକୁ ସାମିଲ  କରାଯାଇଛି । ସହରକୁ ଲାଗିଥିବା ବାରିଣୀପୁଟ,  ଟାଙ୍କୁଆ, ଉମୁରୀ ଓ ଗଡ଼ପଦର ପଞ୍ଚାୟତର  କେତେକ ଅଞ୍ଚଳ ମଧ୍ୟ ଏହି ପ୍ଲାନରେ ରହିଛି ।  ନୂଆ ମାଷ୍ଟର ପ୍ଲାନରେ ଉତ୍ତରରେ ଏକମ୍ବା,  ବିଶୋଇପୁଟ ଓ ହର୍ଦ୍ଦଳି ରହିଛି । ଦକ୍ଷିଣରେ  ଟାଙ୍କୁଆ, ପଦ୍ମପୁର ଓ ଘାଟଗୁମର ସଂରକ୍ଷିତ  ଜଙ୍ଗଲ, ପୂର୍ବରେ କଳାଗୁଡା, ପାଲିଗୁଡା, ଦୁବୁଲି,  ବଡ଼ଜୋରି, ବାରିଣୀପୁଟ, ନାକଟିଡଙ୍ଗର ସଂରକ୍ଷିତ  ଜଙ୍ଗଲ ଓ ମୁଣ୍ଡିଗୁଡ଼ା ରହିଛି । ପଶ୍ଚିମରେ ରହିଛି  ଏକମ୍ବା, ଗାଗନାପୁର, କୁନ୍ତରଖାଲ ସଂରକ୍ଷିତ  ଜଙ୍ଗଲ ଏବଂ କୁନ୍ତରଖାଲ । ଏହା ମଞ୍ଜୁର  ହୋଇଥିବାରୁ ଏଣିକି ଏସବୁ ଅଞ୍ଚଳରେ ଘର  ନିର୍ମାଣ କରିବା ପୂର୍ବରୁ କ୍ରିଟ୍‌ରୁ ଲାଇସେନ୍ସ ନେବା  ବାଧ୍ୟତାମୂଳକ ।   

ସୂଚନାଥାଉକି, ୧୯୮୧ ମସିହାରେ ଜୟପୁର  ସହର ଲାଗି ଶେଷଥର ପାଇଁ ମାଷ୍ଟର ପ୍ଲାନ  ପ୍ରସ୍ତୁତ କରାଯାଇଥିଲା । ପ୍ରତି ୨୦ ବର୍ଷରେ ଥରେ ନୂଆ ମାଷ୍ଟର ପ୍ଲାନ ହେବା କଥା ।  ଅଥଚ ବିଭିନ୍ନ କାରଣରୁ ଏହାକୁ ୪୪ ବର୍ଷ  ଲାଗିଗଲା । ନୂଆ ମାଷ୍ଟର ପ୍ଲାନ ଲାଗି ୨୦୧୬ରେ ପଦକ୍ଷେପ ନିଆଯାଇଥିଲା । ନୂଆଦିଲ୍ଲୀର  ଏନ୍‌ଏଫ ଇନଫ୍ରାଟେକ୍‌ ସର୍ଭିସ ପ୍ରାଇଭେଟ୍‌  ଲିମିଟେଡ୍‌ ସଂସ୍ଥାକୁ ପ୍ଲାନ୍‌ ପ୍ରସ୍ତୁତ ଲାଗି ଦାୟିତ୍ୱ ଦିଆଯାଇଥିଲା । ୩୧.୨୩ ବର୍ଗକିମି ପରିସୀମାରେ  ହୋଇଥିଲା ସର୍ଭେ । ଏଥିଲାଗି ବଜେଟ୍‌ ରହିଥିଲା  ୧୮ ଲକ୍ଷ ୭୦ ହଜାର ଟଙ୍କା । ଅଥଚ ସଂସ୍ଥା  ପକ୍ଷରୁ ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଲାନ୍‌ରେ  କେତେକ ତ୍ରୁଟି ରହିଥିଲା । ଏହାକୁ ପୁଣିଥରେ  ସୁଧାରି ନୂଆ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବାକୁ  କ୍ରିଟ୍‌ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ପ୍ରସ୍ତୁତ  ହୋଇଥିବା ମାଷ୍ଟରପ୍ଲାନ୍‌କୁ ନେଇ କ୍ରିଟ୍‌ ପକ୍ଷରୁ  ଆପତ୍ତି ଅଭିଯୋଗ ଆହ୍ୱାନ କରାଯାଇଥିଲା । କିନ୍ତୁ  କୌଣସି ଆପତ୍ତି ଓ ଅଭିଯୋଗ ଆସିନଥିଲା ।