ମୁମ୍ବାଇ ୦୬/୦୪: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ଫିଲ୍ମ ‘ମାୟସା’ର ନିର୍ମାତାମାନେ ଫିଲ୍ମର ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ସେହି କଳାଧଳା ପୋଷ୍ଟରରେ ରଶ୍ମିକାଙ୍କୁ ଦମ୍‌ଦାର ଅବତାରରେ ଦେଖିବାକୁ ମିଳୁଛି । ତାଙ୍କ ମୁହଁ ସାରା ଧୂଳି ଏବଂ ରକ୍ତ ଲାଗିଛି । କ୍ରୋଧିତ ଆଖିରେ ସେ ଚାହିଁ ରହିଛନ୍ତି । କ୍ୟାପସନ୍‌ରେ ନିର୍ମାତାମାନେ ଲେଖିଛନ୍ତି, ‘ସେ ଆକର୍ଷଣ ଦ୍ୱାରା ଫିଲ୍ମ ଜଗତରେ ରାଜ୍ କରିଥିଲେ । ଶାଳୀନତା ଦ୍ୱାରା ବିଜୟୀ ହୋଇଥିଲେ, ଏବେ କ୍ରୋଧ ସହ ଆସୁଛନ୍ତି । ଟିମ୍ ‘ମାୟସା’ ପକ୍ଷରୁ ରଶ୍ମିକାଙ୍କୁ ଜନ୍ମଦିନର ଅଭିନନ୍ଦନ । ତାଙ୍କର ସବୁଠୁ ବିସ୍ଫୋରକ ଅଭିନୟ ଦେଖିବାକୁ ପ୍ରସ୍ତୁତ ହୋଇଯାନ୍ତୁ ।’

‘ମାୟସା’କୁ ଚଳିତବର୍ଷର ଅନ୍ୟତମ ଚର୍ଚ୍ଚିତ ଫିଲ୍ମ ଭାବେ ମନେ କରାଯାଉଛି । ଏହା ଏକ ପ୍ୟାନ୍ ଇଣ୍ଡିଆ ଆକ୍ସନ ଥ୍ରିଲର ଯାହାର କାହାଣୀ ଆଦିବାସୀ ଅଞ୍ଚଳ ଉପରେ ଆଧାରିତ । ରଶ୍ମିକା ସେଥିରେ ଜଣେ ଯୋଦ୍ଧା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ତେଣୁ ଫିଲ୍ମରେ ଦର୍ଶକ ଭରପୁର ଆକ୍ସନ ଦେଖିବାକୁ ପାଇବେ । ରବୀନ୍ଦ୍ର ପୁଲ୍ଲେ ଏହାର ନିର୍ଦ୍ଦେଶନାରେ ଅଛନ୍ତି । ‘ମାୟସା’ ବ୍ୟତୀତ ରଶ୍ମିକାଙ୍କ ହାତରେ କିଛି ବଲିଉଡ୍ ଏବଂ ଦକ୍ଷିଣ ଭାରତୀୟ ପ୍ରୋଜେକ୍ଟ ରହିଛି । ସେ ହିନ୍ଦୀ ଫିଲ୍ମ ‘କକ୍ଟେଲ-୨’ରେ ଶାହିଦ୍ କପୁର ଏବଂ କ୍ରିତି ସାନନ୍‌ଙ୍କ ସହ ସ୍କ୍ରିନ୍ ସେୟାର କରିବେ ।