ହାତୀ-ମଣିଷ ଲଢ଼େଇ ରୋକିବ ‘ଐରାବତ୍’

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଏଣିକି ହାତୀ-ମଣିଷ ମଧ୍ୟରେ ହେଉଥିବା ସଂଘର୍ଷକୁ ରୋକିବ ‘ଐରାବତ୍’ । ରାଜ୍ୟରେ ଦିନକୁ ଦିନ ହାତୀ-ମଣିଷ ଲଢ଼େଇ ବଢ଼ୁଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଖୁବ୍ଶୀଘ୍ର ପଶ୍ଚିମବଙ୍ଗରୁ ୪ଟି ଭ୍ୟାନ୍ କିଣିବେ । ଏହି ନାଁ ରହିବ ଐରାବତ୍ । ଏଥିପାଇଁ ସରକାର ଏକ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ।
ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ପ୍ରକୃତି ଭବନକୁ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଲୋକାର୍ପିତ କରିଛନ୍ତି । ଯେଉଁଥିରେ ଅନ୍ତର୍ଜାତୀୟସ୍ତରର ଭିତ୍ତିଭୂମି ସହ ଅନ୍ୟ ସମସ୍ତ ଆନୁସଙ୍ଗିକ ସୁବିଧା କରାଯାଇଛି । ଯାହାକି ଆଗାମୀ ଦିନରେ ବନ୍ୟପ୍ରାଣୀ ଶାଖାକୁ ଅଧିକ କ୍ରିୟାଶୀଳ କରିବ ବୋଲି ମନ୍ତ୍ରୀ ଶ୍ରୀ ରାଉତରାୟ କହିଛନ୍ତି ।
ସହିଦ ନଗରଠାରେ ୫ ହଜାର ବର୍ଗଫୁଟରେ ଏହି ୪ ମହଲା କୋଠା ତିଆରି ହୋଇଛି । ଏଥିରେ ଇଣ୍ଟରପ୍ରିଟେସନ୍ ସେଣ୍ଟର, ପରିବେଶ ପର୍ଯ୍ୟଟନ ସେଲ୍, ସମ୍ମିଳନୀ କକ୍ଷ, ଭିଡିଓ କନ୍ଫରେନ୍ସିଂ ସୁବିଧା, ମିନି ସମ୍ମିଳନୀ କକ୍ଷ, ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ସୁବିଧା ସହ ରାଜ୍ୟ ବନ୍ୟପ୍ରାଣୀ ଅପରାଧ ସେଲ୍ ରହିଛି । ଏହାସହ ଏକ ଲାଇବ୍ରେରୀ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଯେଉଁଠାରେ ବନ୍ୟସମ୍ପଦ ଆଧାରିତ ପାଖାପାଖି ୩ହଜାର ପୁସ୍ତକ ରହିଛି । ୮କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଭବନରେ ସିସିଟିଭି କ୍ୟାମେରା, ଛାତ ଉପର ବର୍ଷାଜଳ ଅମଳ ପ୍ରକଳ୍ପ ଭଳି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏହି ଅବସରରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍ପିଆର୍ସି)ଠାରେ ବନ ବିଭାଗରେ କାର୍ଯ୍ୟ କରି ସହିଦ ହୋଇଥିବା କର୍ମୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବାକୁ ଥିବା ସହିଦ ସ୍ତମ୍ଭର ଭିତ୍ତିପ୍ରସ୍ତରକୁ ଶ୍ରୀ ରାଉତରାୟ ଲୋକାର୍ପିତ କରିଥିଲେ ।
କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ଦେବବ୍ରତ ସ୍ୱାଇଁ, ମୁଖ୍ୟ ବନ୍ୟ ସଂରକ୍ଷକ (ବନ୍ୟପ୍ରାଣୀ) ଡ.ଏସ୍ ତ୍ରିପାଠୀ, ମୁଖ୍ୟ ବନ ସଂରକ୍ଷକ(କେନ୍ଦୁପତ୍ର) ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।