ନୂଆଦିଲ୍ଲୀ,୨୬/୦୧:ଦେଶର ସହରୀକରଣ ବୃଦ୍ଧି ସହ ଏବେ ଛୋଟ ସହର ଗୁଡ଼ିକରେ ନିଯୁକ୍ତିର ନୂଆ ସମ୍ଭାବନା ସୃଷ୍ଟି ହେଉଛି । ଟିୟର ୨ ଏବଂ ୩ ସହର ଗୁଡ଼ିକ ନିଯୁକ୍ତିର ନୂଆ ହବ୍ ଭାବେ ଉଭା ହେଉଛି । ମେଟ୍ରୋ ସହରଗୁଡ଼ିକ ବାହାରେ ଏବେ ଇନ୍ଦୋର, ଜୟପୁର, ଅହମ୍ମଦାବାଦ, କୋଚି ଏବଂ ଚଣ୍ଡୀଗଡ ଭଳି ସହରରେ ନିଯୁକ୍ତିର ନୂଆ ଲହର ସୃଷ୍ଟି ହୋଇଛି । ଛୋଟ ସହର ଗୁଡ଼ିକରେ ନିଯୁକ୍ତି ଅଭିବୃଦ୍ଧି ୨୦% ରହିଥିବା ବେଳେ ବଡ ସହର ଗୁଡ଼ିକରେ ଏହା ୧୪% ରହିଛି ।
ପ୍ରମୁଖ ଜବ୍ ଏବଂ ଟାଲେଣ୍ଟ ପ୍ଲାଟଫର୍ମ ଫାଉଣ୍ଡଇଟ ମୁତାବକ, ଚଳିତ ବର୍ଷ ୧.୨୮ କୋଟି ସମ୍ଭାବ୍ୟ ନିଯୁକ୍ତି ସହ ଛୋଟ ସହର ଗୁଡ଼ିକ ନିଯୁକ୍ତିର କେନ୍ଦ୍ର ପାଲଟୁଛି । ଅପଗ୍ରେଡ ରିକ୍ରୁଟ ମୁତାବକ, ଏଆଇ ଏବଂ ଉନ୍ନତ ସୁବିଧା ସୁଯୋଗ ଯୋଗୁ କମ୍ପାନି ଗୁଡ଼ିକ ଏବେ ଛୋଟ ସହର ଗୁଡ଼ିକରେ ଗ୍ଲୋବାଲ କାପାବିଲିଟି କରିଡର ନିର୍ମାଣ କରୁଛନ୍ତି । ୨୦୨୭ ସୁଦ୍ଧା ଏଆଇ ଭିତ୍ତିକ ଟେକ୍ ନିଯୁକ୍ତି ୨୦%ରୁ ୩୨% ବୃଦ୍ଧି ହୋଇପାରେ । ୭୯% ଏଚ୍ଆର୍ ଲିଡର୍ସ କହିଛନ୍ତି, ଛୋଟ ସହର ଗୁଡ଼ିକରେ ପ୍ରତିଭାଙ୍କୁ ବାନ୍ଧି ରଖିବା କ୍ଷମତା ମେଟ୍ରୋ ସହର ଭଳି ପ୍ରାୟ ସମାନ କିମ୍ବା ଉନ୍ନତ ରହୁଛି ।
ଆର୍ôଥକ ବର୍ଷ ୨୦୨୪-୨୫ରେ ଏହି ସହର ଗୁଡ଼ିକର ଟେକ୍ ନିଯୁକ୍ତି ଅଂଶ ୧୨% ରହିଥିଲା । ୨୦୨୭ ବେଳକୁ ଏହା ୧୯.୭%କୁ ବୃଦ୍ଧି ହୋଇପାରେ । କମ୍ପାନି ଗୁଡ଼ିକ ଏହି ସହରରେ ଇଞ୍ଜିନିୟରିଂ, ସପୋର୍ଟ, ଡାଟା ଆନାଲିସିସ, ବ୍ୟାକ୍ ଏଣ୍ଡ୍ ଅପରେସନ ଭଳି ନିଯୁକ୍ତି ଉପରେ ପ୍ରାଥମିକତା ପ୍ରଦାନ କରୁଛନ୍ତି । ଫଳରେ ସ୍ଥାନିୟ ଦକ୍ଷତା ବିକାଶ ଏବଂ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେଉଛି ।
ଛୋଟ ସହର ଗୁଡ଼ିକରେ କମ୍ପାନି ଗୁଡ଼ିକୁ ଅପେକ୍ଷାକୃତ କମ୍ ପରିଚାଳନା ଖର୍ଚ୍ଚ ପଡୁଛି । ସେହିଭଳି ଦକ୍ଷ ପ୍ରତିଭା ପାଇବା ମଧ୍ୟ ସହଜ ହେଉଛି । ଫଳରେ ସେମାନେ ଛୋଟ ସହରରେ ଟାଲେଣ୍ଟ ହବ୍ ନିର୍ମାଣ କରୁଛନ୍ତି । ଫଳରେ ବଡ ସହର ବାହାରେ ନିଯୁକ୍ତି ବୃଦ୍ଧି ହେଉଛି । ବଡ ସହରରେ ଲୋକମାନେ ଶୀଘ୍ର ନିଯୁକ୍ତି ବଦଳାଉଛନ୍ତି । ମାତ୍ର ଛୋଟ ସହରରେ ଲୋକମାନେ ସମାନ ନିଯୁକ୍ତିରେ ଅଧିକ ସମୟ କାମ କରୁଛନ୍ତି ।
ଟିୟର୨ ଏବଂ ୩ ସହରରେ ଆସୁଥିବା ନିଯୁକ୍ତିରେ ୪୦% ଯାଏ ବୃଦ୍ଧି ହୋଇଥିବା ଅପଗ୍ରେଡ ରିକ୍ରୁଟ ପ୍ରକାଶ କରିଛି । ଗତ ଗୋଟିଏ ବର୍ଷରେ ଏଠାରେ ଏଆଇ ଇଞ୍ଜିନିୟର, ଡାଟା ଆନାଲିଷ୍ଟ, ଅଟୋମେଶନ ସ୍ପେଶାଲିଷ୍ଟଙ୍କ ଚାହିଦା ୪୦% ବଢ଼ିଛି । ବିଶେଷ କରି ବିଏଫ୍ଏସ୍ଆଇ, ଆଇଟି ସେବା ଏବଂ ମାନୁଫାକଚରିଂ କ୍ଷେତ୍ର ଆଗରେ ରହିଛି । ଅହମ୍ମଦାବାଦର ଗିଫ୍ଟ ସିଟି, କୋଏମ୍ବାଟୁର, କୋଚି, ଇନ୍ଦୋର, ଲକ୍ଷେ୍ନø ଭଳି ସହର ଗୁଡ଼ିକରେ ଏଆଇ ଆଧାରିତ ନିଯୁକ୍ତି ମୋଟ ନିଯୁକ୍ତିର ଏକ ଚତୁର୍ଥାଂଶ ରହିଛି ।
ଏବେ ରାଜ୍ୟ ଗୁଡ଼ିକର ଛୋଟ ସହରର ଅଭିବୃଦ୍ଧି ନେଇ ନୀତି ବନାଉଛନ୍ତି । ଫଳରେ ବଡ ସହର ତୁଳନାରେ ଏଠାରେ ପରିଚାଳନା ଖର୍ଚ୍ଚ ୩୫% ଯାଏ କମ୍ ରହୁଛି । ଏବେ ଛୋଟ ସହର ଗୁଡ଼ିକରେ ଜିସିସି ନିବେଶ ବଢ଼ୁଛି । ଯାହା ୨୦୩୦ ସୁଦ୍ଧା ୯.୬ ଲକ୍ଷ କୋଟି ଟଙ୍କା ଛୁଇଁପାରେ । ଏଆଇ ଏବଂ ଡାଟା ସାଇନ୍ସ ଭଳି କ୍ଷେତ୍ରରେ ବେତନ ଅଭିବୃଦ୍ଧି ୨୦% ରହିପାରେ ବୋଲି ଅନୁମାନ କରାଯାଇଛି । ଭାରତରେ ୧୫୦୦ ଜିସିସି ୧୩ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛନ୍ତି । ୨୦୨୬ ସୁଦ୍ଧା ଆଉ ୫୦୦ ସିସିସ ଯୋଡି ହୋଇପାରେ । ମୋଟ ପଞ୍ଜୀକୃତ ଷ୍ଟାର୍ଟଅପ୍ ମଧ୍ୟରେ ୫୦% ଛୋଟ ସହରରେ ରହିଛନ୍ତି । ଦେଶର ୨୬ ସହର ଟେକ୍ନୋଲୋଜି ହବ୍ ଭାବେ ରୁପାନ୍ତରିତ ହୋଇଛନ୍ତି । ୬୦% ଗ୍ରାଜୁଏଟ ଛୋଟ ସହରରୁ ଆସୁଛନ୍ତି ।