ପୁରୀ,୨୯ା୧(ବ୍ୟୁରୋ): ଶ୍ରୀବିଗ୍ରହଙ୍କ ନୀତି ସମ୍ପାଦନରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ । ନିର୍ଦ୍ଧାରଣ ମୁତାବକ ସମୟରେ ସେବକମାନଙ୍କୁ ନିଜ ନିଜର ସେବାରେ ଯୋଗ ଦେବାକୁ ହେବ । କ୍ରମାଗତ ତିନିଥର ଜାଣିଶୁଣି ଠାକୁରଙ୍କ ସେବାରେ ଯୋଗ ଦେବାରେ ବିଳମ୍ବ କଲେ ସମ୍ପୃକ୍ତ ସେବାୟତଙ୍କୁ ସେବାପୂଜାରୁ ବହିଷ୍କାର କରାଯିବ । ଅନ୍ୟଅର୍ଥରେ ଶାଢ଼ୀ ବନ୍ଧା ଅଧିକାରକୁ ପ୍ରତ୍ୟାହାର କରି ନିଆଯିବ ।
ଏଭଳି କଠୋର ନିଷ୍ପତ୍ତି ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ନେଇଛି । ନୀତି ଶୃଙ୍ଖଳାକୁ ପ୍ରଶାସନ ଏବେ ଗୁରୁତ୍ୱ ଦେଉଥିବାରୁ ଏଭଳି ବର୍ଗର ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଥିଲା । ଲାଗ ଲାଗ ତିନି ଥର ବିଳମ୍ବରେ ନୀତିରେ ଯୋଗ ଦେଇଥିବା ଏହି ସେବାୟତଙ୍କୁ ସେବାପୂଜା ଅଧିକାରରୁ ବହିଷ୍କାର କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏପରି କି ଥରେ ବି ଜାଣିଶୁଣି ନୀତି ବିଳମ୍ବ କଲେ ସମ୍ପୃକ୍ତ ସେବାୟତଙ୍କୁ ବହିଷ୍କାର କରାଯିବ । ପ୍ରସ୍ତାବକୁ ପରିଚାଳନା କମିଟି ଅନୁମୋଦନ କରିଛି । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ।
ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକର ଆଲୋଚନା ଗତ ଡିସେମ୍ବର ୨୮ ତାରିଖ ନୀତି ବିଳମ୍ବ ଏବଂ ଶ୍ରୀମନ୍ଦିର ସେବାପୂଜା ଅଚଳ ହେବା ପ୍ରସଙ୍ଗରୁ ଆରମ୍ଭ ହୋଇଥିଲା । ଏହି ଘଟଣାର ତଦନ୍ତ ସମ୍ପର୍କରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ମୋଟ ୩୬ ଜଣଙ୍କୁ ଏହି ନୀତି ଅଚଳାବସ୍ଥା ନେଇ ଶ୍ରୀମନ୍ଦିର ପ୍ରଶାସନ ନୋଟିସ ଦେଇଥିବା ସୂଚନା ଦେଇଥିଲା । ଏମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ଅଣସେବାୟତ ଆଉ ୩୪ ସେବାୟତ । ଏଥିରୁ ୧୮ ଜଣଙ୍କୁ ଶ୍ରୀଜିଉଙ୍କ ନୀତି ଅଚଳରେ ସିଧା ସମ୍ପୃକ୍ତି ପାଇଁ ନୋଟିସ ହୋଇଛି । ବାକି ସେବକଙ୍କୁ ନୀତି କାହିଁକି ଅଚଳ ହେଲା ତାହାର ଜବାବ ମଗାଯାଇଛି । ଏମାନଙ୍କଠାରୁ ଜବାବ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପରିଚାଳନା କମିଟିକୁ ଆଶ୍ୱାସନା ମିଳିଥିବାର ଖବର ମିଳିଛି ।
ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ଏବେ ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ ଭାବେ ଚାଲିଛି । ଏହାକୁ ଜାରି ରଖିବାକୁ ପରିଚାଳନା କମିଟି ପରାମର୍ଶ ଦେଇଛି । ମହାପ୍ରସାଦ ଦର ନିର୍ଦ୍ଧାରଣ ଉପରେ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । ପୂର୍ବାହ୍ନରେ ସୂପକାରଙ୍କ ସହ ଦର ନେଇ ଆଲୋଚନା ହୋଇଥିଲା । ସୁପକାରମାନେ ଏକ ଦର ନେଉଥିଲେ । ପ୍ରଶାସନ ଏବେ ଏକ ଦର ପ୍ରସ୍ତୁତ କରିଛି । ଏହି ଦୁଇ ଦରକୁ ବିଚାର କରି ସୁପକାରମାନେ ସେମାନଙ୍କ ମତାମତ ଦେବା ପରେ ପରିଚାଳନା କମିଟିରେ ମହାପ୍ରସାଦର ଦର ଚୂଡ଼ାନ୍ତ କରିବାକୁ ପଦକ୍ଷେପ ନିଆଯିବ । ସେହିଭଳି ଆନନ୍ଦବଜାର ସଂସ୍କାର ଉପରେ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା । ସେଡ୍ ନିର୍ମାଣ ଏବଂ ଦିବ୍ୟାଙ୍ଗ ଦର୍ଶନାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସମୟ ଧାର୍ଯ୍ୟ କରିବା ଏବଂ ଦେଉଳକୁ ଉଠିବାକୁ ଉତ୍ତର ଦ୍ୱାରର ପ୍ରସ୍ତାବିତ ର୍ୟାମ୍ପ ଉପରେ ଜିଲ୍ଲାପାଳ ଓ ଏସ୍ପି ଘଟଣାସ୍ଥଳ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ହେବ ।
ପରିଚାଳନା କମିଟିକୁ ସଭାରେ ଅବଗତ କରାଯାଇଥିଲା ଯେ ସରକାର ଶ୍ରୀମନ୍ଦିର ପ୍ରଶାସନର ଜମି ପାଇଁ ପ୍ରସ୍ତୁତ ସଂଶୋଧିତ ୟୁନିଫର୍ମ ପଲିସିକୁ ଅନୁମୋଦନ ଦେଇନାହାନ୍ତି । ଶୀଘ୍ର ସରକାରଙ୍କ ଠାରୁ ଅନୁମୋଦନ ଆସିବାର ଆଶା କରାଯାଉଛି । ପରେ ଜମି ବିକ୍ରି ପ୍ରକ୍ରିୟା ଆରମ୍ଭ ହେବ । ନୀତି ବର୍ତ୍ତମାନ ସୁଧାର ହେଉଛି । ଆଠ ବର୍ଷ ପୂର୍ବେ ପ୍ରସ୍ତାବିତ ସକାଳ ଧୂପ ଏବଂ ଭୋଗ ମଣ୍ଡପ ନୀତି ଏକାଠି କରାଯିବାକୁ ପ୍ରସ୍ତାବ ଯାଇଥିଲା ଆଇନ ବିଭାଗକୁ । ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପରିବର୍ତ୍ତନକୁ ସରକାରୀ ଗେଜେଟ୍ରେ ଆଜି ନୋଟିଫିକେସନ କରାଯାଇଛି । ଏହି ନୋଟିଫିକେସନ ଆସିଗଲେ ନୀତି ଆହୁରି ସଅଳ ବଢ଼ିବ । ଏକାଥରକେ ଭୋଗମଣ୍ଡପ ଓ ସକାଳ ଧୂପ ଉଠିଲେ ନୀତି ଅନୁପାଳନ ପାଇଁ ଏକ ଘଣ୍ଟା ଫାଙ୍କା ମିଳିବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ ।
ବୈଠକରେ ପହିଲି ଭୋଗ, ମକର ସଂକ୍ରାନ୍ତି ନୀତି ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶୃଙ୍ଖଳା ତଥା ନୀତିରେ ବିଳମ୍ବ କରୁଥିବା ସେବାୟତଙ୍କ ପୁରସ୍କାର ପ୍ରାପ୍ୟ ୧୫ ମିନିଟ୍ ବିଳମ୍ବ ହେଲେ ୨୫ ପ୍ରତିଶତ, ୩୦ ମିନିଟ୍ ବିଳମ୍ବ ହେଲେ ୫୦ ଭାଗ ଏବଂ ୧ ଘଣ୍ଟା ବିଳମ୍ବ ହେଲେ ସମ୍ପୂର୍ଣ୍ଣ ଭାବେ କାଟି ଦିଆଯିବ । ପରିଚାଳନା କମିଟିରେ ଆଲୋଚନା ହେଇଥିବା ଅନ୍ୟ ପ୍ରସଙ୍ଗ ମଧରେ ରହିଛି ନବକଳେବର ମୁଦ୍ରା ପୁନଃ ନିୟମିତ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ, ଆନନ୍ଦବଜାରର ସମ୍ପୂର୍ଣ୍ଣ ସଂସ୍କାର, ମହାପ୍ରସାଦ ଦର ହାରାହାରି କରି ସମସ୍ତଙ୍କ ପରାମର୍ଶରେ ନିର୍ଦ୍ଧାରଣ କରାଯିବ । ସେହିପରି ଯାତ୍ରୀ ପରିଚର୍ଯ୍ୟା, ଗୁରୁକୂଳ ପରିଚାଳନା, ସୁପ୍ରିମକୋର୍ଟ ମାମଲାରେ ୧୨ ପଏଣ୍ଟ ଉପରେ ସତ୍ୟପାଠ ଦାଖଲ, ରୋଷଘର ନିୟନ୍ତ୍ରଣ, ଫଟୋ ପରିଚୟ ପତ୍ର, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂସ୍କାର ଉପରେ ଆଲୋଚନା ହୋଇଥିଲା । ବୈଠକରେ ସେବାୟତ ପ୍ରତିନିଧି, ସରକାରୀ ପ୍ରତିନିଧି ସଭ୍ୟ, ଶ୍ରୀମନ୍ଦିର ପରିକ୍ରମା, ଖଣି ଲିଜ ଆଦି ପ୍ରସଂଗ ଉପରେ ମତାମତ ଉପସ୍ଥାପନ କରିଥିଲେ ।

ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲ...