ନୂଆଦିଲ୍ଲୀ: ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ତଥା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୪୪ ରନରେ ଜିତିଲା ଭାରତ। ୨୫୦ ରନ୍‌ର ଟାର୍ଗେଟ୍‌ ପିଛା କରି ୪୫.୩ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୨୦୫ ରନ୍‌ କରି ପାରିଛି ନ୍ୟୁଜିଲାଣ୍ଡ। ଏହି ବିଜୟ ସହ ଭାରତ ଗ୍ରୁପ୍‌-ଏର ଶୀର୍ଷରେ ରହିଛି। ଭାରତ ସେମିଫାଇନାଲ ଅଷ୍ଟ୍ରେଲିଆ ସହ ଖେଳିବ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମ୍ୟାଟ ହେନରୀଙ୍କ ଶାଣିତ ବୋଲିଂର ଉଚିତ୍ ମୁକାବିଲା କରି ନ ପାରି ୯ ଓ୍ଵିକେଟ୍ ହରାଇ ୨୪୯ ରନ କରିଥିଲା ଭାରତ। ଶ୍ରେୟସ ଆୟର ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା  ଉପଯୋଗୀ ୪୫ ରନ କରିଛନ୍ତି। ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୨୫୦ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୪୨ ରନ ଦେଇ ୫ ସଫଳତା ପାଇଛନ୍ତି।

ଗ୍ରୁପ୍‌-ଏ’ରେ ଭାରତ ଓ ନ୍ୟୁଜିଲାଣ୍ଡ ୨ଟି ଲେଖାଏଁ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରି ସାରିଛନ୍ତି। ବର୍ତ୍ତମାନର ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଓ ଭାରତ ପ୍ରଥମ ସ୍ଥାନରେ ରହିଛନ୍ତି। ଏହି ଗ୍ରୁପ୍‌ରୁ ପାକିସ୍ତାନ ଓ ବାଂଲାଦେଶ ବିଦାୟ ନେଇ ସାରିଛନ୍ତି। ଆଜିର ମ୍ୟାଚ୍‌ ପରେ ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିବା ଭାରତ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ଦଳ ଦକ୍ଷିଣ ଆଫ୍ରିକାର ସାମ୍ନା କରିବ।