ନୂଆଦିଲ୍ଲୀ, ୧୧।୩: ସାଧାରଣତଃ କୌଣସି ଦେଶରେ ଜନ୍ମ ହେଲେ କିମ୍ୱା ସେଠାରେ ଅଧିକ ଦିନ ଧରି ବାସ କକେଲ ଦେଶର ବାସିନ୍ଦା ସେଠାକାର ନାଗରିକ ହୋଇଥାନ୍ତି । କିଛି ଏଭଳି ଦେଶ ମଧ୍ୟ ରହିଛି, ଯେଉଁଠାରେ ବିଦେଶରୁ ଆସିଥିବା ଲୋକଙ୍କୁ ବି ସେଠାକାର ନାଗରିକତ୍ୱ ପ୍ରଦାନ କରାଯାଇଥାଏ । ତେବେ ମଣିଷମାନଙ୍କୁ ନାଗରିକତ୍ୱ ମିଳିବା ତ ସାଧାରଣ କଥା । କିନ୍ତୁ, କେବେ କୌଣସି ପାହାଡ଼କୁ ଏହି ଅଧିକାର ମିଳିବା କଥା କେବେ ଶୁଣିଛନ୍ତି କି ? ଦୀର୍ଘଦିନ ଆଇନଗତ ଲଢ଼େଇ ପରେ ଏବେ ଏକ ପାହାଡ଼କୁ ନାଗରିକ ଅଧିକାର ମିଳିଛି । ନ୍ୟୁଜିଲାଣ୍ଡରେ ନୂଆ କରି ନାଗରିକ ତାଲିକାରେ ଏକ ପାହାଡ଼କୁ ସାମିଲ କରାଯାଇଛି । ପ୍ରାକୃତିକ ସଂରଚନାକୁ ନାଗରିକ ଅଧିକାର ଦେବାରେ ନ୍ୟୁଜିଲାଣ୍ଡ ବିଶ୍ୱର ପ୍ରଥମ ଦେଶ । ଏଥିସହ ଏହି ପାହାଡ଼ ସମସ୍ତ ମାନବିକ ଅଧିକାର ମିଳିବ ବୋଲି ସେଠାକାର ଆଇନ ବ୍ୟବସ୍ଥା ସ୍ୱୀକୃତି ଦେଇଛି । ଏହି ପାହାଡ଼ର ନାଁ ହେଉଛି ମାଉଣ୍ଟ ‘ତାରାନାକୀ’ । ଏହାକୁ ସେଠାକାର ମୂଳବାସିନ୍ଦା ମାଓରୀ ସମ୍ପ୍ରଦୀୟ ନିଜର ପୂର୍ବପୁରୁଷ ବୋଲି ମାନିଥାନ୍ତି । ନୂଆ ନିର୍ଦ୍ଦେଶ ଅନୁସାରେ, ତାରନାକୀ ପାହାଡ଼ ଏବଂ ଏହାର ଆଖପାଖରେ ଥିବା ଶୃଙ୍ଗଗୁଡ଼ିକ ଆଇନ ଅନୁଯାୟୀ, ଏକ ମଣିଷ ପରି ବ୍ୟବହାର ଓ ସୁରକ୍ଷା ପାଇବ । ଏହି ପାହାଡ଼ଟି ମାଓରୀ ନାମ ‘ତାରାନକୀ ମୌଙ୍ଗା’ ନାଁରେ ପରିଚିତ ହେବ ।

ତେବେ ନ୍ୟୁଜିଲାଣ୍ଡରେ ଆଇନଗତ ଭାବେ ମଣିଷ ଅଧିକାର ପାଇଥିବା ଏହା ହେଉଛି ତୃତୀୟ ପ୍ରାକୃତିକ ସଂରଚନା । ଏହା ପୂର୍ବରୁ ଏକ ପବିତ୍ର ଭୂଭାଗ ଏବଂ ଏକ ନଦୀକୁ ମଧ୍ୟ ଏପରି ଅଧିକାର ଦିଆଯାଇଛି । ୨୦୧୪ ମସିହାରେ ‘ୟୁରେୱାଡ଼ା ଦେଶୀୟ ଉଦ୍ୟାନ’ ପ୍ରଥମ କରି ଏପରି ଅଧିକାର ପାଇଥିଲା । ଏହାପରେ ସରକାରୀ ଅଧିକାର ଶେଷ ହୋଇ ସ୍ଥାନୀୟ ‘ତୁହୋଏ’ ଜନଜାତି ଏହାର ରକ୍ଷଣାବେକ୍ଷଣ ଅଧିକାର ପାଇଥିଲେ । ୨୦୧୭ ମସିହାରେ ‘ହ୍ୱାଙ୍ଗାନୁଇ ନଦୀ’କୁ ମଧ୍ୟ ଏହି ନାଗରିକ ଅଧିକାର ମିଳିଥିବାବେଳେ ଏହାର ଦାୟିତ୍ୱ ମାଓରୀ ସମ୍ପ୍ରଦାୟଙ୍କୁ ମିଳିଥିଲା । ସ୍ଥାନୀୟ ଜନଜାତି ମାଓରୀମାନଙ୍କ ବଡ଼ ସାମାଜିକ ସଙ୍ଗଠନ ‘ଇୱି’ ତଥା ସରକାରଙ୍କ ପ୍ରତିନିଧି ତାରାନାକୀ ମୌଙ୍ଗା ମାଉଣ୍ଟେନର ରକ୍ଷଣାବେକ୍ଷଣ କରିବେ । ତାରାନାକୀ ଅଞ୍ଚଳରେ ମାଓରୀ ଲୋକମାନଙ୍କ ସହିତ ଔପନିବେଶୀକରଣ ସମୟରେ ହୋଇଥିବା ଅନ୍ୟାୟର କ୍ଷତିପୂରଣ ଦେବା ଏହି ବୁଝାମଣାର ଉଦ୍ଦେଶ୍ୟ । ପ୍ରାୟ ୮ ହଜାର ୨୬୧ ଫୁଟ୍ ଉଚ୍ଚ ଏକ ନିଷ୍କ୍ରିୟ ଆଗ୍ନେୟଗିରି । ଯାହା ଉତ୍ତର ଦ୍ୱୀପପୁଞ୍ଜର ଦ୍ୱିତୀୟ ଉଚ୍ଚତମ ପର୍ବତ । ଏହି ପର୍ବତ ପର୍ଯ୍ୟଟକ, ପର୍ବତାରୋହୀଙ୍କ ମଧ୍ୟରେ ବେଶେ ଲୋକପ୍ରିୟ । ନ୍ୟୁଜିଲାଣ୍ଡ ସଂସଦରେ ଏହି ବିଲ୍ ପାସ୍ ହେବା ପରେ ତେ-ପାତି ମାଓରୀର ସହ ପ୍ରତିଷ୍ଠାତା ଡେବି ନାରେୱା-ପ୍ୟାକର କହିଥିଲେ ଯେ, ‘ଆମ ମୌଙ୍ଗା, ମୌଙ୍ଗା ତୁପୁନା ଏବେ ଅନ୍ୟାୟ, ଅଜ୍ଞାତ ଏବଂ ଘୃଣାର ଶୃଙ୍ଖଳରୁ ମୁକ୍ତ ହୋଇଛି’ । ସଂସଦରେ ଏହି ବିଲ୍ ପାସ୍ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ ମାଓରୀ ସଂସଦ ବାହାରେ ଏହି ଐତିହାସିକ ମୁହୂର୍ତ୍ତରେ ସାକ୍ଷୀ ହେବା ଲାଗି ରହିଥିଲେ ।

କହିରଖୁ କି, ଏହି ପର୍ବତକୁ ନ୍ୟୁଜିଲାଣ୍ଡର ଔପନିବେଶୀକରଣ ସମୟରେ ମାଓରୀ ସମ୍ପ୍ରଦାୟଠାରୁ ଛଡ଼ାଇନିଆଯାଇଥିଲା । ୧୭୭୦ ମସିହାରେ ବ୍ରିଟିଶ ଅନ୍ୟେଷଣକାରୀ କ୍ୟାପଟେନ୍ ଜେମ୍ସ ବୁକ୍ ଏହି ପର୍ବତକୁ ଠାବ କରି ଏହାର ନାଁ ‘ମାଉଣ୍ଡ ଏଗମୋଣ୍ଟ’ ରଖିଥିଲେ । ବର୍ତ୍ତମାନ ଆଇନ ଅନୁସାରେ, ଏହି ପର୍ବତର ବ୍ୟକ୍ତିତ୍ୱକୁ ‘ତେ କାହୁଇ ତୁପୁଆ’ ବୋଲି କୁହାଯିବ । ଏହି ପର୍ବତଟିକୁ ଜୀବିତ ବୋଲି ବିବେଚନା କରାଯାଉଥିବା ବେଳେ ଏହାକୁ ସେଠାକାର ନାଗରିକ ଭାବେ ମାନ୍ୟତା ପ୍ରଦାନ କରାଯିବ । ଏହି ପର୍ବତରକୁ ଲାଗି ରହିଥିବା ଜାତୀୟ ଉଦ୍ୟାନକୁ ମଧ୍ୟ ଏକ ମାଓରୀ ନାଁ ଦିଆଯିବ । ୧୮୪୦ ଦଶକରେ ମାଓରୀ ସମ୍ପ୍ରଦାୟ ଏବଂ ଇଂରେଜମାନଙ୍କ ମଧ୍ୟରେ ହୋଇଥିବା ୱେଟାଙ୍ଗି ଚୁକ୍ତି ଅନୁସାରେ, ମାଓରୀମାନଙ୍କୁ ନିଜ ଭୂମି ଓ ସମ୍ୱଳ ଉପରେ ଅଧିକାର ମିଳିବ ବୋଲି ଆଶ୍ୱାସନା ଦିଆଯାଇଥିଲା । କିନ୍ତୁ, ଇଂରେଜ ଓ ମାଓରୀ ଭାଷାରେ ଏହାର ଅର୍ଥ ଭିନ୍ନ ହୋଇଥିବାରୁ ଇଂରେଜମାନେ ଏହି ନିୟମର ଉଲଙ୍ଘନ କରିଥିଲେ । ୧୮୮୫ ମସିହାରେ ତାରାନକୀ ପର୍ବତ ସହ ସେହି ଅଞ୍ଚଳର ବିସ୍ତୀର୍ଣ୍ଣ ଭୂଭାଗକୁ ଇଂରେଜମାନେ କବାଜ କରିନେଇଥିଲେ । ଦୀର୍ଘଦିନର ଅପେକ୍ଷା ପରେ ମାଓରୀ ସମ୍ପ୍ରଦୀୟଙ୍କ ଦାବିରେ ତାରାନାକୀ ପର୍ବତକୁ ନାଗରିକ ଅଧିକାର ମିଳିଛି ।