ନୂଆଦିଲ୍ଲୀ, ୯।୭: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଛି ତିକ୍ତତା । ପଶ୍ଚିମ ଏସିଆର ସାମରିକ ସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ବଡ଼ ଆର୍ଥିକ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ସେଠାକାର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଭାରତ ସହିତ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଚୁକ୍ତିନାମା ଲାଗୁ ହେବା ମାତ୍ରେ ନ୍ୟୁଜିଲାଣ୍ଡରୁ ଭାରତକୁ ଆସୁଥିବା ୫୭ ପ୍ରତିଶତ ସାମଗ୍ରୀ ଉପରେ ପ୍ରଥମ ଦିନରୁ ହିଁ କୌଣସି ଟାରିଫ୍ ଲାଗିବ ନାହିଁ । ଦୁଇ ଦେଶର ବ୍ୟାପାରିକ ସମ୍ପର୍କ କ୍ଷେତ୍ରରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।
ପ୍ରଥମ ଦିନରୁ ୫୭% ରପ୍ତାନି ହେବ ଟାରିଫ୍ ଫ୍ରି:
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଲେଖିଛନ୍ତି ଯେ, ଭାରତ ସହିତ ହେବାକୁ ଥିବା ଏହି ଟ୍ରେଡ୍ ଡିଲ୍ ନ୍ୟୁଜିଲାଣ୍ଡର ବ୍ୟବସାୟ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସାବ୍ୟସ୍ତ ହେବ । ଭାରତକୁ ପଠାଯାଉଥିବା ନ୍ୟୁଜିଲାଣ୍ଡର ୫୭ ପ୍ରତିଶତ ରପ୍ତାନି ସାମଗ୍ରୀ ଉପରେ ପ୍ରଥମ ଦିନରୁ କୌଣସି ଶୁଳ୍କ ଲାଗିବ ନାହିଁ, ଯାହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ଏକ ନୂଆ ଦିଗ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୦ ରୁ ୧୧ ପର୍ଯ୍ୟନ୍ତ ଦୁଇ ଦିନିଆ ରାଜକୀୟ ଗସ୍ତରେ ନ୍ୟୁଜିଲାଣ୍ଡ ଯିବେ । ପ୍ରାୟ ଚାରି ଦଶନ୍ଧି ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ ।
ଏହା ବି ପଢ଼ନ୍ତୁ... "ହର୍ମୁଜ୍ ବନ୍ଦ ହେଲେ ବି ଭାରତ ପ୍ରସ୍ତୁତ ! ୪୧ ଦେଶର ତେଲ, ୭୪ ଦିନର ବ୍ୟାକଅପର ଅଛି ମାଷ୍ଟରପ୍ଲାନ୍ …
ସରକାରୀ ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ବିନିଯୋଗ ବୃଦ୍ଧି, ପ୍ରତିରକ୍ଷା ଏବଂ ସାମରିକ ସହଯୋଗ, ବୈଷୟିକ ଜ୍ଞାନକୌଶଳର ଆଦାନପ୍ରଦାନ, କ୍ରିଟିକାଲ୍ ମିନେରାଲ୍ସ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହେବ । ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ଆଗକୁ ବଢ଼ାଇବେ । ଅକଲାଣ୍ଡ ରହଣି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରମୁଖ ଶିଳ୍ପପତି, କ୍ରୀଡ଼ା ଜଗତର ବ୍ୟକ୍ତିତ୍ୱ ଏବଂ ଭାରତୀୟ ସମୁଦାୟର ଲୋକଙ୍କୁ ଭେଟିବେ । ଏଥିସହ ସେ ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି, ଯାହା ଦ୍ୱାରା ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ତିନି ଦେଶ ଗସ୍ତର ଶେଷ ପର୍ଯ୍ୟାୟ ହେଉଛି ନ୍ୟୁଜିଲାଣ୍ଡ । ଏହି ଗସ୍ତ ଜୁଲାଇ ୬ ରେ ଇଣ୍ଡୋନେସିଆରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ଏହି ସମ୍ପୂର୍ଣ୍ଣ ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି ଇଣ୍ଡୋ-ପ୍ୟାସିଫିକ୍ କ୍ଷେତ୍ରର ପ୍ରମୁଖ ଦେଶଗୁଡ଼ିକ ସହିତ ଭାରତର ସାମରିକ ଏବଂ ଅର୍ଥନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ।