ଭୁବନେଶ୍ୱର,୦୯/୦୭: ଗତ ୧ ତାରିଖରେ କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦିତ ହୋଇଥିଲା । ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି ।
ବର୍ତ୍ତମାନ ନାମଲେଖା ପର୍ବ ଚାଲିଥିବା ବେଳେ ଯୁକ୍ତ ଦୁଇରେ ନାମଲେଖା ଫି’କୁ ସଂପୂର୍ଣ୍ଣ ଭାବେ ମାଗଣା କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ସେହିପରି ଯୁକ୍ତ ତିନି ତଥା ସ୍ନାତକ ଏବଂ ସ୍ନାତକୋତ୍ତର (ପିଜି)ରେ ନାମଲେଖା ପାଇଁ ମଧ୍ୟ କୌଣସି ଫି’ ନିଆଯିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏମିତି ସ୍ନାତକରେ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଫି’କୁ ମଧ୍ୟ ଫେରସ୍ତ କରାଯିବ ।
ବୁଧବାର ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ନାମଲେଖା ଫି’ ଗ୍ରହଣ କରାଯିବ ନାହିଁ । ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି, ଗଣଶିକ୍ଷା ବିଭାଗରେ ଚଳିତ ଶିକ୍ଷାବର୍ଷ (୨୦୨୬-୨୭)ରୁ ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି’ ଯୋଜନାକୁ କାର୍ଯ୍ୟକାରୀ କରାଗଲା । ସମସ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ନାମଲେଖା ପାଇଁ କୌଣସି ଫି ନିଆଯିବ ନାହିଁ । ସେହିପରି ସରକାରୀ ଓ ଅନୁଦାନପ୍ରାପ୍ତ (୪୪୮ ଓ ୬୬୨) ଉଚ୍ଚ ମାଧ୍ୟମିକ ସ୍କୁଲ ଅର୍ଥାତ୍ ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ କୌଣସି ଫି ଗ୍ରହଣ କରାଯିବ ନାହିଁ ।
ଅଧିକ ପଢ଼ନ୍ତୁ :- ବିଚିତ୍ରାନନ୍ଦଙ୍କ ୪ ଦଶନ୍ଧିର ଅଭିଯାନ ସଫଳ, ମଦ ଛାଡ଼ିଲେ ୫ ଗାଁର ୪୦୦ ପରିବାର, ଭଗବତ ଚର୍ଚ୍ଚାରେ ବିତୁଛି ସନ୍ଧ୍ୟା
ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ତିନି ପାଇଁ ସଂଶୋଧିତ ସମୟ ସାରଣୀ ବିଜ୍ଞପ୍ତିରେ କୁହାଯାଇଛି, ନିୟମିତ କୋର୍ସରେ ନାମ ଲେଖାଇଲେ କୌଣସି ନାମଲେଖା ଫି’ ନିଆଯିବ ନାହିଁ । ମାତ୍ର ସେଲ୍ଫ ଫାଇନାନ୍ସରେ ନାମ ଲେଖାଇଲେ ଏହାର ଫି ଛାତ୍ରଛାତ୍ରୀ ପ୍ରଦାନ କରିବେ । ସରକାରୀ କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ କଲେଜରେ ନାମ ଲେଖାଇଲେ ଫି ସଂପୂର୍ଣ୍ଣ ଛାଡ଼ କରାଯିବ । ଏପରିକି ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନାମଲେଖା ଫି ଫେରସ୍ତ କରାଯିବ । ସେଲ୍ଫ ଫାଇନାନ୍ସ, ଅଣ ଅନୁଦାନପ୍ରାପ୍ତ, ପିପିପି ମୋଡ୍ରେ ପରିଚାଳିତ ଅନୁଷ୍ଠାନ ଓ ପାଠ୍ୟକ୍ରମ ତଥା ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମକୁ ଏହି ଯୋଜନାରେ ସାମିଲ କରାଯାଇନାହିଁ । ଏହି ଯୋଜନାରେ ପ୍ରଥମ ବର୍ଷରେ ୮୯୫.୫୭ କୋଟି ଟଙ୍କା ଓ ପାଞ୍ଚ ବର୍ଷରେ ୫,୪୬୭.୫୫ କୋଟି ଟଙ୍କା ବ୍ୟୟକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି ।