ନୂଆଦିଲ୍ଲୀ, ୨୭/୦୧: ଫୁଲ ଭଳି ଛକା ଆଉ ଚୌକାର ବର୍ଷା । କୌଣସି ଭ୍ରମଣକାରୀ ବୋଲର ପାଇଲେନି ନିସ୍ତାର । ତାଣ୍ଡବ ରଚିଲେ ଯୁବ ତାରକା ଅଭିଷେକ ଶର୍ମା । କମ ନଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଉଭୟଙ୍କ ନିର୍ଘାତ ମାଡ଼ରେ ନ୍ୟୁଜିଲାଣ୍ଡ ବୋଲରଙ୍କ ଲୟ ବିଗାଡ଼ି ଗଲା । ରନ୍ ବିଜୁଳି ଗତିରେ ଆଗେଇଲା । ଚାହୁଁ ଚାହୁଁ ମାତ୍ର ୧୦ ଓଭରରେ ଖେଳ ଶେଷ ହୋଇଗଲା । ଭାରତ ତୃତୀୟ ଟି-ଟ୍ୱେଣ୍ଟିକୁ ୮ ୱିକେଟ୍ରେ ବିଜୟୀ ହେବା ସହ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ କବଜା କରିଛି । ଆସନ୍ତାକାଲି ଚତୁର୍ଥ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତେବେ ଅଭିଷେକ ୨୦ ବଲରୁ ୭ ଚୌକା ଓ ୫ ଛକା ସହ ୬୮ ରନ୍ କରିଥିଲେ । ୧୪ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ଅଭିଷେକ । ତୃତୀୟ ଟି-ଟ୍ୱେଣ୍ଟି ପରେ ନ୍ୟୁଜିଲାଣ୍ଡ ଖେଳାଳି ଅଭିଷକଙ୍କ ବ୍ୟାଟ ଯାଞ୍ଚ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ନ୍ୟୁଜିଲାଣ୍ଡ ଖେଳାଳିମାନେ ବ୍ୟାଟ୍ ଯାଞ୍ଚ କରିଥିଲେ- ଅଭିଷେକ ବ୍ୟାଟିଂ କରୁଥିବା ସମୟରେ ନ୍ୟୁଜିଲାଣ୍ଡର କିଛି ଖେଳାଳି ତାଙ୍କ ପାଖକୁ ଆସି ତାଙ୍କ ବ୍ୟାଟ୍ ଯାଞ୍ଚ କରିବାକୁ ଲାଗିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ- ଫଟୋ ଭାଇରାଲ ହେଉଛି । ଯେଉଁଥିରେ ମିଚେଲ ସାଣ୍ଟନର, ଡେଭନ କନୱେ ଏବଂ ଦ୍ରୁତ ବୋଲର ଜାକବ ଡଫି ଅଭିଷେକଙ୍କ ବ୍ୟାଟ୍ ଯାଞ୍ଚ କରି ହସୁଛନ୍ତି । ଯେପରି ସେମାନେ ଅଭିଷେକଙ୍କ ବ୍ୟାଟରେ ସ୍ପ୍ରିଙ୍ଗ ଅଛି କି ନାହିଁ ତାହା ଯାଞ୍ଚ କରୁଛନ୍ତି, ଯାହା ଫଳରେ ସେ ଏପରି ରନ୍ କରଛନ୍ତି । ରିକି ପଣ୍ଟିଂଙ୍କ ସହିତ ମଧ୍ୟ ସମାନ କିଛି ଘଟିଥିଲା । ୨୦୦୩ ମସିହାରେ, ଯେତେବେଳେ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପରେ ଭାରତକୁ ପରାସ୍ତ କରିଥିଲା, ରିକି ପଣ୍ଟିଂଙ୍କ ବ୍ୟାଟ ବିଷୟରେ ସମାନ ଅନୁମାନ ଉଠିଥିଲା । ଦାବି କରାଯାଇଥିଲା ଯେ ତାଙ୍କ ବ୍ୟାଟରେ ଥିବା ସ୍ପ୍ରିଙ୍ଗ ହିଁ ଫାଇନାଲରେ ଶତକ ମାରିବାର କାରଣ ଥିଲା । ସେତେବେଳେ ଅନେକ ଲୋକ ଏହା ବିଶ୍ୱାସ କରୁଥିଲେ, କିନ୍ତୁ ଏହା ସତ୍ୟ ନଥିଲା ।
ଅଭିଷେକଙ୍କ ଦ୍ରୁତ ଅର୍ଦ୍ଧଶତକ - ଉକ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ରେ ୧୫୩ ରନ୍ରେ ସୀମିତ ରହିଥିଲା । ୧୦ ଓଭରରେ ଭାରତ ୨ ୱିକେଟ୍ ହରାଇ ୧୫୫ ରନ କରିଥିଲା । ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ପାଇଁ ଅଭିଷେକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ୧୫୪ ରନ୍ର ଟାର୍ଗେଟକୁ ପିଛା କରିଥିଲା ଭାରତ । ଓପନର ସଞ୍ଜୁ ସାମସନ ଖାତା ଖୋଲିପାରି ନଥିଲେ । ଇଶାନ କିଷନ ୧୩ ବଲ୍ ସାମ୍ନା କରି ୩ଟି ଚୌକା ଓ ୨ଟି ଛକା ମାରି ୨୮ ରନ୍ କରି ଫେରିଥିଲେ । ଓପନର ଅଭିଷେକ ଓ ଅଧିନାୟକ ସୂର୍ଯ୍ୟକୁମାର ଯୋଡ଼ି ଏହାପରେ ଭୟଙ୍କର ବ୍ୟାଟିଂ କରିଥିଲେ । ଅଭିଷେକ ମାତ୍ର ୧୪ ବଲ (୫ ଚୌକା ଓ ୪ ଛକା) ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ ।
ଯୁବରାଜ ସିଂଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ଗୌରବର ଅଧିକାରୀ ହୋଇଥିଲେ । ମାତ୍ର ୧୨ ବଲରୁ ଯୁବରାଜ ଅର୍ଦ୍ଧଶତକ ପୂରଣ କରିଥିଲେ । ସେମିତି ସୂର୍ଯ୍ୟକୁମାର ୨୫ ବଲରୁ ୫୦ ରନ କରିଥିଲେ । ଉଭୟ ୧୫.୫୦ ହାରରେ ରନ ସଂଗ୍ରହ କରି ଦଳକୁ ମାତ୍ର ୧୦ ଓଭରରେ ବିଜୟୀ କରାଇଥିଲେ । ଅଭିଷେକ ୨୦ ବଲରୁ ୭ ଚୌକା ଓ ୫ ଛକା ସହ ୬୮ ଏବଂ ସୂର୍ଯ୍ୟକୁମାର ୨୬ ବଲରୁ ୬ ଚୌକା ଓ ୩ ଛକା ମାରି ୭୫ ରନ କରି ଅପରାଜିତ ରହିଥିଲେ । ୮ ୱିକେଟରେ ତୃତୀୟ ମ୍ୟାଚ ଜିତି ୩-୦ରେ ଆଗୁଆ ସିରିଜ୍ କବାଜ କରିଛି ଭାରତ । ଦିନିକିଆ ପରାଜୟର ପ୍ରତିଶୋଧ ଟି-ଟ୍ୱେଣ୍ଟିରେ ନେଇ ସୂର୍ଯ୍ୟସେନା ।