ନୂଆଦିଲ୍ଲୀ,୧୭।୨: ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ବା ଏନଜିଟି ସୋମବାର କେନ୍ଦ୍ରର ୯୦ ହଜାର କୋଟିରୁ ଅଧିକ ମୂଲ୍ୟର ଗ୍ରେଟ୍ ନିକୋବର ମେଗା ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛି। ଏନଜିଟି ଏହାର ରଣନୈତିକ ଗୁରୁତ୍ୱ ଦର୍ଶାଇଏହି ପ୍ରୋଜେକ୍ଟକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରିଦେଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଶ୍ୱର ୪୦% ତେଲ ଟ୍ୟାଙ୍କର୍ ଗ୍ରେଟ୍ ନିକୋବରର ଭାରତ ମହାସାଗର ଅଞ୍ଚଳ ଦେଇ ଯାଆନ୍ତି। ଯାହା ଉପରେ ଏବେ ନଜର ରଖିପାରିବ ଭାରତ।
ନିକୋବର ପ୍ରୋଜେକ୍ଟ ରୋକିବାର କୌଣସି ଆଧାର ନାହିଁ
ଏନଜିଟି ମୁଖ୍ୟ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ୨୦୨୨ରେ ଏହି ପ୍ରୋଜେକ୍ଟକୁ ମଞ୍ଜୁରୀ ଦେବା ପାଇଁ ପରିବେଶ ମନ୍ତ୍ରଣାଳୟର ନିଷ୍ପତ୍ତିକୁ ବଜାୟ ରଖିଥିଲେ। ଏନଟି ଏହା ମଧ୍ୟ କହିଥିଲେ ଯେ, ଏହି ପ୍ରୋଜେକ୍ଟ ସହ ପର୍ଯ୍ୟାପ୍ତ ସେଫ୍ ଗାର୍ଡସ୍ ଗ୍ରହଣ କରାଯାଉ। ଏଥିରେ ହସ୍ତକ୍ଷେପ କରିବାର ଆଉ କୌଣସି ଭଲ ଆଧାର ହୋଇପାରିବନି।
ଯାହା ବି ଚିନ୍ତା ଥିଲା ଦୂର ହୋଇଛି
NGT ଏହା ମଧ୍ୟ କହିଛି ଯେ ଏହି ପ୍ରକଳ୍ପ ସମ୍ପର୍କରେ ଯେକୌଣସି ଚିନ୍ତା ଥିଲା,ତାହା ୨୦୨୩ ରେ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ସମୀକ୍ଷା କରାଯାଇଥିଲା। ସେ ମଧ୍ୟ ସବୁଜ ସଙ୍କେତ ଦେଇଥିଲା। ତଥାପି, ଏନ୍ଜିଟି ସରକାରଙ୍କୁ ଏହି ପ୍ରକଳ୍ପର ସର୍ତ୍ତାବଳୀକୁ କଡ଼ାକଡ଼ି ପାଳନ କରିବାକୁ କହିଛି।
ଗ୍ରେଟ୍ ନିକୋବର ପ୍ରୋଜେକ୍ଟ କ’ଣ ?
ଗ୍ରେଟ୍ ନିକୋବର ପ୍ରକଳ୍ପ ଗାଲାଥିଆ ଉପସାଗରୀୟ ଅଞ୍ଚଳ ନିକଟରେ ଅବସ୍ଥିତ। ଏଥିରେ ବେସାମରିକ ଏବଂ ସାମରିକ ଉଭୟର ବ୍ୟବହାର ପାଇଁ ଏକ ରଣନୈତିକ ବିମାନବନ୍ଦର ରହିଛି। ସେଠାରେ ଏକ ସମନ୍ୱିତ ସହର ନିର୍ମାଣ କରାଯିବ, ଯାହାକି ପ୍ରାୟ ୧୬୬ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପୀ ରହିଛି। ଏହା ବଙ୍ଗୋପସାଗରରୁ ଭାରତ ମହାସାଗର ପର୍ଯ୍ୟନ୍ତ ଏକ ଅଞ୍ଚଳକୁ ଘେରି ରହିଛି।
ରଣନୈତିକ ରୂପରେ ଗୁରୁତ୍ୱପୂର୍ଣ୍ଣ
ଏହି ପ୍ରୋଜେକ୍ଟ ରଣନୈତିକ ଭାବରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଜାତୀୟ ସୁରକ୍ଷା ପାଇଁ ଭାରତ ମହାସାଗରରେ ଏହାର ଅବସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ପଶ୍ଚିମକୁ ଯାତ୍ରା କରୁଥିବା ଜାହାଜଗୁଡ଼ିକ ଏହା ଦେଇ ଯାତାୟାତ କରନ୍ତି। ଏହା ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ, ମାଲେସିଆର ପୋର୍ଟ କ୍ଲାଙ୍ଗ ବନ୍ଦର ଏବଂ ସିଙ୍ଗାପୁରରୁ ସମାନ ଦୂରତାରେ ଅବସ୍ଥିତ। ଏହି ପ୍ରୋଜେକ୍ଟ ଦୁନିଆର ସବୁଠାରୁ ବ୍ୟସ୍ତତମ କାରବାର ରୁଟ୍ ଭିତରୁ ଏକ ମଲ୍ଲକା ଉପସାଗରୀୟ ଅଞ୍ଚଳଠାରୁ ମାତ୍ର ୧୬୦ କିଲୋମିଟର ଦୂରରେ ରହିଛି। ଦୁନିଆର ପ୍ରାୟ ୪୦% ତେଲ ଏହି ଅଞ୍ଚଳ ଦେଇଯାଇଥାଏ। INS ବାଜ୍ ୨୦୧୨ରେ ଏଠାରେ କାର୍ଯ୍ୟକ୍ଷମ ହୋଇଥିଲା। ଏହା ଭାରତର ଦକ୍ଷିଣତମ ନୌସେନା ଏୟାର ଷ୍ଟେସନ। ଏହା ଭାରତର ଇଣ୍ଡୋ-ପାସିଫିକ୍ ମହାସାଗରୀୟ ସାମୁଦ୍ରିକ ନିରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବ। ଏହା ଚୀନର ଷ୍ଟ୍ରିଙ୍ଗ ଅଫ୍ ପର୍ଲ୍ସ ଷ୍ଟ୍ରାଟେଜି ଭାବରେ ମଧ୍ୟ କାର୍ଯ୍ୟ କରେ। ଏହି ପ୍ରୋଜେକ୍ଟ ଭାରତର ଆକ୍ଟ ଇଷ୍ଟ ପଲିସି ଓ ସାଗରମାଳା ଭିଜନ୍ ଅନୁସାରେ ରହିଛି। ଏହାଦ୍ବାରା ଭାରତର ଆସିଆନ୍ ଓ ଭାରତ-ପ୍ରଶାନ୍ତ କ୍ଷେତ୍ରର ପାର୍ଟନରଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିପାରିବ।
ଆହୁରି ପଢନ୍ତୁ :ଇମ୍ରାନ୍ ଖାନ୍ଙ୍କୁ ଜେଲ୍ରେ ତୁରନ୍ତ ଚିକିତ୍ସା ମିଳୁ, ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଲେ ୧୪ ପୂର୍ବତନ କ୍ୟାପଟେନ୍