ନୂଆଦିଲ୍ଲୀ,୧୭।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଜେଲ୍‌ରେ ଅଛନ୍ତି। ଆଦିୟାଲା ଜେଲ୍‌ରେ ଦିନକୁ ଦିନ ବିଗିଡିବାରେ ଲାଗିଛି ତାଙ୍କ ସ୍ବାସ୍ଥ୍ୟବସ୍ଥା। ଆଖିର ଦୃଷ୍ଟିଶକ୍ତି ବି ହରାଇବା ଉପରେ ପହଁଞ୍ଚି ଗଲେଣି। ଏହାକୁ ନେଇ କ୍ରିକେଟ ଜଗତରେ ଗମ୍ଭୀର ଚିନ୍ତା ପ୍ରକାଶ କରାଯାଇଛି। ଏପରିକି ଭାରତର ଦୁଇ ଲିଜେଣ୍ଡ କ୍ରିକେଟର ସୁନୀଲ ଗାଭାସ୍କର ଏବଂ କପିଲ ଦେବ ଇମ୍ରାନଙ୍କ ସମର୍ଥନରେ ବାହାରିଛନ୍ତି। ଭାରତର ଦୁଇ ପୂର୍ବତନ କ୍ୟାପଟେନଙ୍କ ସହ ବିଶ୍ବର ଆହୁରି ଅନ୍ୟ ଖେଳାଳି ମଧ୍ୟ ଇମ୍ରାନଙ୍କ ଖରାପ ସମୟରେ ସାଥ୍ ଦେଇଛନ୍ତି।

ଏଲନ୍ ବର୍ଡର, ଷ୍ଟିଭ୍ ଓ୍ବେଙ୍କ ସହିତ ବିଶ୍ବର ୧୪ ପୂର୍ବତନ କ୍ୟାପଟେନ୍ ଇମ୍ରାନଙ୍କ ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ଏହି ସମସ୍ତେ ମିଶି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଚିଠି ଲେଖିଛନ୍ତି। ଜେଲ୍‌ରେ ଇମ୍ରାନଙ୍କ ଭଲ ଡାକ୍ତରଙ୍କ ଦ୍ବାରା ଚିକିତ୍ସା କରିବାକୁ ଦାବି କରିଛନ୍ତି। ଏହା ସହ ନିୟମିତ ଭାବରେ ଇମ୍ରାନଙ୍କ ପରିବାର ଲୋକ ବିନା ବିଳମ୍ବରେ ଓ ନିରପେକ୍ଷ ଭାବରେ ଭେଟିବାର ସୁଯୋଗ ଦେବାକୁ ମଧ୍ୟ ଚିଠିଲେ ଉଲ୍ଲେଖ କରିଛନ୍ତି। ଇମ୍ରାନ୍ ନିଜ ସମୟର ଜଣେ ମହାନ ଅଲରାଉଣ୍ଡ ଥିଲେ। ତାଙ୍କ ଅଧିନାୟକତ୍ବରେ ପାକିସ୍ତାନ ୧୯୯୨ ରେ ଦିନିକିଆ ବିଶ୍ବକପ୍ ଜିତିବାରେ ଐତିହାସିକ ସଫଳତା ହାସଲ କରିଥିଲା।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ସମ୍ବୋଧିତ କରି ଲେଖାଯାଇଥିବା ଚିଠିରେ ସୁନିଲ ଗାଭାସ୍କର, କପିଲ ଦେବଙ୍କ ସହ ଗ୍ରେଗ୍ ଚାପେଲ୍, ଆଲାନ୍ ବର୍ଡର, ଷ୍ଟିଭ୍ ୱ, ମାଇକେଲ୍ ଆଥରଟନ୍, ମାଇକେଲ୍ ବ୍ରେଆର୍ଲି, ଇଆନ୍ ଚାପେଲ୍, ବେଲିଣ୍ଡା କ୍ଲାର୍କ, ଡେଭିଡ୍ ଗୋୱାର୍, କିମ୍ ହ୍ୟୁଜ୍, ନାସେର ହୁସେନ୍, କ୍ଲାଇଭ୍ ଲଏଡ୍ ଏବଂ ଜନ୍ ରାଇଟ୍ ରହିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ଚିଠିରେ ଦସ୍ତଖତ କରିଥିବା ପୂର୍ବତନ କ୍ୟାପଟେନ୍‌ଙ୍କ ଭିତରେ ପାକିସ୍ତାନର କେହି ବି ନାହାନ୍ତି। ତେବେ ଗତ ସପ୍ତାହ ଓ୍ବାସିମ୍ ଆକ୍ରାମ,ଓ୍ବାକର ୟୁନୁସ୍ ଏବଂ ଶହିଦ ଆଫ୍ରିଦିଙ୍କ ସହ ବହୁ ପାକିସ୍ତାନୀ ପୂର୍ବତନ କ୍ରିକେଟର ଇମ୍ରାନଙ୍କୁ ଉଚିତ୍ ଚିକିତ୍ସା ଯୋଗାଇ ଦେବାକୁ ସୋସିଆଲ ମିଡିଆରେ ଅନୁରୋଧ କରିଥିଲେ।

କ୍ୟାପଟେନଙ୍କ ଏହି ଗ୍ରୁପ୍ ଇମ୍ରାନ୍ ଖାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ, ସେ କିପରି ୧୯୯୨ କ୍ରିକେଟ ବିଶ୍ୱକପରେ ପାକିସ୍ତାନକୁ ଏକ ଐତିହାସିକ ବିଜୟ ପାଇଁ ନେତୃତ୍ୱ ନେଇଥିଲେ ତାହା ମନେ ପକାଇଥିଲେ। ସେମାନେ ଏହି ବିଜୟକୁ ନେତୃତ୍ୱ, ସାହସ ଏବଂ କ୍ରୀଡାପ୍ରେମ ଉପରେ ନିର୍ମିତ ଏକ ବିଜୟ ବୋଲି କହିଥିଲେ, ଯାହାକି ସୀମା ପାର ପିଢ଼ିକୁ ପ୍ରେରଣା ଦେଇଥିଲା। ଆମ ମଧ୍ୟରୁ ଅନେକ ତାଙ୍କ ବିପକ୍ଷରେ ଖେଳିଛୁ, ତାଙ୍କ ସହିତ ଫିଲ୍ଡ ସେୟାର କରିଛୁ, କିମ୍ବା ତାଙ୍କର ଅଲରାଉଣ୍ଡର କ୍ଷମତା, କରିସ୍ମା ଏବଂ ଲଢ଼ୁଆ ମନୋଭାବକୁ ଆଦର୍ଶ କରି ବଢ଼ିଛୁ। ସେ ଖେଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଏବଂ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ।’

ଏହି ଚିଠିଲେ ପାକିସ୍ତାନରେ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଇମ୍ରାନଙ୍କ ସମୟକୁ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଜୋର ଦେଇଥିଲେ ଯେ, ରାଜନୈତିକ ମତଭେଦ ସତ୍ତ୍ୱେ, ସେ ମାନବୀୟ ବ୍ୟବହାର ପାଇବାକୁ ଯୋଗ୍ୟ। ଏହି ଲିଜେଣ୍ଡ କ୍ରିକେଟରମାନେ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ ଯେ ଇମ୍ରାନଙ୍କ ଦକ୍ଷ ବିଶେଷଜ୍ଞଙ୍କଠାରୁ ତୁରନ୍ତ ଚିକିତ୍ସା ଦିଆଯାଉ।

ଆହୁରି ପଢନ୍ତୁ :ଟିମ୍ ଇଣ୍ଡିଆର କୋଚ୍ ପଦ ଛାଡିବେ କି ଗୌତମ ଗମ୍ଭୀର ? ରାଜସ୍ଥାନ ରୟାଲ୍ସରୁ ମିଳିଛି ବଡ଼ ଅଫର