ଭୁବନେଶ୍ୱର,୨୯/୦୧: ଏୟାରଫିଲ୍ଡ ଥାନା ସୁନ୍ଦରପଦା ନିୟୁ ଆଜାଦ୍ନଗର ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି । ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ଏନ୍ଆଇଏ ଟିମ୍ । ବୁଧବାର ଅପରାହ୍ଣରେ ଏକ ଟିମ୍ ବିସ୍ଫୋରଣ ସ୍ଥଳକୁ ଯାଇ ଖୋଳତାଡ଼ କରିଥିଲା । ଘଟଣାସ୍ଥଳରୁ କିଛି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଇଛି । ପରେ ଉକ୍ତ ଟିମ୍ ହସ୍ପିଟାଲ୍ରେ ଆହତମାନଙ୍କୁ ପଚରାଉଚରା କରିଥିଲା ।
ଗତକାଲି କୁଖ୍ୟାତ ଅପରାଧୀ ସାହାନୱାଜ ମଲ୍ଲିକ ଓରଫ୍ ମଫି ଭଡ଼ା ଘର ଛାତ ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଏଥିରେ ମଫି ଓ ପ୍ରେମିକା ତୃପ୍ତିମୟୀ, ସାଙ୍ଗ ଅମୀୟରଞ୍ଜନ ଗୁରୁତର ଆହତ ହୋଇଥିଲେ । ମଫି ଓ ଅମୀୟରଞ୍ଜନ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିଲା । ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ବୋମାରେ କେଉଁ ବିସ୍ଫୋରକ ବ୍ୟବହାର ହୋଇଥିଲା ତାହା ଜାଣି ପାରିନଥିଲା ପୁଲିସ୍ । ଆଜି ଏନ୍ଆଇଏ ଟିମ୍ ବିସ୍ଫୋରକ ବିଷୟରେ ସୂଚନା ପାଇଛି । ଅତ୍ୟନ୍ତ ଶକ୍ତିଶାଳୀ ବୋମା ତିଆରି କରୁଥିବା ପ୍ରମାଣ ପାଇଛି । ପୂର୍ବରୁ କମିଶନରେଟ୍ ପୁଲିସ୍ ଯେଉଁସବୁ ବୋମା ଜବତ କରିଛି ତାହାଠାରୁ ଏହା ବହୁତ ଶକ୍ତିଶାଳୀ ବୋଲି ଜଣାପଡ଼ିଛି । ତା’ଛଡ଼ା କାହା ପାଇଁ? କେଉଁ ଉଦ୍ଦେଶ୍ୟରେ ଏହି ବୋମା ତିଆରି ହେଉଥିଲା ସେ ବିଷୟରେ ପୁଲିସକୁ କିଛି ଟେର୍ ମିଳିନାହିଁ ।
ଗୁଇନ୍ଦା ବିଭାଗ ଦୁଇ ସପ୍ତାହ ତଳେ କମିଶନରେଟ୍ ପୁଲିସ୍କୁ ଜଣାଇଥିଲା ସୁନ୍ଦରପଦା, ଜଟଣୀ, ଖଣ୍ଡଗିରି ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବଢ଼ିଛି । ଗୁଇନ୍ଦା ବିଭାଗ ସତର୍କ କରାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଏ କଥାକୁ ପୁଲିସ୍ ହାଲୁକା ଭାବେ ନେଇଥିଲା । ଗୁଇନ୍ଦା ସୂଚନା ପରେ ପୁଲିସ୍ କିଛି ଜାଣି ପାରିନଥିଲା । ଅପରାଧିକ କାର୍ଯ୍ୟକଳାପ ବିଷୟରେ ଖବର ନ ପାଇବା ପଛରେ ମୁଖ୍ୟ କାରଣ ହେଉଛି ପୁଲିସ୍ ଗୁଇନ୍ଦାଗିରି ଅଭାବ । ସାଧାରଣ ଲୋକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାରେ ପୁଲିସ ବିଫଳ ହୋଇଛି ବୋଲି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ତେବେ ଏନେଇ ଡିସିପି ଜଗମୋହନ ମୀନା କହିଛନ୍ତି, ଏହି ଘଟଣାରେ ସାହାନୱାଜ ହେଉଛି ମାଷ୍ଟରମାଇଣ୍ଡ୍ । ବିଭିନ୍ନ ଥାନାରେ ତା ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ଏବେ ସେ ଓ ତାର ଅନ୍ୟ ସହଯୋଗୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ପୁଲିସ୍ ସେମାନଙ୍କ ଉପରେ ନଜର ରଖିଛି । ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ହେଲା ପରେ ସେମାନଙ୍କୁ ଜେରା କରାଯିବ । ସାହାନୱାଜ ସହ ଆଉ କାହାର ଲିଙ୍କ୍ ରହିଛି । କାହା ପାଇଁ ସେମାନେ ବୋମା ତିଆରି କରୁଥିଲେ ସେ ବିଷୟରେ ତଦନ୍ତ ଚାଲିଛି ବୋଲି ସେ କହିଥିଲେ ।