ନିଆଳି, କଣ୍ଟାପଡ଼ାରେ ଅଜଣା ଜନ୍ତୁର ମେଣ୍ଢା ଶିକାର… ୫ ବର୍ଷ ବିତିଲା, ତଥାପି ରହସ୍ୟ

କଟକ, ୨୫/୦୩ : ‘ରାତିରେ ସେମାନଙ୍କୁ ଆଉଁଶି ଶୋଇବାକୁ ଗଲି । ସକାଳୁ ଦେଖିଲା ବେଳେ ମୋର ତିନିଟାଯାକ ମେଣ୍ଢା ମରି ପଡ଼ିଛନ୍ତି । ରକ୍ତରେ ଭାସୁଛି ମେଣ୍ଢାଶାଳ । ଦୃଶ୍ୟ ଦେଖି ଛାତି ଫାଟିଲା ଭଳି ଲାଗିଲା । ଚାଷବାସ ଛାଡ଼ିଲେ ଆମର ତ’ ଆଉ କିଛି ରୋଜଗାର ନାହିଁ, ଏବେ ଆମେ କେମିତି ଚଳିବୁ?’ -କୋହଭରା କଣ୍ଠରେ ଏଭଳି ପ୍ରଶ୍ନ କରିଛନ୍ତି କଣ୍ଟାପଡ଼ା ନାହାଳପୁର ପଞ୍ଚାୟତର ଗୁଣାଦୋଳ ଗ୍ରାମର ଚାଷୀ ପଞ୍ଚାନନ ଚୌଧୁରୀ । ଏ ଦୁଃଖ କେବଳ ପଞ୍ଚାନନଙ୍କର ନୁହେଁ, ନିଆଳି ଓ କଣ୍ଟାପଡ଼ା ବ୍ଲକ୍ର ଶତାଧିକ ମେଣ୍ଢା ଚାଷୀ ଅଜଣା ଜନ୍ତୁଙ୍କୁ ନେଇ ରୋଜଗାର ହରାଇଲେଣି । କିନ୍ତୁ ଜନ୍ତୁଟି କେମିତିକା, କେମିତି ଦିଶେ, କେଉଁଠୁ ଆସୁଛି ଏବଂ ଶିକାର ପରେ ଯାଉଛି କୁଆଡ଼େ ସେ କଥା କେହି ଜାଣନ୍ତି ନାହିଁ । ପାଞ୍ଚ ବର୍ଷ ହେଲାଣି ଏ ରହସ୍ୟ ଉପରୁ ପରଦା ଉଠି ପାରୁନାହିଁ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଦୀର୍ଘ ୫ ବର୍ଷ ବିତିଯାଇଥିଲେ ବି ବନ ବିଭାଗ ଠୋସ୍ ଭାବେ ମେଣ୍ଢା ମୃତ୍ୟୁକୁ ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନାହିଁ । ଅନ୍ଧାରରେ ବାଡ଼ି ବୁଲାଇବା ଭଳି ମେଣ୍ଢା ମୃତ୍ୟୁ ପରେ ତଦନ୍ତ ହେଉଛି, କିନ୍ତୁ ଏହାର କୌଣସି ନିଷ୍କର୍ଷ ବାହାରି ପାରୁନାହିଁ । ଟ୍ରାପ୍ କ୍ୟାମେରା ଲଗାଇ, ଯନ୍ତା ବସାଇ ମଧ୍ୟ ବନ ବିଭାଗ ଅଜଣା ଜନ୍ତୁକୁ ଧରିବାକୁ ସକ୍ଷମ ହେଉନାହିଁ । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଣାଦୋଳ ଗ୍ରାମରେ ମଧ୍ୟ ୪ଟି ଟ୍ରାପ୍ କ୍ୟାମେରା ଏବଂ ୨ଟି ଯନ୍ତା ବସାଯାଇଥିଲା । ଏହା ସତ୍ତେ୍ୱ ମଧ୍ୟ ତିନୋଟି ମେଣ୍ଢା ଶିକାର ହେଲେ । ଅଥଚ ଜନ୍ତୁର ଚିହ୍ନବର୍ଣ୍ଣ ନାହିଁ । ବନବିଭାଗ ଏକରକମ ହାତ ଟେକିସାରିଲାଣି । ଯେଉଁଠି ବନବିଭାଗ ଅଜଣା ଜନ୍ତୁ ସାମ୍ନାରେ ହାର୍ ମାନୁଛି, ସେଠି ସ୍ଥାନୀୟ ଲୋକଙ୍କ ଭୟର ସ୍ତର କେଉଁଠି ଥିବ ତାହା ଅନୁମାନ କରାଯାଇପାରେ । ଆତଙ୍କ ଯୋଗୁଁ ନିଆଳି ଓ କଣ୍ଟାପଡ଼ାରେ ଶତାଧିକ ଚାଷୀ ଆଉ ମେଣ୍ଢା ଚାଷ କରୁନାହାନ୍ତି ।
ରିପୋର୍ଟ କହୁଛି, ଗତ ୫ବର୍ଷ ଭିତରେ ନିଆଳି ଓ କଣ୍ଟାପଡ଼ାରେ ପ୍ରାୟ ୬ଶହରୁ ଅଧିକ ମେଣ୍ଢାଙ୍କୁ ଅଜଣା ଜନ୍ତୁ ମାରିଛି । ଗତ ଦୁଇ ସପ୍ତାହରେ ୩୬ଟି ମେଣ୍ଢା ମଲେଣି । ମାରିବା ଶୈଳୀ ସମାନ ଧରଣର । ବିଳମ୍ବିତ ରାତିରେ ମେଣ୍ଢାଶାଳରେ ପଶି ମେଣ୍ଢାର ପେଟକୁ ଧାରୁଆ ଦାନ୍ତ ଓ ତୀକ୍ଷଣ ନଖରେ କାଟିଦେଉଛି । ଅଜଣା ଜନ୍ତୁର ଶରୀର ବେଶ୍ ପତଳା ବୋଲି କୁହାଯାଉଛି । ଏମିତିକି ୬ ଇଞ୍ଚ୍ ଫାଙ୍କ ଭିତରେ ମେଣ୍ଢାଶାଳକୁ ପ୍ରବେଶ କରିପାରୁଛି । ନିଆଳି ଓ କଣ୍ଟାପଡ଼ାରେ ନିକଟରେ ଭଅଁରାଗଡ଼ ଓ ସିଂହଳବନ ଜଙ୍ଗଲ ରିହିଛି । ତେଣୁ ଏଠାରୁ ଏହି ଅଜଣା ଜନ୍ତୁମାନେ ଗାଁକୁ ଆସି ମେଣ୍ଢାଙ୍କୁ ମାରୁଥିବାର ଅନୁମାନ କରାଯାଉଛି ।
ଗତ ପାଞ୍ଚବର୍ଷ ଭିତରେ ନିର୍ଦ୍ଦିଷ୍ଟ ସମୟ ଅର୍ଥାତ୍ ମେ’ରୁ ଅଗଷ୍ଟ ମଧ୍ୟରେ ଏଭଳି ଅଭାବନୀୟ ଘଟଣାମାନ ଘଟୁଛି । ଏହାର କାରଣ ବନବିଭାଗରୁ ପଚାରିବାରେ କୁହାଯାଇଛି, ଏହି ସମୟରେ ସମ୍ପୃକ୍ତ ଜନ୍ତୁ ଛୁଆ ଦେଇଥାନ୍ତି । ତେଣୁ ନିଜ ଛୁଆଙ୍କୁ ନରମ ମାଂସ ଯୋଗାଇବାରେ ଏମାନେ ଗାଁ ମୁହାଁ ହୋଇଥାନ୍ତି । ଅନ୍ୟପକ୍ଷରେ ମେଣ୍ଢାଙ୍କ ସ୍ୱଭାବ ଅନୁସାରେ ସେମାନେ ଗାଢ଼ ନିଦରେ ଶୋଇଯାଆନ୍ତି । ତେଣୁ ସେମାନଙ୍କୁ ଶିକାର କରିବାରେ ଅଜଣା ଜନ୍ତୁଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼େନାହିଁ । ଯେହେତୁ ମେଣ୍ଢାଙ୍କ ତଳି ପେଟରେ ରୁମ ନଥାଏ, ତେଣୁ ସେମାନେ ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ନଖ ଓ ଦାନ୍ତରେ କଣା କରି ପୁଟି ବାହାର କରି ମାରିଦିଅନ୍ତି । ମାରିବା ପରେ ସେମାନେ ମୃତଶରୀରକୁ ସେଠାରେ ଛାଡ଼ି ପଳାନ୍ତି । ମାଂସ ପଚିଲେ କିଛି ଦିନ ଅନ୍ତରରେ ପୁଣି ସେଠାକୁ ଆସି ନେବାକୁ ଚେଷ୍ଟା କରନ୍ତି । କିନ୍ତୁ ଚାଷୀମାନେ ମୃତ ମେଣ୍ଢାକୁ ପୋତି ଦେଉଥିବାରୁ ଅଜଣା ଜନ୍ତୁ ପୁଣି ଥରେ ନୂଆ ଶିକାର କରୁଛି ବୋଲି ବନବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ବନ ବିଭାଗ ପାଞ୍ଚ ବର୍ଷ ଧରି ପୁରୁଣା ଢାଞ୍ଚାରେ ଅଜଣା ଜନ୍ତୁ ଧରିବାକୁ ଚେଷ୍ଟା ଜାରି ରଖିଛି । ଟ୍ରାପ୍ କ୍ୟାମେରା ଏବଂ ଯନ୍ତା ବସାଇ ସେଥିରେ ସମ୍ପୃକ୍ତ ଜନ୍ତୁକୁ ଧରିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ଏହା ଫଳପ୍ରଦ ହେଉନାହିଁ । ଏ ସମ୍ପର୍କରେ ଫୁଲନଖରା ରେଞ୍ଜର ସୂର୍ଯ୍ୟକାନ୍ତ ସାହୁ କହିଛନ୍ତି, ଘଟଣା ଘଟିବା ପରେ ଆମେ ଆବଶ୍ୟକ ମୁତାବକ ପଦକ୍ଷେପ ନେଉଛୁ । ମଙ୍ଗଳବାର ଯେଉଁ ଗ୍ରାମରେ ତିନୋଟି ମେଣ୍ଢା ମରିଥିଲେ ସେଠି ୨ଟି ଜନ୍ତା ଏବଂ ୪ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲା । ଏହା ସତ୍ତେ୍ୱ ମଧ୍ୟ କିଛି ଜଣାପଡ଼ିଲାନାହିଁ । ବିନ ବିଭାଗ ଏହି ଘଟଣାରେ ସ୍ୱତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି । ବିଶେଷ କରି ଏଦିଗରେ ଜାତୀୟ ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କ ପରାମର୍ଶ ନେବାର ଆବଶ୍ୟକତା ଅଛି । କିନ୍ତୁ ଏଭଳି ସମସ୍ୟାକୁ ବନ ବିଭାଗର ଗୁରୁତ୍ୱର ସହ ନେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।