ଭୁବନେଶ୍ବର,୧୪।୧୨ : ଓଡ଼ିଶାର ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର (ଏନଆଇସି)କୁ ଏକ୍ସେଲେନ୍ସ ଇନ୍ ଡିଜିଟାଲ୍ ଗଭର୍ଣ୍ଣାନ୍ସ ପୁରସ୍କାର ପ୍ରଦାନ କରାଯାଇଛି। DEPMOS (ରପ୍ତା ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଦେଶାଳୟ- ଅନଲାଇନ୍ ସେବା ନିର୍ଦ୍ଦେଶାଳୟ) ପ୍ରକଳ୍ପ ପାଇଁ ଏହି ପୁରସ୍କାର ଦିଆଯାଇଛି।

DEPMOS ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ। ଯାହା ଏମଏସଏମଇ ବିଭାଗ ଅଧୀନରେ ରପ୍ତାନୀ ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଦେଶାଳୟ (ଡିଇପିଏମ) ଦ୍ୱାରା ପ୍ରଦାନ କରାଯାଉଥିବା ସେବାଗୁଡ଼ିକୁ ଡିଜିଟାଇଜ କରିବା ପାଇଁ NIC ଦ୍ୱାରା ବିକଶିତ ଏବଂ କାର୍ଯ୍ୟକାରୀ କରାଯାଇଛି। ଏହା ପଞ୍ଜୀକରଣ,ଚୁକ୍ତିନାମା, ଯାଞ୍ଚ ଇତ୍ୟାଦି ସହିତ ଜଡିତ ପ୍ରମୁଖ ପ୍ରକ୍ରିୟାଗୁଡ଼ିକୁ ସ୍ୱୟଂଚାଳିତ କରି MSMEଗୁଡ଼ିକୁ ସମର୍ଥନ କରିବା ଲକ୍ଷ୍ୟ ରଖିଛି। ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ MSME ପାଇଁ ସେବା ପ୍ରଦାନରେ ଯଥେଷ୍ଟ ଉନ୍ନତି ଆସିଛି, କାର୍ଯ୍ୟସମୟ ହ୍ରାସ ପାଇଛି ଏବଂ ସରକାରୀ କ୍ରୟ ଏବଂ ମାର୍କେଟିଂରେ ସ୍ୱଚ୍ଛତା ହୋଇଛି।

୧୯ତମ ଡିଜିଟାଲ ଟ୍ରାନ୍ସଫର୍ମେଶନ କନକ୍ଲେଭରେ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ଯୁଗ୍ମ ସଚିବ (ସାଇବର) ମେଜର ଜେନେରାଲ ମନଜିତ ସିଂହ, ଏସଏମ ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା ପ୍ରଦାନ କରିଥିଲେ। ଏହି ପୁରସ୍କାର ଏନଆଇସି ଓଡ଼ିଶାର ନିର୍ଦ୍ଦେଶକ (ଆଇଟି) ମହମ୍ମଦ ମୋଜିବୁଲ୍ଲା ଖାନ ଗ୍ରହଣ କରିଛନ୍ତି। ଏହି ପୁରସ୍କାର ଡିଜିଟାଲ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ନବସୃଜନ, ସମର୍ପଣ ଏବଂ ପରିବର୍ତ୍ତନର ଏକ ପ୍ରମାଣ।