ଭୁବନେଶ୍ୱର, ୩/୧୨ : କମିଛି ଶୀତ, ବଢ଼ିଛି କୁହୁଡ଼ି। ଆସନ୍ତା ୩ ଦିନ ଯାଏ ବଢିବ ଥଣ୍ଡା। ୨ରୁ ୪ ଡିଗ୍ରୀ କମିପାରେ ରାତି ତାପମାତ୍ରା। ୫ଟି ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ। ମଙ୍ଗଳବାର ରାଜ୍ୟର ୧୦ଟି ଜିଲ୍ଲାର ତାପମାତ୍ରା ୧୭ ଡିଗ୍ରୀ ଉପରେ ରହିଛି । ରାତି ତାପମାତ୍ରା ବଢ଼ିବା ଯୋଗୁ ଏହି ସବୁ ସ୍ଥାନରେ ଥଣ୍ଡାର ପ୍ରକୋପ କମିଯାଇଛି। ପୁରୀରେ ସର୍ବାଧିକ ୨୦.୮ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୩ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସେପଟେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସହିତ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ବିଲରେ ପାଚିଲା ଧାନ ପଡ଼ିଛି। ଏହି ସମୟରେ ଆକାଶରେ ଭସାବାଦଲ ଦେଖି ଚାଷୀ ମନରେ ଛନକା ପଶିଛି। ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହୋଇ ନଥିବାରୁ ଚାଷୀମାନେ କିଏ ଖଳାରେ ତ ଆଉ କିଏ ଜମିରେ ଧାନ କାଟି ଶୁଖିବା ପାଇଁ ରଖିଛନ୍ତି । ଅମଳ ଧାନକୁ ସୁରକ୍ଷିତ ରଖିବାକୁ କେହି ପଲିଥିନ୍ ଘୋଡ଼ାଇ ରଖିଛନ୍ତି । ଆଉ କିଏ ଜମିରୁ ଧାନ ଉଠାଇ ଖଳାକୁ ଆଣିବାରେ ଲାଗିଛନ୍ତି । ଜିଲ୍ଲାର କାଲିମେଳା, ପଡ଼ିଆ, ମାଲକାନଗିରି, ଖଇରପୁଟ, କୋରୁକୋଣ୍ଡା, ମାଥିଲି, ଚିତ୍ରକୋଣ୍ଡା ୭ଟି ବ୍ଲକରେ ପ୍ରାୟ ୭୦ ଭାଗ ଧାନ ଅମଳ ହୋଇସାରିଛି । ବହୁ ଜମିରେ ଧାନ କଟାଯାଇ ଶୁଖିବା ପାଇଁ କଳେଇ ପକାଯାଇଛି । ଆଉ କିଛି ଭାଗ ଧାନ ଏବେ ବି ଜମିରେ ରହିଛି । ଯଦି ବର୍ଷା ହୋଇ ପାଚଲା ଧାନ ଖେତରେ ପାଣି ପଶିଯିବ ଗଜା ହୋଇଯିବା ଆଶଙ୍କା ରହିଛି । ଏହାଦ୍ୱାରା ଚାଷୀଙ୍କୁ କ୍ଷତି ସହିବାକୁ ପଡିବ ।

ସୂଚନା ଥାଉକି, ଚଳିତବର୍ଷ ଜିଲ୍ଲାରେ ୭୫ହଜାର ୬୬୦ ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ହୋଇଛି । ମୋଟ ୩୬ ହଜାର ୭୮୯ ଚାଷୀ ଧାନ ବିକ୍ରିପାଇଁ ବିଭିନ୍ନ ଲ୍ୟାମ୍ପ୍ସରେ ପଞ୍ଜୀକରଣ କରିଛନ୍ତି । ପ୍ରଶାସନ ତରଫରୁ ମଧ୍ୟ ଧାନସଂଗ୍ରହ ଟାର୍ଗେଟ୍ ଧାର୍ଯ୍ୟ ହୋଇସାରିଛି । ଏଥର ୬୭ଟି ମଣ୍ଡିରୁ ପ୍ରଥମ ପର୍ଯ୍ୟାୟରେ ୮ ଲକ୍ଷ ୬୬ ହଜାର କୁଇଣ୍ଟାଲ୍ ଧାନ ସଂଗ୍ରହ କରାଯିବ ବୋଲି ଘୋଷଣା ହୋଇଛି । ଆଗାମୀ ୧୭ ତାରିଖରୁ ମଣ୍ଡି ଆରମ୍ଭ ହେବ ବୋଲି ସ୍ଥିର ହୋଇଛି ।