PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ଏଥର ଦିନରେ ନୀଳାଦ୍ରି ବିଜେ ପହଣ୍ଡି

ପୁରୀ,୯ା୬(ବ୍ୟୁରୋ): ସବୁବର୍ଷ ନୀଳାଦ୍ରି ବିଜେ ପହଣ୍ଡି ରାତିରେ ହେଉଥିବା ବେଳେ ଏବର୍ଷ ଦିନରୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୧୬ରେ ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗ୍ରହଣ ଦିନ ମହାପ୍ରଭୁଙ୍କ ନୀଳାଦ୍ରି ଅବଢ଼ା ବାହାରିବ । ଗ୍ରହଣ ହାଣ୍ଡିଛାଡ଼ ପୂର୍ବରୁ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ କରିବାକୁ ରବିବାର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସେବାୟତ ପ୍ରତିନିଧିଙ୍କ ସହମତି ମିଳିଛି । ଏଥିପାଇଁ ଆସନ୍ତା ଜୁଲାଇ ୧୫ ତାରିଖ ନୀଳାଦ୍ରି ବିଜେଠାରୁ ନୀତି ସଜଡ଼ା ହେବା ଲୋଡ଼ା । ଏଣୁ ନୀଳାଦ୍ରି ବିଜେ ନୀତିରେ ସୁଧାର ଆଣିବାକୁ ନୀତି ସବ୍‌ କମିଟି ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବ ମୁତାବକ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପହଣ୍ଡି ଅପରାହ୍ନ ଚାରିଟାରେ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ରାତି ଏଗାରଟା ପୂର୍ବରୁ ଶେଷ କରିବା ସହ ଚାରମାଳ ଫିଟା, ମହାସ୍ନାନ ଆଦି ନୀତିକୁ ବଢ଼ାଇବାକୁ ହେବ ।

ମହାପ୍ରଭୁଙ୍କ ବଡ଼ସିଂହାର ପୂଜା ସାରି ରାତି ପହୁଡ଼ ଜୁଲାଇ ୧୫ ତାରିଖ ରାତି ୧୧ଟା ସୁଦ୍ଧା ଶେଷ କରାଯିବ । ଏହା ପରେ ରାତି ଦୁଇଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ସମ୍ପନ୍ନ କରାଯାଇ ଚନ୍ଦ୍ରଗ୍ରହଣ ହାଣ୍ଡି ଛାଡ ପୂର୍ବରୁ ଅପରାହ୍ନ ଚାରିଟା ସୁଦ୍ଧା ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ କରିବାକୁ ଆଲୋଚନା ହୋଇଛି । ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ନିର୍ଘଣ୍ଟର ପହଣ୍ଡି ବିଜେ ସମୟକୁ ଦେଢ଼ ଘଣ୍ଟା ଆଗୁଆ କରିବାକୁ ନିଷ୍ପତ୍ତି ହୋଇଛି । ଜୁନ୍‌ ୪ ତାରିଖ ନୀତି ସବ୍‌ କମିଟି ବୈଠକରେ ନୀଳାଦ୍ରି ବିଜେ ପହଣ୍ଡି ନୀତି ଜୁଲାଇ ୧୫ ତାରିଖ ଅପରାହ୍ନ ସାଢ଼େ ୫ଟାରେ ଆରମ୍ଭ କରିବାକୁ ପ୍ରସ୍ତାବ ଥିଲା । ଆଜି ଛତିଶା ନିଯୋଗ ବୈଠକରେ ଏହି ନୀତି ପହଣ୍ଡି ନିର୍ଘଣ୍ଟକୁ ଅପରାହ୍ନ ଚାରିଟାକୁ ପରିବର୍ତ୍ତନ କରାଯାଇଛି ।

ଘୋଷଯାତ୍ରା ଦିନ ଛତିଶା ନିଯୋଗ ବୈଠକରେ ରଥ ଲାଗିବା ପରେ ନୀତିକୁ ଦୌଡ଼ାଇବାକୁ ସ୍ୱତନ୍ତ୍ର କମିଟି କରାଯାଇଛି । ଏହି କମିଟିରେ ପରିଚାଳନା କମିଟିର ୨ ଜଣ ସେବାୟତ ପ୍ରତିନିଧିଙ୍କୁ ନିଆଯାଇଛି ।
ଏହି ୨ ସେବାୟତଙ୍କ ତତ୍ତ୍ୱାବଧାନରେ ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ା ଦିନ ରଥ ଲାଗିବା ପରେ ନୀତିକୁ ଠିକଣା ସମୟରେ ତ୍ୱରାନ୍ୱିତ କରାଯିବ । ସେହିଭଳି ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସ୍ନାନପୂର୍ଣିମା ଦିନ ଶ୍ରୀବିଗ୍ରହଙ୍କ ଦର୍ଶନରେ ବାଧା ନ ସୃଷ୍ଟି କରିବାକୁ ସେବାୟତମାନେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଛତିଶା ନିଯୋଗ ପ୍ରତିନିଧିଙ୍କ ସହଯୋଗ ଲୋଡ଼ାଯାଇଛି । ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତମାନେ ଯେପରି ବଞ୍ଚିତ ନ ହେବେ ସେଥିପ୍ରତି ସେବାୟତ ପ୍ରତିନିଧିମାନେ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ବୈଠକରେ ଆଶ୍ୱାସନା ମିଳିଛି ।
ଛତିଶା ନିଯୋଗ ସେବାୟତ ପ୍ରତିନିଧିମାନେ ପୌଷ ଓ କାର୍ତ୍ତିକ ମାସର ସ୍ୱତନ୍ତ୍ର ପ୍ରାପ୍ୟ ପାଇ ନ ଥିବା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପାଳିଆ ସେବାୟତମାନଙ୍କ ସ୍ୱତନ୍ତ୍ର ପୁରସ୍କାର ରାଶି ରଥଯାତ୍ରା ପୂର୍ବରୁ ପାଇବେ ବୋଲି ଛତିଶା ନିଯୋଗକୁ ପ୍ରତିଶ୍ରୁତି ଦେଇଥିଲେ ।

ବୈଠକରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଉଭା, ରଥଯାତ୍ରା, ହେରା ପଞ୍ଚମୀ, ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା, ଗରୁଡ଼ ଶୟନ ଏକାଦଶୀ, ସୁନାବେଶ, ଅଧର ପଣା ଲାଗି, ନୀଳାଦ୍ରି ବିଜେ ନୀତି ସହ ଗ୍ରହଣ ନୀତି ଉପରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା । ବୈଠକରେ ଏହି ନୀତି ନିର୍ଘଣ୍ଟ ଉପରେ ସହମତି ମିଳିଥିଲା । ଛତିଶା ନିଯୋଗର ସହମତି ପରେ ଏବେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନୀତି ନିର୍ଘଣ୍ଟକୁ ଉପସ୍ଥାପନ କରାଯିବ । ରଥଯାତ୍ରା ସହ ଜଡିତ ବିଭିନ୍ନ ଯାନିଯାତ୍ରାର ନୀତି ନିର୍ଘଣ୍ଟକୁ ପରିଚାଳନା କମିଟିର ଅନୁମୋଦନ ପାଇଁ ଏବେ ଅପେକ୍ଷା କରାଯାଇଛି । ଜୁନ ୧୧ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଡକାଯାଇଛି ।