ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ନୀଳଗିରି, ୨୪/୫ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ। ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅଧିନ ସାଆନ୍ତା ଅଞ୍ଚଳରେ ଥିବା ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ପଦବୀ ଖାଲି ରହୁଥିବା ବେଳେ ବହୁ ଦିନ ପରେ ପଦବୀ ପୂରଣ ହୋଇଥିଲା। ୨୦୨୨ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ସୁଚିତ୍ରା ପ୍ରଧାନ ଯୋଗଦାନ ପରେ ପାଠ ପଢା ଠାରୁ ଆରମ୍ଭ କରି ବିଦ୍ୟାଳୟରେ ଉନ୍ନୟନମୂଳକ କାର୍ଯ୍ୟ କରି ଆସୁଥିଲେ। ହେଲେ କିଛି କୁଚକ୍ରି ଗୋଷ୍ଠୀଙ୍କ କଥାରେ ପଡି ସେହି ବିଦ୍ୟାଳୟ ପିଅନ ଚିତ୍ତରଞ୍ଜନ ମହାନ୍ତି ଲୋକଙ୍କୁ ଭେଳାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମରେ ମିଥ୍ୟା ଅଭିଯୋଗ କରି ତାଙ୍କୁ ବଦଳି କରିଥିବା ଅଭିଯୋଗ ଉଠିଛି।
ବୁଧବାର ଅଭିଭାବକ ଓ ଗ୍ରାମବାସୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ସ୍କୁଲରେ ତାଲା ଝୁଲାଇ ଥିବା ଅଭିଯୋଗ ଉଠିଛି। ଖାଲି ସେତକ ନୁହଁ ଯେପର୍ଯ୍ୟନ୍ତ ବଦଳି ବାତିଲ କରାନଯାଇଛି ସେପର୍ଯ୍ୟନ୍ତ ଏହି ବିକ୍ଷୋଭ ସହ ବିଦ୍ୟାଳୟରେ ତାଲା ଝୁଲାଯିବ ବୋଲି ଚେତାବନୀ ଦେଇଛନ୍ତି।” ତେବେ ଘଟଣାକୁ ନେଇ ଅଞ୍ଚଳରେ ଉତେଜନା ଲାଗି ରହିଛି।