ନବୀନ ନିବାସରେ ‘ନିମ୍କି’,ପ୍ରିମିୟର ଶୋ’ ଦେଖିବେ ଜୟା ବଚ୍ଚନ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ନବୀନ ନିବାସରେ ନିମ୍କି । ଦୀର୍ଘ ଦିନ ତଳେ ନିମ୍ପୁରରୁ ବାହାରିଥିବା ନିମ୍କି ଶେଷରେ ନବୀନ ନିବାସରେ ପହଞ୍ଚିଛନ୍ତି । ମନରେ ବହୁ ଆଶା । ଅନେକ ଆକାଂକ୍ଷା । ସବୁକୁ ସାଉଁଟି ସେ ନ୍ୟାୟ ଆଶାରେ ପହଞ୍ଚିଛନ୍ତି । ସେଥିପାଇଁ ସେ କାଳ ଏବଂ ବେଳ ଦେଖି ନେତାଜୀ ଜୟନ୍ତୀରେ ପହଞ୍ଚିଛନ୍ତି ପ୍ରେକ୍ଷାଳୟରେ ।
ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ‘ନିମ୍କି’-ନିମ୍ପୁରରୁ ନବୀନ ନିବାସ ଆସନ୍ତାକାଲି ସାରା ଓଡ଼ିଶାର ୬୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି । ସକାଳ ସାଢ଼େ ୧୧ଟାରେ କଟକ ଜୟଶ୍ରୀରେ ଫିଲ୍ମର ପ୍ରିମିୟର ଶୋ’ ଥିବାବେଳେ ଏଥିରେ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ଯୋଗ ଦେବେ ବୋଲି ଆଗରୁ କୁହାଯାଇଛି । ସେ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ଫିଲ୍ମକୁ ଦେଖିବେ । ଏହା ପୂର୍ବରୁ ଆଜି ସଚିବାଳୟରେ କଟକର କର୍ପୋରେଟର ରଞ୍ଜନ ବିଶ୍ୱାଳଙ୍କ ସହ ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି ଏବଂ ଆଶୀର୍ବାଦ ନେଇଛନ୍ତି ।
ଚଳଚ୍ଚିତ୍ରର ପ୍ରଯୋଜନା କରିବା ସହିତ ଏହାର କାହାଣୀ ରଚନା କରିଛନ୍ତି ବର୍ଷା । ମୁଖ୍ୟ ଭୂମିକାରେ ସେ ଅଭିନୟ କରିଛନ୍ତି । ସଂଳାପ ଲେଖିିଛନ୍ତି ଦିଲ୍ଲୀପ ଚୌଧୁରୀ । ପ୍ରେମ୍ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ସୁପର୍ଷ୍ଟାର୍ ଅନୁଭବ ଅତିଥି ଚରିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟି ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ ଥିବାରୁ ଦେଖିବାକୁ ଓଡ଼ିଆ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି ।