ନୂଆଦିଲ୍ଲୀ ୧୯/୦୫: ଜାତିସଂଘର ସୂଚନା ଅନୁସାରେ ବିଶ୍ୱରେ ଏବେ ୧୯୩ ଦେଶ ଅଛନ୍ତି । କିନ୍ତୁ ଏଭଳି  ୧୨ଟି ଅନ୍ୟ ଦେଶ ରହିଛନ୍ତି ଯେଉଁମାନେ  ଜାତିସଂଘର ସଦସ୍ୟ ନୁହନ୍ତି । ଅର୍ଥାତ୍‌  ଏହାକୁ ମିଶାଇଲେ ବିଶ୍ୱରେ ଏବେ  ମୋଟ ଦେଶ ସଂଖ୍ୟା ହେଉଛି ୨୦୫ ।  ଏହି ୨୦୫ଟି ଦେଶରେ ରହୁଛନ୍ତି ୭୦୦  କୋଟିରୁ ଅଧିକ ଲୋକ । କିନ୍ତୁ ସମଗ୍ର  ବିଶ୍ୱକୁ ଗୋଟିଏ ଭୟ ସବୁବେଳେ ଲାଗି  ରହିଛି । ତାହା ହେଉଛି ଯଦି ପରମାଣୁ ଯୁଦ୍ଧ ଲାଗିବ ତେବେ ସମଗ୍ର ବିଶ୍ୱ ଧ୍ୱଂସ  ପାଇଯିବ ।  

ଏପରିସ୍ଥଳେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି କି ମଣିଷ କ’ଣ ଏତେ ଆଣବିକ ବୋମା ତିଆରି କରିଛି ଯେ ସମଗ୍ର ବିଶ୍ୱକୁ ଧ୍ୱଂସ କରିହେବ । କ’ଣ ୭୦୦ କୋଟି  ଲୋକଙ୍କୁ ଏକାଥରକେ ମାରିବାର କ୍ଷମତା ମଣିଷ ପାଖରେ ରହିଛି । ଏହାର ଉତ୍ତର ପାଇବାକୁ ହେଲେ ଜାଣିବାକୁ ହେବ କି  ବିଶ୍ୱରେ ବର୍ତ୍ତମାନ କେତେ ପରମାଣୁ  ଅସ୍ତ୍ର ରହିଛି ଏବଂ କେଉଁ ଦେଶ ପାଖରେ  ଅଛି । 

ବିଶ୍ୱରେ ମାତ୍ର ୯ଟି ଦେଶ ହେଉଛନ୍ତି  ପରମାଣୁ ଶକ୍ତି ସମ୍ପନ୍ନ । ସେମାନଙ୍କ  ମଧ୍ୟରେ ଅଛନ୍ତି ଆମେରିକା, ରୁଷ,  ବ୍ରିଟେନ, ଫ୍ରାନ୍ସ, ଚୀନ୍‌, ଇସ୍ରାଏଲ, ଭାରତ,  ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ । ଉତ୍ତର କୋରିଆ ଦଶମ ଦେଶ ଭାବେ ପରମାଣୁ  ଅସ୍ତ୍ରର ଅଧିକାରୀ ହୋଇଥିଲା । ତେବେ  ଦକ୍ଷିଣ ଆଫ୍ରିକା ନିଜେ ପ୍ରସ୍ତୁତ କରିଥିବା ପରମାଣୁ ଅସ୍ତ୍ର ନଷ୍ଟ କରି ଆଣବିକ ଶକ୍ତି ସଂପନ୍ନ ରାଷ୍ଟ୍ରରୁ ନିଜକୁ ବାହାର  କରିନେଇଥିଲା । ତେଣୁ ବର୍ତ୍ତମାନ ୯ଟି  ଦେଶ ପାଖରେ ପରମାଣୁ ବୋମା ଅଛି ।  

ବୁଲେଟିନ ଅଫ୍‌ ଆଟମିକ୍‌  ସାଇଣ୍ଟିଷ୍ଟସର ସଦ୍ୟତମ ରିପୋର୍ଟ  ଅନୁସାରେ ବର୍ତ୍ତମାନ ବିଶ୍ୱର ୯ଟି ଦେଶ  ପାଖରେ ୧୨ ହଜାରରୁ ଅଧିକ ପରମାଣୁ  ଅସ୍ତ୍ର ରହିଛି । ସେଥିରୁ ରୁଷ ପାଖରେ  ସର୍ବାଧିକ ୫୫୦୦ ରହିଥିଲାବେଳେ ଆମେରିକା ପାଖରେ ୫୦୪୪, ଚୀନ୍‌  ପାଖରେ ୫୦୦, ଫ୍ରାନ୍ସ ପାଖରେ ୨୯୦, ବ୍ରିଟେନ ପାଖରେ ୨୨୫, ଭାରତ ପାଖରେ  ୧୭୨, ପାକିସ୍ତାନ ପାଖରେ ୧୭୦, ଇସ୍ରାଏଲ  ପାଖରେ ୯୦ ଓ ଉତ୍ତର କୋରିଆ ପାଖରେ  ୫୦ ପରମାଣୁ ଅସ୍ତ୍ର ରହିଛି । ଏସବୁକୁ  ମିଶାଇଲେ ମୋଟ ପରମାଣୁ ଅସ୍ତ୍ରର ସଂଖ୍ୟା  ହେଉଛି ୧୨,୦୪୧ । 

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ କେବଳ ୫୦୦  ପରମାଣୁ ଅସ୍ତ୍ର ଯାହାର ଓଜନ ୩୦- ୪୦ କିଲୋଟନ ହେବ । ଏତିକି ଅସ୍ତ୍ର ବିଶ୍ୱର ୭୦୦ କୋଟିରୁ ଅଧିକ ଲୋକଙ୍କୁ  ମାରିବା ପାଇଁ ଯଥେଷ୍ଟ ହେବ । କିନ୍ତୁ ଯଦି  ପୃଥିବୀର ସମସ୍ତ ୧୫ କୋଟି ବର୍ଗ କି.ମି  ଧରିତ୍ରୀକୁ ଧ୍ୱଂସ କରିବାକୁ ହୁଏ ତେବେ  ଏଥିପାଇଁ ୧ ଲକ୍ଷ ୨୮ ହଜାର ପରମାଣୁ  ଅସ୍ତ୍ର ଆବଶ୍ୟକ । ଅର୍ଥାତ ବର୍ତ୍ତମାନ  ସମୟରେ ଯେଉଁ ପରମାଣୁ ଅସ୍ତ୍ର ବିଭିନ୍ନ  ଦେଶ ପାଖରେ ରହିଛି ସେଥିରେ କେବଳ  ମଣିଷକୁ ଧ୍ୱଂସ କରିହେବ । ସମଗ୍ର  ପୃଥିବୀକୁ ଏତିକି ପରମାଣୁ ଅସ୍ତ୍ରରେ ଧ୍ୱଂସ କରାଯାଇପାରିବ ନାହିଁ।