ଶୀଘ୍ର ବଣ୍ଟାଯିବ ୯ ଲକ୍ଷ ଆବାସ ଘର, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର,୨୫/୦୫: ଶୀଘ୍ର ବଣ୍ଟାଯିବ ଓଡ଼ିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର । ବହୁ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ନେଇ ବିଭିନ୍ନ ବର୍ଗରୁ ଅଭିଯୋଗ ଆସିବା ପରେ ସାଧାରଣ ଜନତାଙ୍କଠାରୁ ଅଭିଯୋଗ ମଗାଯାଇଥିଲା । ସେସବୁର ତର୍ଜମା ହୋଇସାରିଛି । ଶୀଘ୍ର ରାଜ୍ୟକୁ ଆସିଥିବା ଆବାସ ଘର ଆବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅମାତ କହିଛନ୍ତି, ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ବିଭାଗକୁ ନୂଆ ଟାସ୍କ ଦେଇଛନ୍ତି । ରାଜ୍ୟର ସମସ୍ତ ବ୍ଲକରେ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମିଶନ ମୋଡରେ ମାର୍କେଟିଂ ଲିଙ୍କେଜ୍ ସହିତ ସ୍ଥାପନ ହେବ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ । ଆସନ୍ତା ଏକ ବର୍ଷ ମଧ୍ୟରେ ସମସ୍ତ ବ୍ଲକରେ ମିଶନ୍ ଶକ୍ତି କାଫେ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଅବ୍ୟବହୃତ ହୋଇ ପଡ଼ିଥିବା ସରକାରୀ ଅଟ୍ଟାଳିକାକୁ ୩ ମାସ ମଧ୍ୟରେ ସ୍ଥାନୀୟ ମିଶନ୍ ଶକ୍ତି ଗୋଷ୍ଠୀକୁ ହସ୍ତାନ୍ତର, ଓରମାସ୍କୁ ଅଧିକ କ୍ରିୟାଶୀଳ, ସମସ୍ତ ଘରକୁ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧% ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି । ସେହିପରି ୫୭ ହଜାର କୋଟି ଟଙ୍କା ବ୍ୟୟରେ ୨୦୬ଟି ମେଗା ପାନୀୟ ଜଳ ପ୍ରକଳ୍ପ ଓ ୧୩ହଜାର ସିଙ୍ଗଲ୍ ଭିଲେଜ୍ ପାଇପ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତିି । ଗତ ୪ ବର୍ଷ ମଧ୍ୟରେ ରାଜ୍ୟ ମନରେଗା କାର୍ଯ୍ୟାନ୍ୱୟନରେ ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହୋଇଛି । ମନରେଗା ଏବଂ ଅନ୍ୟାନ୍ୟ ବିକାଶମୂଳକ ଯୋଜନା ସମନ୍ୱୟର ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟି ପାଇଁ ରାଜ୍ୟର ପ୍ରୟାସକୁ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି । ମହାତ୍ମା ଗାନ୍ଧି ନରେଗା ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ପାଇଁ ୧୨ଲକ୍ଷରୁ ଅଧିକ ପ୍ରକଳ୍ପ କାମ ସରିଛି ।
ରାଜ୍ୟ ଅର୍ଥ କମିଶନ ଓ କେନ୍ଦ୍ର ଅର୍ଥ କମିଶନ ପାଣ୍ଠି ଅଧୀନର ୧୫,୫୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ୮ ଲକ୍ଷରୁ ଅଧିକ ପ୍ରକଳ୍ପ କାମ ହାତକୁ ନିଆଯାଇଛି । ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରର ୪,୧୭୬ଟି ପ୍ରକଳ୍ପ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ବିଭାଗର ଯୋଜନା କାର୍ଯ୍ୟକାରିତାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ସହ ପ୍ରକଳ୍ପ ଓ ହିତାଧିକାରୀଙ୍କ ସମସ୍ତ ତଥ୍ୟ ଉପଲବ୍ଧ ହେଉଛି । ବିଭାଗର ଏହି ଉଦ୍ୟମ ବିଭିନ୍ନ ସ୍ତରରର ବିଧିବଦ୍ଧ ଭାବେ ସ୍ୱୀକୃତି ଲାଭ କରିଛି । ଶ୍ରେଷ୍ଠ ଜିଲ୍ଲା ଓ ଶ୍ରେଷ୍ଠ ବ୍ଲକ ପୁରସ୍କାର ସମେତ ୬ଟି ପୁରସ୍କାର ଜିତି ଓଡ଼ିଶା ଜାତୀୟ ପଞ୍ଚାୟତ ପୁରସ୍କାର, ୨୦୨୩ରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଦକ୍ଷତା ବିକାଶ ତାଲିମରେ ମଧ୍ୟ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ଗ୍ରାମୀଣ ଗୃହ ନିର୍ମାଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ମଡେଲକୁ ଅନ୍ୟ ରାଜ୍ୟ ଅନୁକରଣ କରିବା ପାଇଁ ବିଧିବଦ୍ଧ ଭାରବ ସ୍ୱୀକୃତି ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନୀ ଯୋଗ ଦେଇଥିଲେ ।