କାଠମାଣ୍ଡୁ: ନେପାଳରେ ବୁଧବାର ୯ଟି ବାମପନ୍ଥୀ ଦଳ ମିଶି ଏକ ନୂତନ ଦଳ ଗଠନ କରିଛନ୍ତି । ଏଥିରେ ନେପାଳ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ କେନ୍ଦ୍ର) ଏବଂ ନେପାଳ କମ୍ୟୁନିଷ୍ଟ ପାର୍ଟି (ୟୁନିଫାଏଡ୍ ସୋସିଆଲିଷ୍ଟ) ସାମିଲ ଅଛନ୍ତି । ମାର୍ଚ୍ଚ ୫ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି। 
ଭୃକୁଟିମଣ୍ଡପରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ଦଳଗୁଡ଼ିକର ମିଶ୍ରଣ ନେଇ ଘୋଷଣା କରାଯାଇଛି । 

ଆନୁଷ୍ଠାନିକ ମିଶ୍ରଣ ଉତ୍ସବ ପୂର୍ବରୁ ଏକ ବିଶାଳ ରାଲି ମଧ୍ୟ ବାହାର କରାଯାଇଥିଲା। ଦେଶରେ ଦୁର୍ନୀତି, ବଂଶବାଦ ଏବଂ ରାଜନୈତିକ ଅସ୍ଥିରତା ବିରୁଦ୍ଧରେ ଯୁବ ନେତୃତ୍ୱାଧୀନ ଜେନ-ଜେଡ ପ୍ରତିବାଦକୁ ଦୃଷ୍ଟିରେ ରଖି ଏହି ମେଣ୍ଟ ଗଠନ କରାଯାଇଛି। ନୂତନ ଏକୀକୃତ ଦଳର ନାମ ନେପାଳୀ କମ୍ୟୁନିଷ୍ଟ ପାର୍ଟି ରଖାଯାଇଛି ଏବଂ ଏହାର ନିର୍ବାଚନ ପ୍ରତୀକ ପଞ୍ଚତାରକା ହେବ। 

ସିପିଏନ (ମାଓବାଦୀ କେନ୍ଦ୍ର) ଅଧ୍ୟକ୍ଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ 'ପ୍ରଚଣ୍ଡ' ନୂତନ ଦଳର ସଂଯୋଜକ ରହିବେ । ସିପିଏନ (ୟୁନିଫାଏଡ୍ ସୋସିଆଲିଷ୍ଟ) ମୁଖ୍ୟ ମାଧବ କୁମାର ନେପାଳ ସହ-ସଂଯୋଜକ ଭାବରେ କାର୍ଯ୍ୟ କରିବେ। ଦଳ ମାର୍କ୍ସବାଦ-ଲେନିନବାଦକୁ ଏହାର ମାର୍ଗଦର୍ଶକ ନୀତି (ସମ୍ବିଧାନ) ଭାବରେ ଗ୍ରହଣ କରିବ ଏବଂ ୬ ମାସ ମଧ୍ୟରେ ଏକ ଜାତୀୟ ସମ୍ମିଳନୀ କରିବ। 

ମାଓବାଦୀ କେନ୍ଦ୍ର ଏବଂ ୟୁନିଫାଏଡ୍ ସୋସିଆଲିଷ୍ଟ ପାର୍ଟି ବ୍ୟତୀତ, ମିଶ୍ରଣରେ ନେପାଳ ସୋସିଆଲିଷ୍ଟ ପାର୍ଟି, ସିପିଏନ (ସମାଜବାଦୀ), ପିପୁଲ୍ସ ସୋସିଆଲିଷ୍ଟ ପାର୍ଟି ନେପାଳ, ନେପାଳ କମ୍ୟୁନିଷ୍ଟ ପାର୍ଟି, ସିପିଏନ (ମାଓବାଦୀ ସମାଜବାଦୀ), ସିପିଏନ କମ୍ୟୁନିଷ୍ଟ ଏବଂ ଗୋପାଳ କିରାତିଙ୍କ ନେତୃତ୍ୱରେ ଦେଶପ୍ରେମୀ ସମାଜବାଦୀ ଫ୍ରଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ। 

ସେପଟେ ଏହି ପଦକ୍ଷେପ ଆଭ୍ୟନ୍ତରୀଣ ମତଭେଦ ମଧ୍ୟ ସୃଷ୍ଟି କରିଛି। ଜନାର୍ଦ୍ଦନ ଶର୍ମାଙ୍କ ନେତୃତ୍ୱରେ ମାଓବାଦୀ କେନ୍ଦ୍ର ଭିତରେ ଏକ ଗୋଷ୍ଠୀ ମିଶ୍ରଣକୁ ବିରୋଧ କରୁଛି ଏବଂ ଏକ ପୃଥକ ରାଜନୈତିକ ଅଭିଯାନ ଘୋଷଣା କରିଛି। ମାଓବାଦୀ କେନ୍ଦ୍ର ଏହାର ନାମରୁ "ମାଓବାଦୀ" ଶବ୍ଦ ହଟାଇ ଦେଇଛି। ଏହି ସମୟରେ, ପ୍ରଚଣ୍ଡ କହିଛନ୍ତି ଯେ ନୂତନ ଦଳ ଗଠନରେ ପୂର୍ବତନ ୟୁନିଫାଏଡ୍ ମାର୍କ୍ସବାଦୀ-ଲେନିନିଷ୍ଟ ନେତା ଭୀମ ରାୱଲ ଏବଂ ଅନ୍ୟ ବାମପନ୍ଥୀ ନେତାଙ୍କୁ ସାମିଲ କରିବା ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମିଶ୍ରଣ ସହିତ, ମାଓବାଦୀ କେନ୍ଦ୍ର ଏହାର ସରକାରୀ ନାମରୁ ‘ମାଓବାଦୀ’ ଶବ୍ଦ ହଟାଇ ଦେଇଛି। ଜଣେ ବରିଷ୍ଠ ନେତା ପିଟିଆଇକୁ କହିଛନ୍ତି ଯେ, ନୂତନ ଦଳ ୫ ମାର୍ଚ୍ଚ, ୨୦୨୬ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ଅଂଶଗ୍ରହଣ କରିବ।