ଶ୍ରୀଲଙ୍କା ସଙ୍କଟ: ୯ ମନ୍ତ୍ରୀ ଓ ୨ ଗର୍ଭନର ଦେଲେ ଇସ୍ତଫା,ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ଥିବା ଅଭିଯୋଗ

କଲୋମ୍ବୋ,୪।୬: ଇଷ୍ଟର ଅବସରରେ ଆତ୍ମଘାତୀ ଆକ୍ରମଣ ପରେ ଶ୍ରୀଲଙ୍କାରେ ଲାଗତାର ବିବାଦୀୟ ପରିସ୍ଥିତି ଲାଗି ରହିଛି। ଶ୍ରୀଲଙ୍କା ସରକାରରେ ଶୀର୍ଷ ସ୍ତରୀୟ ପଦବୀରେ ଥିବା ୯ ଜଣ ମୁସଲମାନ ମନ୍ତ୍ରୀ ଓ ସଂଖ୍ୟାଲଘୁ ସମୁଦାୟରୁ ଆସିଥିଲା ୨ ଜଣ ପ୍ରାନ୍ତୀୟ ଗର୍ଭନର ସୋମବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେଭାନେ ହେଲେ କ୍ୟାବିନେଟ୍ ମନ୍ତ୍ରୀ କବିର ହାସିମ, ଗୃହମନ୍ତ୍ରୀ ହଲିମ ଓ ରିଶଦ ବତିଉଦ୍ଧିନ। ତାଙ୍କ ସହିତ ରାଷ୍ଟ୍ରମନ୍ତ୍ରୀ ଫୈଜଲ କାସିମ, ହାରେଶ, ଅମିର ଅଲ୍ଲୀ ଶିହାବଦ୍ଦିନ, ସୈୟଦ ଅଲ୍ଲୀ ଜାହିର ମୌଲାନାଙ୍କ ବ୍ୟତୀତ ଡେପୁଟି ମିନିଷ୍ଟର ଅବଦୁଲ ମହରୁଫ ମଧ୍ୟ ଇସ୍ତଫା ଦେବାର ନିଷ୍ପତ୍ତି ନେଇଛନ୍ତି। ଉଦ୍ୟୋଗ ଓ ବାଣିଜ୍ୟମନ୍ତ୍ରୀ ରିଶଦ ବତିଉଦ୍ଧିନଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ଏନଟିଜେର ସମର୍ଥନ କରୁଥିଲେ। ତେବେ ସେ ଏହାକୁ ଖାରଜ କରିଛନ୍ତି।
ରିପୋର୍ଟ ଅନୁସାରେ ମନ୍ତ୍ରୀ ଓ ଗର୍ଭନରଙ୍କ ଇସ୍ତଫା ଏଥିପାଇଁ ନିଆଯାଇଛି ଯାହା ଫଳରେ କିଛି ଅଧିକାରୀଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ଯାଞ୍ଚ କରିପାରିବେ। ଏହି ମନ୍ତ୍ରୀ ଓ ଗର୍ଭନରଙ୍କ ଉପରେ ଆତଙ୍କୀ ସଂଗଠନ ସହିତ ସମ୍ପର୍କ ଥିବାର ଅଭିଯୋଗ ରହିଛି। ଆତଙ୍କବାଦୀ ଆକ୍ରମଣ ଘଟଣାରେ ୩ ଜଣ ମୁସଲମାନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ୪ ଦିନ ହେବ ବୌଦ୍ଧ ସମ୍ପ୍ରଦାୟର ହଜାର ହଜାର ଲୋକ ବିକ୍ଷୋଭ କରିଥିଲେ।
ବୌଦ୍ଧ ସମ୍ପ୍ରଦାୟ ସହିତ ସମ୍ପର୍କ ରଖିଥିବା ସାଂସଦ ଅତୁରାଲିଏ ରତନା ଥିରୋ ମଧ୍ୟ ପ୍ରଦର୍ଶନରେ ଭାଗ ନେଇଥିଲେ। ସେ ଜଣେ ବୌଦ୍ଧି ଭିକ୍ଷୁ ଥିଲେ। ସେ ୩ ଜଣ ମନ୍ତ୍ରୀଙ୍କ ଇସ୍ତଫା ଓ ମାମଲର ତଦନ୍ତ କରିବା ଦାବି ନେଇ ୪ ଦିନ ଧରି ଆମରଣ ଅନଶନ କରୁଥିଲେ। ଅତୁରାଲିଏଙ୍କ ଅଭିଯୋଗ ହେଉଛି ଯେ, ୩ ଜଣ ମୁସଲମାନ ମନ୍ତ୍ରୀଙ୍କ ସମ୍ପର୍କ କଠୋରପନ୍ଥୀ ସଂଗଠନ ନ୍ୟାସନାଲ ତୋହିଦ ଜମାତ(ଏନଟିଜେ) ସହିତ ରହିଛି।
ଉଲ୍ଳେଖନୀୟ ଯେ ଗତ ଅପ୍ରେଲ ୮ରେ କଲୋମ୍ବୋରେ ହୋଇଥିବା ୮ଟି ସିରିୟଲ ବିସ୍ଫୋରଣରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ବିସ୍ଫୋରଣକୁ ସାରା ବିଶ୍ବ ସ୍ତବ୍ଧ ହୋଇଯାଇଥିଲା। ଏହା ପଛରେ ‘ନ୍ୟାସନାଲ ତୋହିଦ ଜବାତ’ ଆତଙ୍କବାଦୀ ସଂଗଠନର ହାତ ରହିଥିଲା। ତୋହିଦ ଜମାତ ଏକ ଇସଲାମିକ୍ ଚରମପନ୍ଥୀ ସଂଗଠନ ଅଟେ।